ହୀରାକୁଦ ଜଳଭଣ୍ଡାର ଉପରେ ଇବ୍‌ ସେତୁ ଲୋକାର୍ପିତ

ସମ୍ବଲପୁର : ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବହୁ ପ୍ରତୀକ୍ଷିତ ହୀରାକୁଦ ଜଳଭଣ୍ଡାରର ଇବ ନଦୀ ଉପରେ ନୂଆ ଜ୍ଞାନକୌଶଳରେ ନିର୍ମିତ ଇବ୍‌ ସେତୁର ଲୋକାର୍ପଣ କରିଛନ୍ତି। ସମ୍ବଲପୁର ଜିଲ୍ଲାର ସପ୍‌ନେ ଓ ଝାରସୁଗୁଡ଼ା ଜିଲ୍ଲା ରମ୍ପେଲା ମଧ୍ୟରେ ନିର୍ମିତ ଅଢ଼େଇ କିଲୋମିଟର ଦୀର୍ଘ ଏହି ସେତୁ ଅଂଚଳବାସୀଙ୍କ ବହୁ ବର୍ଷର ସ୍ୱପ୍ନ ସାକାର କରିବା ସହ ଦୁଇ ଜିଲ୍ଲା ମଧ୍ୟରେ ଦୂରତା ବହୁପରିମାଣରେ ହ୍ରାସ କରିବ। ଏହା ପଶ୍ଚିମ ଓଡ଼ିଶାର ଦୀର୍ଘତମ ତଥା ରାଜ୍ୟର ଦ୍ୱିତୀୟ ଦୀର୍ଘତମ ଏହି ସେତୁ ହେବ। ଏହି ସେତୁ ବିକାଶର ନୂଆ ମାଇଲଖୁଣ୍ଟ ହେବ ବୋଲି ଲୋକାର୍ପଣ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ସେତୁ ନିର୍ମାଣରେ ୧୧୭.୪୯ କୋଟି ଟଙ୍କା ଖର୍ଚ ହୋଇଛି।

ନିର୍ଧାରିତ ୩ ବର୍ଷର ଅବଧି ମଧ୍ୟରେ କାର୍ଯ୍ୟ ଶେଷ ହୋଇଥିବା ଏହି ସେତୁ ୬୯ଟି ସ୍ପାନରେ ନିର୍ମିତ ହୋଇଛି। ବର୍ଷା ଦିନେ ଇବ୍‌ ନଦୀର ବନ୍ୟାଜଳ ସର୍ବାଧିକ ୧୯୨.୨୩୧ ମିଟର ଉଚ୍ଚତା ପର୍ଯ୍ୟନ୍ତ ପହଂଚିଥିବା ବେଳେ ସେତୁ ୧୯୬.୧୮୧ ମିଟର ଉଚ୍ଚତାରେ ନିର୍ମିତ ହୋଇଛି। ପିଏସସି ସେଗ୍‌ମେଣ୍ଟାଲ ବକ୍ସ ଶୈଳୀରେ ନିର୍ମିତ ଏହି ସେତୁ ନିର୍ଧାରିତ ଅବଧି ମଧ୍ୟରେ ଶେଷ କରିଥିବାରୁ ଏସପି ସିଂଗଲ କନ୍‌ଷ୍ଟ୍ରକ୍‌ସନ ପ୍ରାଇଭେଟ୍‌ ଲିମିଟେଡକୁ ମୁଖ୍ୟମନ୍ତ୍ରୀ ମାନପତ୍ର ଦେଇଥିଲେ। ସେତୁ ଦ୍ୱାରା ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ମଧ୍ୟରେ ପ୍ରାୟ ୨୨ କିଲୋମିଟର ଦୂରତା ହ୍ରାସ ପାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟ ସରକାର ଯୋଗାଯୋଗ ବ୍ୟବସ୍ଥା ପାଇଁ ହାଇେଓ୍ଵ ଓ ସେତୁ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟରେ ଏବେ ୩୮୧୭ଟି ସେତୁ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି। ଖୁବ୍‌ ଶିଘ୍ର ରାଜ୍ୟର ସବୁ ଗାଁକୁ ବିଜୁଳି ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ଓଡ଼ିଶାରେ ବିକାଶ ଧାରା ଜାରି ରହିଛି। ଓଡ଼ିଶାକୁ ଦେଶର ଏକ ନମ୍ବର ରାଜ୍ୟରେ ପରିଣତ କରିବା ପାଇଁ ଆମର ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟବାସୀଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି। ପ୍ରବଳ ଖରାରେ ଦୂରଦୂରାନ୍ତରୁ ଆସିଥିବା ହଜାର ହଜାର ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଆଉ କୃତଜ୍ଞତା ଜ୍ଞାପନ କରିଥିଲେ।

ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସେତୁ ଉଦ୍‌ଘାଟନ ସମାରୋହରେ ଶ୍ରମ ଓ ଶକ୍ତିମନ୍ତ୍ରୀ ସୁଶାନ୍ତ ସିଂ, ରାଜ୍ୟ ସରକାରଙ୍କ ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ, ବରଗଡ଼ ସାଂସଦ ପ୍ରଭାସ ସିଂ, ସମ୍ବଲପୁର ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ, ରେଂଗାଲି ବିଧାୟକ ରମେଶ ପଟୁଆ, ଝାରସୁଗୁଡ଼ା ବିଧାୟକ ନବ ଦାସ, ବ୍ରଜରାଜନଗର ବିଧାୟିକା ରାଧାରାଣୀ ପଣ୍ଡା ପ୍ରମୁଖ ବକ୍ତବ୍ୟ ରଖି ଏହି ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ପୂର୍ତ୍ତ ବିଭାଗ ସଚିବ ଇଂ.ନଳିନୀକାନ୍ତ ପ୍ରଧାନ ସ୍ୱାଗତ ଭାଷଣ ରଖିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେତୁଠାରୁ ୧୦ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ସପ୍‌ନେ-ରେଂଗାଲି ରାସ୍ତା ନିର୍ମାଣର ଭିତ୍ତିପ୍ରସ୍ତର ବି ସ୍ଥାପନ କରିଥିଲେ। ସେହିପରି ୯.୯୮ କୋଟି ଟଙ୍କା ବ୍ୟୟରେ ଧନକଉଡ଼ା ଓ ରେଂଗାଲି ବ୍ଲକର ୧୧ଟି ଗାଁର ସମନ୍ଵିତ ଜଳ ଯୋଗାଣ ପ୍ରକଳ୍ପ ଓ ବିଶୋଧନାଗାରର ଲୋକାର୍ପଣ ଏବଂ ୧୧.୩୫ କୋଟି ବ୍ୟୟରେ ଧନକଉଡ଼ା ବ୍ଲକର ୧୨ଟି ଗାଁ ସମନ୍ଵିତ ଜଳ ଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର