ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ିଲା ବିମାନ

ପ୍ରଥମ ଦିନରେ ଆସିଲେ ୧୮, ଗଲେ ୩୭

ବେଙ୍ଗାଲୁରକୁ ବି ଏୟାର ଇଣ୍ଡିଆ ଉଡ଼ାଣ ଆରମ୍ଭ
ଯାତାୟତ ଭଡ଼ା ୧୨,୫୦୦ ଟଙ୍କା

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଆରମ୍ଭ କରିଛି। ଅପରାହ୍ଣ ୩ଟା ୫୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି। ଏୟାର ଇଣ୍ଡିଆର ‘ଏୟାରବସ୍‌- ୩୨୦ ନିଉ’ ବିମାନ ଏଆଇ-୩୩୮ ଏବେ ପ୍ରତି ଗୁରୁବାର ଓ ରବିବାର ଭୁବନେଶ୍ୱର ଅଭିମୁଖେ ଉଡ଼ାଣ କରିବ। ଉଡ଼ାଣର ପ୍ରଥମ ଦିନରେ ବ୍ୟାଙ୍କକ୍‌ରୁ ୧୮ ଜଣ ଭୁବନେଶ୍ୱର ଆସିଥିବା ବେଳେ ଭୁବନେଶ୍ୱରରୁ ୩୭ଜଣ ବ୍ୟାଙ୍କକ୍‌ ଯାଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଏହା ଆମ ପାଇଁ ଏକ ଐତିହାସିକ ମୁହୂର୍ତ୍ତ। ଏହା ଦ୍ୱାରା ଦକ୍ଷିଣ ପୂର୍ବ ଏସୀୟ ଦେଶଗୁଡ଼ିକ ସହ ଓଡ଼ିଶାର ସମ୍ପର୍କ ସୁଦୃଢ ହେବ। ବାଣିଜ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଦେଖାଯିବ। ଏହି ଉଡ଼ାଣ ଦ୍ୱାରା ଓଡ଼ିଶାର ବିଭିନ୍ନ ବୌଦ୍ଧ ପର୍ଯ୍ୟଟନସ୍ଥଳୀକୁ ବହୁ ଅନ୍ତର୍ଜାତୀୟ ପର୍ଯ୍ୟଟକ ଆକର୍ଷିତ ହେବେ।

ମୁଖ୍ୟମନ୍ତ୍ରୀ ବ୍ୟାଙ୍କକ୍‌କୁ ଯିବାକୁ ଥିବା ପର୍ଯ୍ୟଟକ ଏବଂ ବିମାନର କ୍ରିଉ ସଦସ୍ୟଙ୍କ ସହ କେକ୍‌ କାଟି ଖୁସି ମନାଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଭୁବନେଶ୍ୱର ମଧ୍ୟ ବିଧାୟକ ବିଜୟ ମହାନ୍ତି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ମୋନା ଶର୍ମା, ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଏନ୍‌.ବି ଜାେଓ୍ଵଲେ ଓ ଏୟାର ଇଣ୍ଡିଆ ପୂର୍ବାଞ୍ଚଳ ଜୋନ୍‌ ନିର୍ଦ୍ଦେଶକ କ୍ୟାପଟେନ୍‌ ରୋହିତ ଭାସିନ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସକାଳ ୭ଟାରେ ଏହି ବିମାନଟି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଜୁ ପଟ୍ଟନାୟକ ବିମାନବନ୍ଦର ପକ୍ଷରୁ ରନେଓ୍ଵ ଉପରେ ଦୁଇ ପାର୍ଶ୍ୱରୁ ପାଣି ସ୍ପ୍ରେ କରି ବିମାନକୁ ସ୍ୱାଗତ କରାଯାଇଥିଲା। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ପଣ୍ଡା, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଯାତ୍ରୀମାନଙ୍କୁ ଫୁଲ ତୋଡ଼ା ଦେଇ ସ୍ୱାଗତ କରିଥିଲେ।

ଆଜି ବିମାନବନ୍ଦର ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏୟାର ଇଣ୍ଡିଆ ପୂର୍ବାଞ୍ଚଳ ଜୋନ୍‌ ନିର୍ଦ୍ଦେଶକ କ୍ୟାପଟେନ୍‌ ରୋହିତ ଭାସିନ୍‌ କହିଥିଲେ ଯେ, ଏହି ବିମାନଟି ଏବେ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ଉଡ଼ାଣ କରୁଥିଲେ ହେଁ ଖୁବ୍‌ ଶୀଘ୍ର ଗୟା-ଭୁବନେଶ୍ୱର-ବ୍ୟାଙ୍କକ୍‌ ରୁଟ୍‌ରେ ଉଡ଼ାଣ କରିବ। ଏବେ ଗୟାରୁ ଭୁବନେଶ୍ୱର ଉଡ଼ାଣ ନେଇ ଡିଜିସିଏ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅନୁମତି ମିଳିନଥିବାରୁ ଏହି ଉଡ଼ାଣ ଆରମ୍ଭ ହୋଇପାରିନି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଅନୁମତି ମିଳିବାର ସମ୍ଭାବନା ଅଛି। ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଯେପରି ଅଧିକ ଯାତ୍ରୀ ଯାତାୟତ କରିବେ, ସେଥିପାଇଁ ଏହି ରୁଟ୍‌ରେ ଯିବା ଆସିବା ଭଡ଼ା ୧୨,୫୦୦ ଟଙ୍କା ରଖାଯାଇଛି। ଏୟାର ଇଣ୍ଡିଆ ପକ୍ଷରୁ ଫେବ୍ରୁଆରି ୨୮ପର୍ଯ୍ୟନ୍ତ ଏହି ଅଫର୍‌ ଦିଆଯାଇଛି ବୋଲି କୁହାଯାଇଛି। ସେହିପରି ଆଜି ଏୟାର ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରୁ ବେଙ୍ଗାଲୁରୁ ବିମାନ ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଭୁବନେଶ୍ୱରରୁ ୧୪୯ଜଣ ଯାତ୍ରୀ ବେଙ୍ଗାଲୁର ଯାଇଥିବାବେଳେ ୧୦୧ଜଣ ଭୁବନେଶ୍ୱର ଆସିଛନ୍ତି। ଏବେ ବ୍ୟାଙ୍କକ୍‌ରୁ ଆସିଥିବା ବିମାନଟି ବେଙ୍ଗାଲୁର ଅଭିମୁଖେ ଯାଇଥିବା ବେଳେ ଖୁବ୍‌ ଶୀଘ୍ର ଏହି ରୁଟ୍‌ରେ ନୂଆ ବିମାନ ଚାଲିବ।

ଏୟାର ଇଣ୍ଡିଆ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏଆଇ-୩୩୯ ବିମାନ ବ୍ୟାଙ୍କକ୍‌ରୁ ସ୍ଥାନୀୟ ସମୟ ସକାଳ ୫ଟା ୪୦ରେ ବାହାରି ଭୁବନେଶ୍ୱରରେ ସକାଳ ୭ଟାରେ ପହଞ୍ଚିବ। ଏଠାରୁ ଅପରାହ୍ନ ୩ଟା ୪୫ରେ ବ୍ୟାଙ୍କକ୍‌ ଅଭିମୁଖେ ଉଡ଼ାଣ କରିବ। ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ୧୬୨ ଯାତ୍ରୀ ବିଶିଷ୍ଟ ବିମାନ ଉଡ଼ାଣ କରିବ। ସେହିପରି ବେଙ୍ଗାଲୁର ଯିବାକୁ ଥିବା ବିମାନ ଭୁବନେଶ୍ୱରରୁ ୮ଟା ୪୫ରେ ଛାଡ଼ିବ। ଆଉ ବେଙ୍ଗାଲୁରରୁ ପୂର୍ବାହ୍ନ ୧୧ଟା ୪୦ରେ ବାହାରି ଭୁବନେଶ୍ୱରରେ ଅପରାହ୍ନ ୧ଟା ୫୦ରେ ପହଞ୍ଚିବ।

ସୂଚନାଯୋଗ୍ୟ, ୨୦୧୦ ମସିହା ଅକ୍ଟୋବର ୩୧ରେ ଭୁବନେଶ୍ୱର ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ମାନ୍ୟତା ମିଳିଥିଲା। ଦୀର୍ଘ ୭ ବର୍ଷ ପରେ ଏପ୍ରିଲ ୨୬, ୨୦୧୭ରେ ଭୁବନେଶ୍ୱରରୁ ପ୍ରଥମ ଅନ୍ତର୍ଜାତୀୟ ବିମାନ ଏୟାର ଏସିଆ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର