ମା’ ଓ ଶିଶୁ ଡାକ୍ତରଖାନା ସହ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ଦେଇଛନ୍ତି।

ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ଆସି ପହଞ୍ଚିଥିଲେ। ସ୍ଥାନୀୟ ସର୍କିଟ ହାଉସ ନିକଟରେ ୫୫ କୋଟି ୩୬ ହଜାର ଟଙ୍କାରେ ନିର୍ମିତ ଓଭର୍‌ ହେଡ୍‌ ଟ୍ୟାଙ୍କର ଉଦ୍‌ଘାଟନ କରିଥିଲେ। ପୂର୍ବରୁ ବଲାଙ୍ଗୀର ସହରକୁ ସୋନପୁର ମହାନଦୀରୁ ଜଳ ଯୋଗାଣ ହେଉଥିଲା। କିନ୍ତୁ ପାନୀୟ ଜଳ ସଙ୍କଟ ଦେଖା ଦେଉଥିବାରୁ ତରଭା ନିକଟ ତେଲ ନଦୀରୁ ଜଳ ଯୋଗାଣ ପାଇଁ ଉଦ୍ୟମ ହୋଇଥିଲା। ଆଉ ତାହା ସଫଳ ହୋଇଛି। ସର୍କିଟ ହାଉସରେ ନିର୍ମିତ ଓଭର୍‌ ହେଡ୍‌ ଟ୍ୟାଙ୍କ ଦ୍ୱାର ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳକୁ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଯୋଗାଇ ଦିଆଯାଇ ପାରିବ। ଏଥିସହିତ ମାଧିଆପାଲିରେ ପୋଲର ନିର୍ମାଣ ପାଇଁ ୫କୋଟି ୨୪ଲକ୍ଷ୍ୟ ୮୩ ହଜାର, ପାଣ୍ଡନ ଜୋର ନାଳ ଉପରେ ଏକ ଉଚ୍ଚସ୍ତର ପୋଲ ପାଇଁ ୫କୋଟି ୮୫ ଲକ୍ଷ ୫୩ ହଜାର, ସୋନଗଡ଼ ନଦୀ ଉପରେ ନିର୍ମିତ ସେତୁ ପାଇଁ ୬ କୋଟି ୧ ଲକ୍ଷ ୭୪ ହଜାର ଓ ଆଗଲପୁର ବିଧାପାଲି ଉଚ୍ଚସ୍ତର ପୋଲ ପାଇଁ ୧୮ କୋଟି ୫୯ ଲକ୍ଷ ୩୯ ହଜାର ଟଙ୍କାର ଭିତ୍ତିପ୍ରସ୍ତରର ସ୍ଥାପନ କରିଥିଲେ। ସର୍କିଟ୍‌ ହାଉସ୍‌ରୁ ବାହାରି ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାରେ ନିର୍ମିତ ୧୨୫ ଶଯ୍ୟା ବିଶିଷ୍ଟ ମା’ ଓ ଶିଶୁ ଡାକ୍ତରଖାନାର ଉଦ୍‌ଘାଟନ କରିଥିଲେ। ଏହି ଚିକିତ୍ସାଳୟ ନିର୍ମାଣରେ ୧୫ କୋଟି ୭୧ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏଥରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସୁରକ୍ଷା ବ୍ୟବସ୍ଥା ରହିଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଉପକରଣ ଓ ଚେକ୍‌ ବଣ୍ଟନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ କୋଶଳ କଳାମଣ୍ଡଳରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ ସଭାପତିତ୍ୱରେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଣ୍ଟାବାଞ୍ଜି ବିଧାୟକ ଆୟୁବ୍‌ ଖାନ୍‌, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରୋ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ବକ୍ତବ୍ୟ ରଖିଥିଲେ। ବିଜେଡି ସରକାରର ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ବକ୍ତାମାନେ କହିଥିଲେ। ପୂର୍ବର ୟୁପିଏ ଓ ବର୍ତ୍ତମାନର ବିଜେପି ସରକାର ଓଡ଼ିଶାକୁ ଉପେକ୍ଷା କରୁଛି ବୋଲି ନେତାଏ ଅଭିଯୋଗ କରିଥିଲେ। ଆଗାମୀ ଦିନରେ ନବୀନ ବାବୁଙ୍କ ବିଜେଡି ସରକାରକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ଆହ୍ଵାନ ଦେଇଥିଲେ। ମହିଳା ସମବାୟ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପ୍ରକୃତି ଦେବୀ ଓ ବଲାଙ୍ଗୀର ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରାଙ୍କ ସହ ସମସ୍ତ ବିଜେଡି କାଉନସିଲର ବହୁ ବିଜେଡି କର୍ମୀ ସମାବେଶରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର