ଓଡ଼ିଶାରୁ ହଜ୍‌ ଯିବେ ୮୦୦ ଯାତ୍ରୀ

ପୋଖରୀପୁଟରେ ହେବ ହଜ୍‌ ଗୃହ, ପଡ଼ିଲା ଭିତ୍ତିପ୍ରସ୍ତର

ଖର୍ଚ୍ଚ ହେବ ୨.୩୮ କୋଟି, ଦେଢ଼ବର୍ଷରେ ସରିବ

ଭୁବନେଶ୍ୱର : ସଂଖ୍ୟାଲଘୁଙ୍କ ଲାଗି ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ଦୀର୍ଘ ବର୍ଷର ଦାବି ପରେ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଯାଉଛି ହଜ୍‌ ଗୃହ। ମକ୍କା, ମଦିନା ଯାଉଥିବା ଓଡ଼ିଶାର ହଜ୍‌ ଯାତ୍ରୀଙ୍କ ରହିବା ଲାଗି ଭୁବନେଶ୍ୱରର ପୋଖରୀପୁଟରେ ପ୍ରତିଷ୍ଠା ହେବ ହଜ୍‌ ଗୃହ। ୪ ମହଲା ବିଶିଷ୍ଟ ଏହି କୋଠାରେ ଓଡ଼ିଶାର ଯାତ୍ରୀମାନେ ରହିବା ସହ ଏଠାରୁ ଯାତ୍ରା କରିପାରିବେ। ୨ କୋଟି ୩୮ ଲକ୍ଷ ୮୪ ହଜାର ଟଙ୍କାରେ ନିର୍ମାଣ ହେବାକୁ ଥିବା ଏହି ଗୃହ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ମୁସଲମାନ ଭାଇମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ଲାଗି ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏଥିସହ ପୂର୍ବରୁ ଓଡ଼ିଶାରୁ ୬୦୦ ଯାତ୍ରୀ ହଜ୍‌ ଯାଉଥିବା ବେଳେ ଏବେ ଏହି ସଂଖ୍ୟାକୁ ୮୦୦କୁ ବୃଦ୍ଧି କରାଯାଇଛି। ୪ ମହଲା ବିଶିଷ୍ଟ ଏହି କୋଠାରେ ଉଭୟ ମହିଳା ଏବଂ ପୁରୁଷ ଯାତ୍ରୀଙ୍କ ରହିବା ଲାଗି ସୁବିଧା କରାଯିବ। ତଳ ମହଲାରେ ପାର୍କିଂ ବ୍ୟବସ୍ଥା ହେବ। ପ୍ରଥମ ମହଲାରେ କାର୍ଯ୍ୟାଳୟ, ଦ୍ୱିତୀୟ ମହଲାରେ ମହିଳା ଓ ପୁରୁଷ ଯାତ୍ରୀଙ୍କ ରହିବା ଲାଗି ବ୍ୟବସ୍ଥା ହେବାକୁ ଥିବା ବେଳେ ତୃତୀୟ ମହଲାରେ କେବଳ ପୁରୁଷ ଏବଂ ୪ର୍ଥ ମହଲାରେ କେବଳ ମହିଳା ଯାତ୍ରୀଙ୍କ ଲାଗି ବ୍ୟବସ୍ଥା କରାଯିବ। ୧୫୦୦ ପର୍ଯ୍ୟନ୍ତ ଯାତ୍ରୀ ଏଠାରେ ରହିବାର ସୁବିଧା ହେବ। ଦେଢ଼ ବର୍ଷ ମଧ୍ୟରେ ଏହାର ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ମୁନ୍ନା ଖାଁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ, ଓଡ଼ିଶାର ହଜ୍‌ ହାଉସ ନ ଥିବାରୁ ଯାତ୍ରୀମାନେ କଲିକତା ଯାଉଥିଲେ। ସେଠାରୁ ହଜ୍‌ ଯାତ୍ରା କରୁଥିଲେ। ଏବେ ଆଉ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନି। ପୂର୍ବରୁ ୬୦୦ ଯାତ୍ରୀ ହଜ୍‌ ଯାଉଥିବା ବେଳେ ଏବେ ଏହି ସଂଖ୍ୟାକୁ ୮୦୦କୁ ବୃଦ୍ଧି କରାଯାଇଛି। ଯଦି ଆବଶ୍ୟକ ହୁଏ ତେବେ ଆହୁରି ହଜ୍‌ ହାଉସ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଆୟୁବ ଖାଁ, ବିଏମ୍‌ସି ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଏକ ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ।

ସମ୍ବନ୍ଧିତ ଖବର