ସାତପଡ଼ାରେ ମନୋରଂଜନ ପୋତାଶ୍ରୟ ଉଦ୍‌ଘାଟିତ

ବୋଟ୍‌ ଯାତ୍ରୀଙ୍କ ସୁରକ୍ଷା ପାଇଁ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା

ଭୁବନେଶ୍ୱର : ସାତପଡାରେ ବହୁମୁଖୀ ମନୋରଞ୍ଜନ ପୋତାଶ୍ରୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି। ସଚିବାଳୟରେ ଏକ ଭିଡିଓ କନ୍‌ଫରେନ୍‌ସିଂରେ ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିଲେ। ଏହି ପୋତାଶ୍ରୟରେ ଏକ ସମୟରେ ୨୦୦ ବୋଟ୍‌ ରହିପାରିବ। ଏଥିପାଇଁ ୧୯ଲକ୍ଷ ଟଙ୍କା ବିନିଯୋଗ ହୋଇଛି। ଏଥିସହିତ ମୁଖ୍ୟମନ୍ତ୍ରୀ ବୋଟ୍‌ ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଏକ ନୂଆ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଟ୍‌ ଯାତ୍ରୀଙ୍କ ସୁରକ୍ଷା ପାଇଁ ସହିଦ୍‌ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଆରମ୍ଭ କରୁଛନ୍ତି। ଏହି ଯୋଜନାରେ ଯାତ୍ରୀଙ୍କୁ ଲାଇଫ୍‌ ଜ୍ୟାକେଟ୍‌, ଅଗ୍ନି ନିର୍ବାପକ ଯନ୍ତ୍ର ସହିତ ଅନ୍ୟାନ୍ୟ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ।

ପ୍ରକଳ୍ପ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଥିଲେ, ପୋତାଶ୍ରୟ ଦ୍ୱାରା ସାତପଡା ଅଞ୍ଚଳର ପର୍ଯ୍ୟଟନର ବିକାଶ ସହିତ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ହୋଇପାରିବ।

ଉଲ୍ଲେଖଯୋଗ୍ୟ, ବହୁମୁଖୀ ଜେଟି ପୋତାଶ୍ରୟର ନିର୍ମାଣ ୨୦୧୫ ଜାନୁଆରିରେ ଆରମ୍ଭ ହୋଇ ୨୦୧୭ ଜୁଲାଇରେ ସମ୍ପୂର୍ଣ୍ଣ ହୋଇଥିଲା। ଏଥିରେ ଏକ ମୁଖ୍ୟ ଜେଟି, ଏକ ଆପ୍ରୋଚ ଜେଟି, ୨୦ଟି ଫିଙ୍ଗର ଜେଟି ରହିଛି। ପୋତାଶ୍ରୟକୁ ଖୋଳାଯାଇ ଗଭୀର କରାଯାଇଛି ଓ ଏହି ଅ଼ଞ୍ଚଳରେ ଉଜ୍ଜ୍ୱଳ ଆଲୋକମାଳାର ବ୍ୟବସ୍ଥା ହୋଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିସନରଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସାତପଡାରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ, ସାଂସଦ ଅନୁଭବ ମହାନ୍ତି ଓ ବିଧାୟକ ସଂଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର