ଆନ୍ଦୋଳନକାରୀଙ୍କୁ ଚକ୍‌ମା : ରୁଟ୍‌ ବଦଳାଇ ବିଧାନସଭାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ‘ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭା ଛାଡିବୁ ନାହିଁ। ଯେମିତି ହେଲେ ବି ୧୦ ମିନିଟ ପାଇଁ ଅଟକାଇ ଆମ ଦାବି ସମ୍ପର୍କରେ ଅବଗତ କରାଇବୁ’- ଏଭଳି ଜିଦ୍‌ରେ ଆଜି କଂଗ୍ରେସର ଦଳର ବରିଷ୍ଠ ନେତମାନେ ଏଜି ଛକ ଅବରୋଧ କରି ରଖିଥିଲେ। ତେବେ ବିଧାନସଭା ଚାଲୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଭାବେ ସେଠାରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। ତେବେ କ’ଣ କରାଯିବ ? ମୁଖ୍ୟମନ୍ତ୍ରୀ କେମିିତି ବିଧାନସଭାରେ ପହଞ୍ଚିବେ ଏହାକୁ ନେଇ କମିସନରେଟ ପୁଲିସ, ଗୁଇନ୍ଦା ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌ ଇନ-ଚାର୍ଜଙ୍କ ମଧ୍ୟରେ ନବୀନ ନିବାସରେ ବୈଠକ ବସିଥିଲା। ଯୋଜନା ମୁତାବକ, କାର୍‌କେଡ୍‌ ଇନଚାର୍ଜ ଡିସିପି ସିକ୍ୟୁରିଟି ନିର୍ମଳ ଶତପଥୀ ଏଜି ଛକରେ ପହଞ୍ଚିଲେ। କଂଗ୍ରେସର ବରିଷ୍ଠ ଅଧିକାରୀମାନଙ୍କୁ ବୁଝାସୁଝା କଲେ। କହିଥିଲେ ଦୟା କରି ୧୦ ମିନିଟ୍‌ ପାଇଁ ରାସ୍ତା ଅବରୋଧରୁ ହଟି ଯିବାକୁ। କିନ୍ତୁ କଂଗ୍ରେସର ବରିଷ୍ଠ ନେତମାନେ ଗୋଟିଏ ଜିଦ୍‌ରେ ଥିଲେ ମୁଖ୍ୟମନ୍ତ୍ରୀ ୧୦ ମିନିଟ୍‌ ପାଇଁ ଏଜି ଛକରେ ଅଟକିବେ। କଂଗ୍ରେସ ନେତାଙ୍କ କଥାରେ ରାଜି ହୋଇ ଡିସିପି ଶ୍ରୀ ଶତପଥୀ ନବୀନ ନିବାସ ଫେରିଥିଲେ। ସେଠାରେ କ’ଣ ନିଷ୍ପତ୍ତି ନିଆ ଗଲା କିଛି କୁହାଗଲା ନାହିଁ। ମୁଖ୍ୟମନ୍ତ୍ରୀ ସିଧା ନବୀନନିବାସରୁ ବାହାରି ସୁର କମ୍ପାନି ଛକ, ସେଠାରୁ ଗଙ୍ଗନଗର, ରାଜଭବନ ଛକ, ସେଠାରୁ ପାଓ୍ଵାରହାଉସ, ୧୨୦ ବାଟାଲିଅନ୍‌, ସେଠାରୁ ସିଧା ବିଧାନସଭା ଗେଟରେ ପ୍ରବେଶ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ଆନ୍ଦୋଳନକାରୀଙ୍କୁ ଏଭଳି ଚକ୍‌ମା ଦେବା ଆଜି ଚର୍ଚାର ବିଷୟ ଥିଲା।

ସମ୍ବନ୍ଧିତ ଖବର