ଭୁବନେଶ୍ୱର : ଆସନ୍ତା ଶିକ୍ଷା ବର୍ଷ(୨୦୧୮-୧୯)ରେ ପାରଳାଖେମୁଣ୍ଡି ଏବଂ ବ୍ରହ୍ମପୁର ସରକାରୀ ପଲିଟେକନିକ୍ରେ ନାମ ଲେଖା ଉପରେ ଏଆଇସିଟିଇ ରୋକ୍ ଲଗାଇଛି। ଏହି ଦୁଇଟି ସରକାରୀ ପଲିଟେକନିକ୍ରେ ଆବଶ୍ୟକୀୟ ଅଧ୍ୟାପକ ନିଯୁକ୍ତି ଦିଆଯାଇନଥିବାରୁ ଏବଂ ଯୋଗ୍ୟ ପ୍ରିନସିପାଲ୍ ନଥିବାରୁ ଏଠାରେ ଆସନ୍ତା ଶିକ୍ଷା ବର୍ଷରେ ନାମ ଲେଖା ହେବନି ବୋଲି ଏଆଇସିଟିଇ ପକ୍ଷରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏଆଇସିଟିଇର ଏହିଭଳି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାରେ ଡିପ୍ଲୋମା ପଢ଼ିବାକୁ ଆଗ୍ରହୀ ଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନଜରରେ ରଖି କେନ୍ଦ୍ର ମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଏଆଇସିଟିଇର ନିଷ୍ପତ୍ତି ଉପରେ ପୁନଃଆଲୋଚନା କରନ୍ତୁ ଏବଂ ଦୁଇଟି ଯାକ ସରକାରୀ ପଲିଟେକନିକ୍ରେ ନାମ ଲେଖାଇବାକୁ ଅନୁମତି ଦେବାକୁ ପଦକ୍ଷେପ ନିଅନ୍ତୁ ବୋଲି ନବୀନ ଲେଖିଛନ୍ତି। ନବୀନ ତାଙ୍କ ଚିଠିରେ ଲେଖିଛନ୍ତି ଯେ, ଏହି ଦୁଇଟି ଅନୁଷ୍ଠାନରେ ଅଧ୍ୟାପକ ନିଯୁକ୍ତିରେ ସରକାରଙ୍କ ପଦକ୍ଷେପ, ଦୀର୍ଘ ଦିନ ଧରି ପଡ଼ି ରହିଥିବା ନିଯୁକ୍ତି ପ୍ରକ୍ରିୟା ଶେଷ କରିବା, ଆବଶ୍ୟକୀୟ ଅତିଥି ଅଧ୍ୟାପକଙ୍କୁ ନିୟୋଜିତ କରିବା ଭଳି ପଦକ୍ଷେପକୁ ଏଆଇସିଟିଇ ପକ୍ଷରୁ ପ୍ରଶଂସା କରାଯାଇଥିଲା। ଏହାବ୍ୟତୀତ ସରକାରୀ ପଲିଟେକନିକ୍ରେ ପ୍ରିନସିପାଲ ନିଯୁକ୍ତିରେ ଭାରତୀୟ ସମ୍ବିଧାନର ଧାରା ୩୦୯ ଅନୁଯାୟୀ, ପଲିଟେକନିକ୍ ଅଧ୍ୟାପକ ନିଯୁକ୍ତି ପାଇଁ ଥିବା କ୍ୟାଡର୍ ନିୟମକୁ କାର୍ଯ୍ୟକାରୀ କରାଯାଇଛି। ନିଯୁକ୍ତି ସମୟରେ ସମସ୍ତ ସାମ୍ବିଧାନିକ ପ୍ରକ୍ରିୟାକୁ ମାନିଛୁ। କେବଳ ଓଡ଼ିଶା ନୁହେଁ ବିଭିନ୍ନ ରାଜ୍ୟରେ ଏହି ନିୟମ ଅନୁଯାୟୀ ପଲିଟେକନିକ୍ କଲେଜରେ ଅଧ୍ୟାପକ ନିଯୁକ୍ତି ହେଉଛି।
ସରକାରୀ ପଲିଟେକନିକ୍ରେ ରାଜ୍ୟ ସରକାର ଜମି, ବିଲଡିଂ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ବାବଦକୁ ବହୁତ ପୁଞ୍ଜିନିବେଶ କରିଛନ୍ତି। ଏସବୁ ବାଦ୍ ଶହଶହ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୧୮-୧୯ ଆର୍ଥିକ ବର୍ଷରେ ନାମ ଲେଖାଇବାକୁ ଅନୁମତି ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।