ବର୍ଷା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ଜଳ ନିଷ୍କାସନକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର : ଭୀଷଣ ବର୍ଷା ଯୋଗୁଁ ରାଜ୍ୟରେ ସୃଷ୍ଟି ହୋଇଥିବା ଅଭାବନୀୟ ସ୍ଥିତି ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଜରୁରୀ ବୈଠକରେ ସମୀକ୍ଷା କରିଥିଲେ। ସବୁ ଜିଲ୍ଲାରେ କଣ୍ଟ୍ରୋଲ୍‌ ରୁମ୍‌କୁ ୨୪ ଘଣ୍ଟା ଖୋଲା ରଖିବା ସହ ସବୁ ପ୍ରମୁଖ ନଦୀର ଜଳସ୍ତର ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବିଶେଷ କରି ସହରାଞ୍ଚଳର ବିଭିନ୍ନ ସ୍ଥାନ ଜଳମଗ୍ନ ହେଉଥିବାରୁ ଉଚ୍ଚ ଶକ୍ତିସମ୍ପନ୍ନ ପମ୍ପ ବ୍ୟବହାର କରି ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନଗର ଉନ୍ନୟନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକସ୍ଥଳେ ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ସେ କହିଥିଲେ।

ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରାଫ୍‌ ଓ ଅଗ୍ନିଶମ ସେବା ୟୁନିଟ୍‌ଗୁଡ଼ିକୁ ସଜାଗ କରି ରଖିବା ସହିତ ଭୁବନେଶ୍ୱର-କଟକର ମହାନଗର ନିଗମ ଅଞ୍ଚଳରେ ଆବଶ୍ୟକ ସ୍ଥଳେ ରିଲିଫ୍‌ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଆବଶ୍ୟକତାକୁ ଆଖିରେ ରଖି ମେଡିକାଲ୍‌ ଟିମ୍‌ ମଧ୍ୟ ପ୍ରସ୍ତୁତ କରି ରଖିବାକୁ ସେ ପରାମର୍ଶ ଦେଇଥିଲେ। ବୈଠକରେ ଦିଆଯାଇଥିବା ସୂଚନା ଅନୁଯାୟୀ ୩ଟି ଜିଲ୍ଲା ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ାକୁ ବାଦ୍‌ ଦେଇ ବାକି ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଅଧିକ ବର୍ଷା ହୋଇଛି। ମାଲକାନଗିରି, କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ହୋଇ କିଛି ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ମାଲକାନଗିରିରେ ଦୁଇଟି ଓଡ୍ରାଫ୍‌ ଟିମ୍‌ ମୁତୟନ କରାଯାଇଛି। ସେହିପରି କଳାହାଣ୍ଡି ଜିଲ୍ଲାରେ ହୋଇଥିବା ଘାଇକୁ ମରାମତି କରାଯାଇଛି। ଜିଲ୍ଲାର ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ଦୃଷ୍ଟିରୁ ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗର ୟୁନିଟ୍‌ଗୁଡ଼ିକୁ ନିୟୋଜିତ କରାଯାଇଛି ଏବଂ ବିଭିନ୍ନ ଜଳମଗ୍ନ ସ୍ଥାନରେ ଅଗ୍ନିଶମ ବିଭାଗର ପମ୍ପ ନିୟୋଜିତ କରାଯାଇ ଜଳ ନିଷ୍କାସିତ କରାଯାଉଛି। ସେହିପରି କଟକରେ ମଧ୍ୟ ଓଡ୍ରାଫ୍‌ ଟିମ୍‌ ନିୟୋଜିତ କରାଯାଇଛି ଓ ୧୬ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଜଳ ନିଷ୍କାସନ ପାଇଁ ୧୮୧ଟି ପମ୍ପ ନିୟୋଜିତ କରାଯାଇଛି। ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌, ପଞ୍ଚାୟତିରାଜ, ରାଜସ୍ୱ ଓ ଖାଦ୍ୟ ଯୋଗାଣ, ନଗର ଉନ୍ନୟନ ଆଦି ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଯୋଗ ଦେଇଥିଲେ। ପାଣିପାଗ ବିଭାଗର ନିର୍ଦ୍ଦେଶକ ଓ ବିଏମ୍‌ସି କମିସନର୍‌ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର