ଭୁବନେଶ୍ୱର : ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନୀତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନାହାନ୍ତି। ଏହାକୁ ନେଇ ରାଜ୍ୟରେ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍ ଧରିଛି। ଉଭୟ କଂଗ୍ରେସ ଓ ବିଜେପି ନବୀନଙ୍କ ଏହି ଆଭିମୁଖ୍ୟକୁ ବିରୋଧ କରିଛନ୍ତି। କିନ୍ତୁ ବିଜେଡି ଏହାକୁ ଯଥାର୍ଥ ବୋଲି ଯୁକ୍ତି ଦର୍ଶାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ନୀତି ଆୟୋଗ ବୈଠକକୁ ନବୀନ ବାବୁ ନ ଯିବାଟା କ’ଣ ଠିକ୍ ହେଲା ? ଯଦି ନ ଯିବେ, ତେବେ କେଉଁ ଫୋରମ୍ରେ ସେ ଓଡ଼ିଶାର ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବେ ? ଗତ ବର୍ଷ ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀ ଯାଇଥିଲେ। ବର୍ଷକ ଭିତରେ ଏମିତି କ’ଣ ହେଲା ଯେ ବୈଠକକୁ ଗଲେନି ? କାଲି କ’ଣ ନବୀନ ବାବୁ ତାଙ୍କ ସାଂସଦମାନଙ୍କୁ କହିବେ କି ଆଉ ସଂସଦ ଯାଅନି ? ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ବିଜେପି ବିରେଧୀ ହୋଇ ସେ ଗଲେ। ମୁଖ୍ୟମନ୍ତ୍ରୀଙ୍କ ନୀତି କ’ଣ, ତାହା ସ୍ପଷ୍ଟ ହେଉନି। ବିଜେପି ଯେଉଁ ଆଇନ୍ ଆଣୁଛି, ବିଜେଡି ତାହାକୁ ସମର୍ଥନ କରୁଛି। କିନ୍ତୁ ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀ ଯିବାକୁ ଉଚିତ ମଣୁ ନାହାନ୍ତି। ସମ୍ଭବତଃ ଓଡ଼ିଶର ସମସ୍ୟାକୁ ଠିକ୍ ଫୋରମ୍ରେ କହିବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତୁତ ନାହାନ୍ତି।
କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍ ଓରାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସାମ୍ବିଧାନିକ ଦାୟିତ୍ୱ ଭୁଲିଯାଉଛନ୍ତି। ସେ କେବଳ ଦଳୀୟ ଦାୟିତ୍ୱରେ ମନନିବେଶ କରୁଛନ୍ତି। ଏହା ଓଡ଼ିଶା ପାଇଁ ଶୁଭଙ୍କର ନୁହେଁ। ନୀତି ଆୟୋଗ, ଆୟୁଷ୍ମାନ ଓ ଆକାଂକ୍ଷା ଯୋଜନାକୁ ବୟକଟ୍ କରି ମୁଖ୍ୟମନ୍ତ୍ରୀ କେଉଁ ଭାଷା କହୁଛନ୍ତି ? ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଅରାଜକତା ଆଡ଼କୁ ନେଉଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବୈଠକରେ ଯୋଗ ନ ଦେବା ଦୁର୍ଭାଗ୍ୟଜନକ। ନୀତି ଆୟୋଗ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଏ। ସେଠାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରଭାବୀ ଢଙ୍ଗରେ ନିଜ ରାଜ୍ୟର ମତ ଉପସ୍ଥାପନ କରି ଦାବି ହାସଲ କରିବା ପାଇଁ ସୁଯୋଗ ଥାଏ। କିନ୍ତୁ ମୁଖ୍ୟମନ୍ତ୍ରୀ ସେହି ସୁଯୋଗକୁ ହାତଛଡ଼ା କରିଛନ୍ତି।
ତେବେ ବିରୋଧୀଙ୍କ ଯୁକ୍ତିକୁ ବିଜେଡି ଗ୍ରହଣ କରିନାହିଁ। ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ନୀତି ଆୟୋଗ ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ। ଅତୀତରେ ବି ନୀତି ଆୟୋଗ ବୈଠକକୁ ମୁଖ୍ୟମନ୍ତ୍ରୀ ଯାଇ ନାହାନ୍ତି। ନୀତି ଆୟୋଗକୁ ଯିବା ପାଇଁ ମୁଖ୍ୟମନ୍ତ୍ରୀ ବାଧ୍ୟ ବୋଲି ସମ୍ବିଧାନରେ ଲେଖାଯାଇ ନାହିଁ। ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ମୁଖ୍ୟମନ୍ତ୍ରୀ ଯାଇ ପାରି ନାହାନ୍ତି। କିନ୍ତୁ ବୈଠକ ପାଇଁ ଯେଉଁ ଏଜେଣ୍ଡା ଆସିଥିଲା, ସେହି ଅନୁଯାୟୀ ଓଡ଼ିଶା ପକ୍ଷରୁ ରାଜ୍ୟର ମତକୁ ସ୍ପଷ୍ଟ ଭାବେ ଲିଖିତ ଆକାରରେ ଦିଆଯାଇଛି। ବୈଠକରେ ତାହା ଉପସ୍ଥାପନ କରାଯାଇଛି।