ବଲାଙ୍ଗୀରରେ ନବୀନଙ୍କ ରୋଡ୍‌-ସୋ’, ପ୍ରବଳ ଜନସମାଗମ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ପ୍ରଚାର କରିଛନ୍ତି। ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀ ଗସ୍ତ କରି ମୁଖ୍ୟମନ୍ତ୍ରୀ ତାଙ୍କ ସ୍ୱତନ୍ତ୍ର ବସରେ ରୋଡ ସୋ କରିଛନ୍ତି। ସମସ୍ତ ନିର୍ବାଚନମଣ୍ଡଳୀରେ ବିଧାୟକ ପ୍ରାର୍ଥୀଙ୍କ ସହ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ପ୍ରଚାର କରି ଜନସାଧାରଣଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିଜେଡିକୁ ଜୟଯୁକ୍ତ କରିବାକୁ ଆହ୍ୱାନ ଦେଇଥିଲେ। ନବୀନଙ୍କ ରୋଡ ସୋରେ ଓଲିଉଡର ଅଭିନେତା, ଅଭିନେତ୍ରୀ ଓ କଣ୍ଠଶିଳ୍ପୀମାନେ ମଧ୍ୟ ସାମିଲ ଥିଲେ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ସହରରେ ସଂଧ୍ୟା ସାଢ଼େ ୭ଟାରେ ପହଞ୍ଚିଥିଲେ। ବିଜେଡିର ରାଜ୍ୟ ଉପସଭାପତି ଅନଙ୍ଗଉଦୟ ସିଂହଦେଓ, ଲୋକସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ, ବଲାଙ୍ଗୀର ବିଧାନସଭା ପ୍ରାର୍ଥୀ ଅର୍କେଶ ନାରାୟଣ ସିଂହଦେଓ ଓ ବିଜେଡିର ଅନ୍ୟ ନେତାମାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ।

ବଲାଙ୍ଗୀର ଆରଟିଓ ଛକଠାରୁ ନବୀନଙ୍କ ରୋଡ ସୋ ଆରମ୍ଭ ହୋଇଥିଲା। ସେଠାରେ ନବୀନ ବସ ଉପରୁ ହାତ ହଲାଇ ସମସ୍ତଙ୍କୁ ଆପଣମାନେ ଖୁସି ତ ବୋଲି ପ୍ରଶ୍ନ କରିବା ସହ ନିଜେ ମଧ୍ୟ ଖୁସିଥିବା କହିଥିଲେ। ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ସମସ୍ତଙ୍କୁ ନିବେଦନ କରିଥିଲେ। ରୋଡ ସୋ ଆରଟିଓ ଛକରୁ ପେଲେସ ଲାଇନ, ଭାଗୀରଥି ଛକ, କଚେରୀଛ କ, ଗାନ୍ଧୀନଗରପଡା ଦେଇ ସହର ପରିକ୍ରମା କରିଥିଲା। ସହରର ମୁଖ୍ୟ ବଜାରରେ ନବୀନଙ୍କୁ ଲୋକେ ବିପୁଳ ସ୍ୱାଗତ ଜଣାଇଥିଲେ। ସମସ୍ତ ଛକରେ ନବୀନଙ୍କ ଗସ୍ତ ପୂର୍ବରୁ ସାଂସ୍କୃତିକ କାର୍ଯ୍ୟକ୍ରମମାନ ରଖାଯାଇଥିଲା। ହଜାର ଲୋକ ଏଥିରେ ଯୋଗ ଦେଇଥିଲେ। ବିଜେଡି ଶିବିରର କର୍ମକର୍ତ୍ତାମାନେ ଉତ୍ସାହିତ ହୋଇ ରୋଡ ସୋରେ ସାମିଲ ରହିଥିଲେ। ସବୁ ଛକରେ ନବୀନ ଜନସାଧାରଣଙ୍କୁ ଦୁଇ ପଦ ଲେଖାଏଁ ଉଦବୋଧନ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବଲାଙ୍ଗୀର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟିଥିଲା। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ବିଧାନସଭା ପ୍ରାର୍ଥୀ ଅର୍କେଶ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବିଜେଡିକୁ ଉତ୍ସାହିତ କରିଛି।

ଏହି ନିର୍ବାଚନୀ ପ୍ରଚାର ହିଁ ଦଳ କେତେ ମଜଭୁତ ରହିଛି ତାହା ସୂଚାଇ ଦେଉଛି ବୋଲି କହିଥିଲେ। ସେହିପରି ବରିଷ୍ଠ ବିଜେଡି ନେତା ଅନଙ୍ଗ ଉଦୟ ସିଂହଦେଓ କହିଥିଲେ, ଚଳିତ ନିର୍ବାଚନରେ ବଲାଙ୍ଗୀର ଆସନ ସମେତ ଜିଲ୍ଲାର ସମସ୍ତ ଆସନରେ ବିଜେଡି ଭଲ ପ୍ରଦର୍ଶନ କରିବ। ମୁଖ୍ୟମନ୍ତ୍ରୀ ପୂର୍ବରୁ ବଲାଙ୍ଗୀରବାସୀଙ୍କୁ ଧ୍ୟାନ ଦେଇ ଆସିଛନ୍ତି। ଏଣୁ ବଲାଙ୍ଗୀର ଲୋକେ ବିଜେଡିକୁ ନିଶ୍ଚିତ ସମର୍ଥନ ଜଣାଇବେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଅପରାହ୍ନରେ ପ୍ରଥମେ ପାଟଣାଗଡ ପହଞ୍ଚିଥିଲେ। ପାଟଣାଗଡ ନିର୍ବାଚନମଣ୍ଡଳୀର ପାଟଣାଗଡ, ବେଲପଡାରେ ରୋଡ ସୋ କରିଥିଲେ। ପରେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ସେ ପ୍ରଚାର କରିଥିଲେ। ସେଠାରୁ ବଙ୍ଗୋମୁଣ୍ଡା ଦେଇ ଟିଟିଲାଗଡ ଓ ଟିଟିଲାଗଡରୁ ବେଲଗାଁ, ସଇଁନ୍ତଲା, ତୁଷୁରା ଛକ, ଦେଓଗାଁ ଦେଇ ବଲାଙ୍ଗୀର ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସମସ୍ତ ରୋଡ ସୋ ପାଇଁ ପୂର୍ବରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ବଲାଙ୍ଗୀର ଜିଲ୍ଲା ପୁଲିସ ସବୁ ସ୍ଥାନରେ କଡା ସୁରକ୍ଷା ବ୍ୟବସ୍ତା ମଧ୍ୟ କରିଥିଲା।

ସମ୍ବନ୍ଧିତ ଖବର