ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର କାଏମ୍‌

ଆପତ୍ତି ଉଠାଇଲେ ବିଜେପି ପ୍ରାର୍ଥୀ, ପ୍ରାର୍ଥିପତ୍ର ଖାରଜ ପାଇଁ ଅଭିଯୋଗ

ବ୍ରହ୍ମପୁର/ଛତ୍ରପୁର : ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଦାଖଲ ହୋଇଥିବା ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ଗଞ୍ଜାମ ଜିଲ୍ଲାର ଆସିକା ସଂସଦୀୟ ‌କ୍ଷେତ୍ର ଅଧୀନସ୍ଥ ହିଞ୍ଜିଳି ବିଧାନସଭା‌ ଆସନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଖଲ କରିଥିବା ପ୍ରାର୍ଥିପତ୍ର ଆଜି ଯାଞ୍ଚ ପରେ କାଏମ ରହିଥିବା ହିଞ୍ଜିଳି ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ‌ଘୋଷଣା କରିଛନ୍ତି। ତେବେ ପ୍ରାର୍ଥିପତ୍ର ଯାଞ୍ଚ ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିତ୍ବ ବିରୋଧରେ ୨ଟି ଆପତ୍ତି ଉଠାଇଛନ୍ତି ତାଙ୍କ ସହ ପ୍ରତିଦ୍ବନ୍ଦ୍ବିତାରେ ଥିବା ହିଞ୍ଜିଳି ବିଜେପି ପ୍ରାର୍ଥୀ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ।

ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ଳିଖିତ ଅଭି‌ଯୋଗ ଦାଖଲ କରି ସେ ଦର୍ଶାଇଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରାର୍ଥିପତ୍ର ଦାଖଲ ବେଳେ ଯେଉଁ ସତ୍ୟପାଠ ଦାଖଲ କରିଛନ୍ତି ସେଥିରେ ଯେଉଁଠି ଦସ୍ତଖତ ହେବା କଥା ତାହା କରିନାହାନ୍ତି। ବହୁଚର୍ଚ୍ଚିତ କୋଇଲା ଦୁର୍ନୀତିରେ ସିବିଆଇ ମାମଲା ରୁଜ୍ଜୁ ସମ୍ପର୍କରେ ଉଲ୍ଲେଖ କରିନାହାନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଖାରଜ କରିବା ଲାଗି ସେ ନିବେଦନ କରିଥିଲେ। ରିଟର୍ଣ୍ଣିଂ ଅଫିସର ପ୍ରାର୍ଥିପତ୍ର ଯାଞ୍ଚ କରିବା ସହ ଅଭିଯୋଗର ତର୍ଜମା କରିଥିଲେ। ଅଭି‌ଯୋଗକୁ ଖାରଜ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥିପତ୍ରକୁ କାଏମ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ଓକିଲ ବି.ଶ୍ରୀନିବାସ ରାଓ ଯାଞ୍ଚ ବେଳେ ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନିଜଆଡୁ ଆବଶ୍ୟକ ଯୁକ୍ତି ଉପସ୍ଥାପନ କରିଥିଲେ। ସେ ଗଣାମଧ୍ୟମକୁ କହିଛନ୍ତି ଯେ, ପୀତାମ୍ବର ଯେଉଁ ଅଭି‌ଯୋଗ ଆଣିଛନ୍ତି ସେଥିରେ କୌଣସି ଯଥାର୍ଥତା ନାହିଁ।

ସମ୍ବନ୍ଧିତ ଖବର