ବଲାଙ୍ଗୀରରେ ନବୀନ, ଶହେ କୋଟିର ପ୍ରକଳ୍ପ ଉଦ୍‌ଘାଟନ

ବଲାଙ୍ଗୀର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ବଲାଙ୍ଗୀର ଗସ୍ତରେ ଆସି ପ୍ରାୟ ଶହେ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ କରିବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ଶନିବାର ଦିନ ପ୍ରାୟ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଲାଙ୍ଗୀରରେ ପହଞ୍ଚିଥିଲେ। ସ୍ଥାନୀୟ ସର୍କିଟ ହାଉସ ନିକଟରେ ୫୫ କୋଟି ୩୬ ହଜାର ଟଙ୍କାରେ ନିର୍ମିତ ଓଭର୍‌ ହେଡ୍‌ ଟ୍ୟାଙ୍କର ଉଦ୍‌ଘାଟନ କରିଥିଲେ। ପୂର୍ବରୁ ବଲାଙ୍ଗୀର ସହରକୁ ସୋନପୁର ମହାନଦୀରୁ ଜଳ ଯୋଗାଣ ହେଉଥିଲା। କିନ୍ତୁ ପାନୀୟ ଜଳ ସଙ୍କଟ ଦେଖା ଦେଉଥିବାରୁ ତରଭା ନିକଟ ତେଲ ନଦୀରୁ ଜଳ ଯୋଗାଣ ପାଇଁ ଉଦ୍ୟମ ହୋଇଥିଲା। ଆଉ ତାହା ସଫଳ ହୋଇଛି। ଏଥିସହିତ ଅନ୍ୟାନ୍ୟ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ ସହ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଉପକରଣ ଓ ଚେକ୍‌ ବଣ୍ଟନ କରିଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ କୋଶଳ କଳାମଣ୍ଡଳରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ବଲାଙ୍ଗୀର ସାଂସଦ କଳିକେଶ ନାରାୟଣ ସିଂହଦେଓ ସଭାପତିତ୍ୱରେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, ରାଜ୍ୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସୋନପୁର ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, କଣ୍ଟାବାଞ୍ଜି ବିଧାୟକ ଆୟୁବ୍‌ ଖାନ୍‌, ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରୋ, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ ଓ ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମରୁ ଜାଣିଶୁଣି ଦୂରେଇ ରଖାଗଲା: ନରସିଂହ

ବଲାଙ୍ଗୀର : କିଛି ବର୍ଷ ତଳେ ମେଡିକାଲ କଲେଜ ଭିତ୍ତିପ୍ରସ୍ତର ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଆସିଥିବା ବେଳେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ନରସିଂହ ମିଶ୍ର ସ୍ୱାଗତ କରିଥିଲେ। ମେଡିକାଲ କଲେଜ ଭିତ୍ତିପ୍ରସ୍ତର ବେଳେ ଉଭୟ ନବୀନ, ନରସିଂହ ଏକାଠି ଥିବା ବେଳେ ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ତଥା ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ଥିଲେ। ତେବେ ବର୍ଷ ବଦଳିବା ସହ ଆଭିମୁଖ୍ୟ ବି ବଦଳି ଯାଇଛି। ଆଉ ଏହି ବଦଳି ଯାଇଥିବା ଆଭିମୁଖ୍ୟରେ ସଦର ବିଧାୟକ ଓ ବିରୋଧୀ ଦଳ ନେତାଙ୍କୁ ହେୟ କରି ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସିଥିବା ବେଳେ ରାଜ୍ୟ ବିରୋଧୀ ଦଳ ନେତା ତଥା ସଦର ବିଧାୟକ ଶ୍ରୀ ମିଶ୍ର ତାଙ୍କୁ ସର୍କିଟ୍‌ ହାଉସ୍‌ରେ ଅପେକ୍ଷା କରି ରହିଥିଲେ। ଓଭର୍‌ ହେଡ୍‌ ଟେଙ୍କ ଉଦ୍‌ଘାଟନ ପୂର୍ବରୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସହ ଶ୍ରୀ ମିଶ୍ର ଓଭର୍‌ ହେଡ୍‌ ଟେଙ୍କ ଉଦ୍‌ଘାଟନରେ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟମାନେ ସିଧାସଳଖ ମୁଖ୍ୟ ଡାକ୍ତରଖାନା ନିକଟ ଏମ୍‌ସିଏଚ୍‌ କୋଠାକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଫିତା କାଟିବା ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଥିଲେ। ଗଣମାଧ୍ୟମ ସହ କଥା ହୋଇ ଗାଡ଼ିରେ ବସିବା ବେଳକୁ ପହଞ୍ଚି ଥିଲେ ରାଜ୍ୟ ବିରୋଧୀ ଦଳ ନେତା। ମୁଖ୍ୟମନ୍ତ୍ରୀ କଳାମଣ୍ଡଳ ସମାବେଶ ପାଇଁ ଚାଲି ଯାଇଥିବା ବେଳେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ଶ୍ରୀ ମିଶ୍ର। ସେ କହିଥିଲେ ଯେ, ଅସ୍ଥାୟୀ ହେଲିପ୍ୟାଡ୍‌କୁ ନଯିବା ପାଇଁ ସୂଚନା ଦିଆଗଲା। ଓଭର୍‌ ହେଡ୍‌ ଟେଙ୍କ ଉଦ୍‌ଘାଟନ ପରେ ସେ ଦଳୀୟ କର୍ମୀଙ୍କ ସହ ଏମ୍‌ସିଏଚ୍‌କୁ ଆସୁଥିଲେ। ଚକ୍ରାନ୍ତ କରାଯାଇ ଟ୍ରାଫିକରେ ଛନ୍ଦି ଦିଆଗଲା। ପହଞ୍ଚିଲା ବେଳକୁ ସବୁ ସରିଯାଇଥିଲା। ଜିଲ୍ଲା ପ୍ରଶାସନ ଚାହୁଁ ନଥିଲା ମୁଁ ଆସେ ବୋଲି କ୍ଷୋଭର ସହ ବିଧାୟକ ଶ୍ରୀ ମିଶ୍ର କହିଥିଲେ। ଆମେ ସହଯୋଗର ହାତ ବଢ଼ାଇଥିଲୁ କିନ୍ତୁ ଯେଉଁଭଳି ତରବରିଆ ଭାବେ କାର୍ଯ୍ୟକ୍ରମ ହେଲା ତାହା ନିନ୍ଦନୀୟ ବୋଲି ସେ କହିଥିଲେ।

ଅନ୍ୟପଟେ ପାଟଣାଗଡ଼ ବିଧାୟକ ତଥା ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଶନିବାର ସକାଳେ ଜିଲ୍ଲାପାଳ ଆଶିଷ ଥାକରେ ତାଙ୍କୁ ଯୋଗାଯୋଗ କରି କାର୍ଯ୍ୟକ୍ରମକୁ ଆସିବା ପାଇଁ କହିଥିଲେ। କୌଣସି ସୂଚନା ଦିଆଯାଇ ନଥିଲା ତାଙ୍କୁ। ବିଧାୟକ ଶ୍ରୀ ସିଂହଦେଓ ଅସନ୍ତୋଷ ପ୍ରକାଶ କରି କହିଥିଲେ ଯେ, ବିଜେପିର ନେତା ଓ କର୍ମୀଙ୍କୁ ଗିରଫ କରିବା ପରେ ପୁଣି ଡାକିବାର ଲାଭ କ’ଣ। ତେଣୁ ବିଧାୟକ ଶ୍ରୀ ସିଂହଦେଓ ଦୂରେଇ ରହିଥିବା ବିଜେପି ପ୍ରବକ୍ତା ପ୍ରଭାସ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର