ଜାତୀୟ କ୍ରୀଡ଼ା ମାନ୍ୟତା ପାଇଁ ମୋଦୀଙ୍କୁ ନବୀନଙ୍କ ଚିଠି : ହକି ପାଇନି ହକ୍‌

ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଁ ଦାବି ଜଣାଇଲେ, ସୋସିଆଲ ମିଡ଼ିଆ ଓ ଜାତୀୟ ରାଜନୀତିରେ ପ୍ରଶଂସା

ଭୁବନେଶ୍ୱର : ଦୀର୍ଘ ବର୍ଷ ଧରି ଗୋଟିଏ ଧାରଣା ଥିଲା ଯେ ହକି ହେଉଛି ଦେଶର ଜାତୀୟ କ୍ରୀଡ଼ା। ଏକଥା ବିଭିନ୍ନ ସ୍ଥାନରେ ମଧ୍ୟ ଉଲ୍ଲେଖ ରହିଛି। ହେଲେ ଏ ସଂକ୍ରାନ୍ତରେ ଏକ ଚାଞ୍ଚଲ୍ୟକର କଥା ବିଳମ୍ବରେ ହେଲେ ମଧ୍ୟ ପଦାକୁ ଆସିଛି। ହକିକୁ ଆଜି ପର୍ଯ୍ୟନ୍ତ ସରକାରୀ ଭାବେ ଜାତୀୟ କ୍ରୀଡ଼ାର ମାନ୍ୟତା ମିଳିନାହିଁ। ଆଗକୁ ଓଡିଶାରେ ହକି ବିଶ୍ୱକପ୍‌ ହେବାକୁ ଥିବାବେଳେ ଏଭଳି ଏକ ସାଂଘାତିକ ସତକୁ ପୁଣି ଥରେ ସାମ୍ନାକୁ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେବଳ ସେତିକି ନୁହେଁ, ହକିକୁ ଜାତୀୟ କ୍ରୀଡ଼ା ଭାବେ ବିଧିବଦ୍ଧ ମାନ୍ୟତା ଦେବା ଲାଗି ମଧ୍ୟ ମୁଖ୍ୟମନ୍ତ୍ରୀ ଅଣ୍ଟା ଭିଡିଛନ୍ତି।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏ ସଂକ୍ରାନ୍ତରେ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟନ୍ତ କାହିଁକି ହକିକୁ ଜାତୀୟ କ୍ରୀଡା ମାନ୍ୟତା ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ, ସେ ନେଇ ସେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କର ଏହି ଚିଠି ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ସୋସିଆଲ ମିଡ଼ିଆରେ ମଧ୍ୟ ଏହାକୁ ପ୍ରବଳ ଜନସମର୍ଥନ ମିଳୁଛି। ଦେଶର ଅଧିକାଂଶ ଲୋକ ହକିକୁ ଜାତୀୟ କ୍ରୀଡ଼ା ଭାବେ ଘୋଷଣା କରିବାକୁ ନବୀନଙ୍କ ମତ ସହ ସ୍ୱର ମିଳାଇଛନ୍ତି। ନବୀନଙ୍କ ହକି ପ୍ରେମକୁ ମଧ୍ୟ ଦେଶବାସୀ ବେଶ୍‌ ପସନ୍ଦ କରିଛନ୍ତି। ହକିର ଉନ୍ନତି ପାଇଁ ନବୀନଙ୍କ ଉଦ୍ୟମ ବାସ୍ତବରେ ପ୍ରଂଶସାଯୋଗ୍ୟ ବୋଲି ଅନେକ ସୋସିଆଲ ମିଡ଼ିଆରେ ଉଲ୍ଲେଖ କରିବାକୁ ପଛାଇ ନାହାନ୍ତି।

ହକିକୁ ଜାତୀୟ କ୍ରୀଡ଼ା ବୋଲି କୁହାଯାଉଥିଲେ ହେଁ, ଏ ସଂକ୍ରାନ୍ତରେ ସରକାରୀସ୍ତରରେ କିଛି ବି ବିଜ୍ଞପ୍ତି ପ୍ରକାଶ ପାଇନଥିବା ସଂକ୍ରାନ୍ତରେ ୨୦୧୨ ମସିହାରେ ପ୍ରଥମେ ସାମ୍ନାକୁ ଆସିଥିଲା। ଐଶ୍ୱର୍ଯ୍ୟା ପରାସର ନାମକ ଜଣେ ୧୦ବର୍ଷୀୟା ଛାତ୍ରୀ ସୂଚନା ଅଧିକାରୀ ଆଇନ ବଳରେ ଏକଥା ଜାଣିପାରିଥିଲେ। ସେ ସମୟରେ (୨୦୧୨) କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଏସ୍‌ପିଏସ୍‌ ତୋମାର ଏହାକୁ ସ୍ୱୀକାର କରିଥିଲେ।

ଚଳିତବର୍ଷ ଓଡ଼ିଶାରେ ହକି ବିଶ୍ୱ କପ୍‌ ଖେଳାଯାଉଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠିର ପ୍ରାସଙ୍ଗିକତା ବହୁଗୁଣିତ ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ଯଦି କୌଣସି ଦେଶ ସ୍ୱର୍ଣ୍ଣ ପଦକ ବିଜୟୀ ହୁଏ , ତାହା ଦେଶ ପାଇଁ ନିଶ୍ଚିତ ଏକ ଗର୍ବର ମୁହୂର୍ତ। ବିଶେଷକରି ବିଶ୍ୱ ଦରବାରରେ ଯେତେବେଳେ ଦେଶର ଜାତୀୟ ପତାକା ସହ ଜାତୀୟ ସଂଗୀତ ଗୁଞ୍ଜରିତ ହୁଏ, ସେତେବେଳେ ଦେଶବାସୀ ଗୌରାବାନ୍ଵିତ ଅନୁଭବ କରିଥାନ୍ତି।

୧୯୪୮ ମସିହାରେ ଏକ ନୂଆ କରି ସ୍ୱାଧୀନ ହୋଇଥିବା ଦେଶ ଲଣ୍ଡନରେ ହକି ପାଇଁ ସ୍ୱର୍ଣ୍ଣ ବିଜୟୀ ହୋଇ ଦେଶକୁ ମହିମାନ୍ଵିତ କରିଥିଲା। ଭାରତର ହକି ଦଳ ସେହିବର୍ଷ ଲଣ୍ଡନ ଅଲମ୍ପିକ୍ସରେ ଗ୍ରେଟ୍‌ ବ୍ରିଟେନ୍‌କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ୩୩ କୋଟିର ଦେଶ ପାଇଁ ଏହା କମ୍‌ ଆନନ୍ଦଦାୟକ ନ ଥିଲା। ଅବଶ୍ୟ ୧୯୪୭ ମସିହା ପୂର୍ବରୁ ଗ୍ରେଟ୍‌ ବିଟ୍ରେନ୍‌ ଭାରତ ବିରୋଧରେ ଖେଳିବା ଲାଗି ଚାହୁଁନଥିଲା। ୧୯୮୦ ମସିହା ପର୍ଯ୍ୟନ୍ତ ଭାରତ ତାର ଉତ୍ତମ ପ୍ରଦର୍ଶନ ଦ୍ୱାରା ଏ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରି ପାରିଥିଲା। ସେବେଠାରୁ କୋଟି କୋଟି ଭାରତୀୟଙ୍କ ଆତ୍ମାରେ ହକି ଖେଳ ସ୍ୱତନ୍ତ୍ର ସ୍ଥାନ ଦଖଲ କରିଛି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଯେ କୌଣସି ସମାଜ ହେଉ କିମ୍ବା କ୍ଷେତ୍ର, ଗ୍ରାମାଞ୍ଚଳ ଅଥବା ସହରାଞ୍ଚଳ ହକିର ଲୋକପ୍ରୟିତା ସବୁ ସ୍ତରରେ ରହିଛି। ବିଶେଷ କରି ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ଝାଡଖଣ୍ଡ ଓ ଛତିଶଗଡ ପାଇଁ ହକି ଏକ ବଞ୍ଚିବାର ରାହା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏମିତିରେ ବି ଓଡ଼ିଶା ରାଜ୍ୟ ଆସନ୍ତା ପାଞ୍ଚବର୍ଷ ପାଇଁ ହକିର ପ୍ରାୟୋଜକ ଅଛନ୍ତି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଆପଣ ନିଶ୍ଚିତ ଅବଗତ ଥିବେ ଆଗାମୀ ହକି ବିଶ୍ୱ କପ୍‌ ନଭେମ୍ବର ମାସରେ ଓଡିଶାରେ ଆୟୋଜିତ ହେବାକୁ ଯାଉଛି। କିନ୍ତୁ ଏହାର ପ୍ରସ୍ତୁତି ସମୀକ୍ଷା କରିବା ସମୟରେ ମୁଁ ଜାଣି ଆଶ୍ଚର୍ଯ୍ୟ ହେଲି, ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। ମୁଁ ନିଶ୍ଚିତ, ଆପଣ ମଧ୍ୟ ଦେଶର କୋଟି କୋଟି ହକିକୁ ଭଲ ପାଉଥିବା ବ୍ୟକ୍ତିଙ୍କ ଆବେଗ ସହିତ ସହମତ ହେବେ ଯେ ଏହି ଲୋକପ୍ରିୟ ଖେଳକୁ ଜାତୀୟ ଖେଳର ମାନ୍ୟତା ଦିଆଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଦରକାର। ଏହା ଦେଶର ସେହି ପ୍ରତିଷ୍ଠିତ ହକି ଖେଳାଳି, ଯେଉଁମାନେ ଆମ ଦେଶକୁ ଗର୍ବିତ କରିଛନ୍ତି ସେମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ଓ ଦେଶର ହକି ଖେଳାଳି ମଧ୍ୟ ଉତ୍ସାହିତ ହେବେ। କେବଳ ସେତିକି ନୁହେଁ, ଆଗାମୀ ପିିଢି ପାଇଁ ଏହା ନିଶ୍ଚିତ ପ୍ରେରଣାଦାୟକ ହେବ।

ଏଠାରେ ଉଲ୍ଲେଖଥାଉକି, ଭୁବନେଶ୍ୱରକୁ ଦେଶର ସ୍ପୋର୍ଟସ କ୍ୟାପିଟାଲର ମାନ୍ୟତା ଦେବା ଲାଗି ରାଜ୍ୟ ସରକାର ପ୍ରୟାସ ଚଳାଇଛନ୍ତି। ନିକଟରେ ବ୍ୟାଡ଼ମିଣ୍ଟନ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇ ଚର୍ଚ୍ଚାକୁ ଆସିଥିଲେ ନବୀନ। ସେହିଭଳି ହକି ପ୍ରତି ତାଙ୍କର ପ୍ରତିବଦ୍ଧତା ମଧ୍ୟ ଏକାଧିକବାର ଦେଖିବାକୁ ମିଳିଲାଣି। ଯେତେବେଳେ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକ ବିଶ୍ୱ ହକି ଲିଗ୍‌ ଓ ଚାମ୍ପିୟନ୍‌ସ ଟ୍ରଫି ଭଳି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପଛଘୁଞ୍ଚା ଦେଇଥିଲେ, ସେତେବେଳେ ଏହି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଓଡ଼ିଶା ସମ୍ମତି ପ୍ରକାଶ କରିଥିଲା। ଖୁବ୍‌ କମ୍‌ ସମୟ ମଧ୍ୟରେ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରି ଲୋକପ୍ରିୟତା ସାଉଁଟିଥିଲା ଓଡ଼ିଶା। ସେହିଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ସହ ଉଭୟ ମହିଳା ଓ ପୁରୁଷ ହକି ଦଳର ପ୍ରାୟୋଜକ ହୋଇଛି ଓଡ଼ିଶା, ଯାହା ପୂର୍ବରୁ କେବେ କୌଣସି ରାଜ୍ୟ କରିନଥିଲେ।

ସମ୍ବନ୍ଧିତ ଖବର