ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ବି ନବୀନ

ଭୁବନେଶ୍ୱର : ରବିବାର ରାଷ୍ଟ୍ରପତି ଭବନରେ ନିତି ଆୟୋଗ ପରିଚାଳନା ପରିଷଦର ୪ର୍ଥ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଯୋଗଦାନ କରିନାହାନ୍ତି। ଗତ ୧୬ ତାରିଖରେ ସେ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଏକ ପତ୍ର ମାଧ୍ୟମରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକୁ ଉପସ୍ଥାପିତ କରିଥିବା କୁହାଯାଇଥିଲା। ଆଜି ଏହି ଚିଠି ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ପତ୍ର ଗଣମାଧ୍ୟମକୁ ଦେଇଛନ୍ତି। ଏଥିରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଛନ୍ତି ନବୀନ। ଆନ୍ଧ୍ର ପ୍ରଦେଶ, ବିହାର ସରକାର ମଧ୍ୟ ଅନୁରୂପ ଦାବି ରଖିଥିଲେ। ଏହା ବ୍ୟତୀତ କୃଷି କ୍ଷେତ୍ରର ବିକାଶ, ଚାଷୀଙ୍କ ଆୟ ବୃଦ୍ଧି ସଂପର୍କରେ ମଧ୍ୟ ନବୀନ ଗୁରୁତ୍ୱାରୋପ କରିଛନ୍ତି। ‘ଆୟୁଷ୍ମାନ ଭାରତ’ ଯୋଜନାର କାର୍ଯ୍ୟାନ୍ଵୟନ ବଦଳରେ ରାଜ୍ୟ ସରକାର ଘୋଷଣା କରିଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନା ସଂପର୍କରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ପାହ୍ୟା ମାନ୍ୟତା ମିଳୁ ବୋଲି ଦୀର୍ଘଦିନର ଦାବି ଦୋହରାଇଛନ୍ତି। କହିଛନ୍ତି, ଏହି ରାଜ୍ୟରେ ଜନସଂଖ୍ୟାର ବଡ଼ ଭାଗ ହେଉଛନ୍ତି ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକେ। କେବଳ ସେତିକି ନୁହେଁ, ରାଜ୍ୟ ବାରମ୍ବାର ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଛି। ଏହି ଦୃଷ୍ଟିରୁ ସ୍ୱତନ୍ତ୍ର ଶ୍ରେଣୀର ରାଜ୍ୟ ପାହ୍ୟା ପାଇବାକୁ ଓଡ଼ିଶା ଯୋଗ୍ୟ। ଏହି ମାନ୍ୟତା ମିଳିଲେ, ଉତ୍ତର ପୂର୍ବ ତଥା ହିମାଳୟ ପର୍ବତମାଳା ରାଜ୍ୟଗୁଡ଼ିକ ଭଳି ରାଜ୍ୟରେ କେନ୍ଦ୍ରୀୟ ପ୍ରବର୍ତିତ ଯୋଜନାଗୁଡ଼ିକରେ କେନ୍ଦ୍ରୀୟ ସହାୟତା ଅନୁପାତ ବୃଦ୍ଧି ପାଇବ। ଫଳରେ ରାଜ୍ୟରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ଵିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

କେନ୍ଦ୍ରୀୟ ବଜେଟ୍‌ରେ ଶସ୍ୟଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଦେଢ଼ଗୁଣ ବୃଦ୍ଧି କରିବାକୁ ଯେଉଁ ଘୋଷଣା କରାଯାଇଛି, ମୁଖ୍ୟମନ୍ତ୍ରୀ ତା’କୁ ସ୍ୱାଗତ କରିଛନ୍ତି। ତାଙ୍କ ମତରେ ଫସଲର ଉତ୍ପାଦନ ମୂଲ୍ୟ ଆକଳନ ବେଳେ ଚାଷୀଙ୍କ ପ୍ରକୃତ ଉତ୍ପାଦନ ଖର୍ଚକୁ ବିଚାରକୁ ନିଆଯିବା ଉଚିତ। ଏ ନେଇ କିପରି ନିୟମାବଳୀ ପ୍ରସ୍ତୁତ ହେଉଛି ସେ ନେଇ ସମସ୍ତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଥିବା ସେ ପ୍ରକାଶ କରିଛନ୍ତି। ସେହିପରି ଚାଷୀଙ୍କୁ ବିଭିନ୍ନ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ ଜାତୀୟ ସ୍ତରରେ ଋଣଛାଡ଼ ନୀତି ପ୍ରସ୍ତୁତ ହେବା କଥା। ଏ ଦିଗରେ କେନ୍ଦ୍ର ସରକାରଙ୍କ ପ୍ରୟାସକୁ ସମର୍ଥନ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।

କୃଷି ପାଇଁ ଋଣ ଗ୍ୟାରେଣ୍ଟି ଟ୍ରଷ୍ଟ(ସିଜିଟିଏ) ସୃଷ୍ଟି କରିବାକୁ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି। ଏଭଳି ବନ୍ଧକମୁକ୍ତ ଋଣ ବ୍ୟବସ୍ଥାରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଏବଂ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପ୍ରଦାନ ପ୍ରସ୍ତାବକୁ ବିଚାର କରିବାକୁ ଶ୍ରୀ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କୃଷି କ୍ଷେତ୍ରରେ ବିକାଶ ପାଇଁ ସ୍ୱାମିନାଥନ୍‌ କମିଟି ସୁପାରିସଗୁଡ଼ିକୁ ଯଥାଶୀଘ୍ର ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା(ଏନ୍‌ଏଚ୍‌ପିଏସ୍‌) ବା ଆୟୁଷ୍ମାନ ଭାରତକୁ ମୁଖ୍ୟମନ୍ତ୍ରୀ ସ୍ୱାଗତ କରିଛନ୍ତି। କହିଛନ୍ତି ଯେ ସ୍ୱାସ୍ଥ୍ୟ ସେବାକୁ ସାର୍ବଜନୀନ ନକଲେ, ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼େଇ କରିହେବନାହିଁ। ତାଙ୍କ ମତରେ ସ୍ୱାସ୍ଥ୍ୟସେବାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରୟାସ ରହିବା ଉଚିତ। ହେଲେ ପ୍ରତିବାଦ ଜଣାଇ ଲେଖିଛନ୍ତି ଯେ ସାମାଜିକ-ଅର୍ଥନୈତିକ-ଜାତି-ଜନସଂଖ୍ୟା(ଏସ୍‌ଇସିସି) ତଥ୍ୟ ଉପରେ ଏନ୍‌ଏଚ୍‌ପିସି ନିର୍ଭର କଲେ, ଏହା ଯୋଜନାର ସୁଫଳ ହାସଲ ଦିଗରେ ବାଧା ସୃଷ୍ଟି କରିବ। ଏହି ପରିପ୍ରେକ୍ଷୀରେ ମମତା, ଗ୍ରାମ୍ୟ ଗୃହ ନିର୍ମାଣ, ବାର୍ଧକ୍ୟ ଭତ୍ତା, ଏପରି କି ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଆଦି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ରାଜ୍ୟ ସରକାର ଏସ୍‌ଇସିସି ତଥ୍ୟ ବ୍ୟବହାର କରିନଥିବା ସେ ଦର୍ଶାଇଛନ୍ତିି। ଯଦି ଏହି ତଥ୍ୟ ଗ୍ରହଣ କରି ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ କରାଯାଏ, ତେବେ ରାଜ୍ୟର ପ୍ରାୟ ୮ ଲକ୍ଷ ପରିବାର ବା ୪୦ ଲକ୍ଷ ବ୍ୟକ୍ତି ସ୍ୱାସ୍ଥ୍ୟ ସହାୟତା ଯୋଜନାରୁ ବାଦ୍‌ ପଡ଼ିବେ। ଏ ନେଇ ରାଜ୍ୟ ସରକାର ଉଦ୍‌ବେଗ ପ୍ରକାଶ କରିଥିଲେ ହେଁ ସଂପୃକ୍ତ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଏସ୍‌ଇସିସି ବାହାରକୁ ଯାଇହେବ ନାହିଁ ରୋକ୍‌ଠୋକ୍‌ ଭାବେ କହିଥିଲେ। ରାଜ୍ୟ ସରକାର ପ୍ରାୟ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଯୋଜନା ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି। ଏହି ଯୋଜନା ରାଜ୍ୟର ପ୍ରାୟ ୭୦ ଲକ୍ଷ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ। ଏହା ସତ୍ତ୍ୱେ ଯଦି ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କରାଯାଏ, ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ ହେବା ପାଇଁ ଓଡ଼ିଶା ବିଚାର କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତିି।

ସମ୍ବନ୍ଧିତ ଖବର