ଅପେକ୍ଷା କର, କିଏ ଯାଉଛି କିଏ ରହୁଛି: ନବୀନ

ଭୁବନେଶ୍ବର : ଜନତା କହିବେ ଆଗାମୀ ନିର୍ବାଚନରେ କାହାକୁ ରଖିବେ, କାହାକୁ ଫିଙ୍ଗିବେ। ଆସନ୍ତା ନିର୍ବାଚନ ଏକଥା ବି ସୂଚାଇ ଦେବ ପୋଡା ଟ୍ରାନ୍ସଫର୍ମର କିଏ ଓ ଓଡ଼ିଶାର ଟ୍ରାନ୍ସଫର୍ମର କିଏ।

ବିେଜଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତିକା ମନ୍ତବ୍ୟ ରଖି ଆଜି ବିେଜପି ଅଧ୍ୟକ୍ଷ ଅମିତ ଶାହଙ୍କୁ ତାଚ୍ଛଲ୍ୟ କରିଛନ୍ତି। କୋଲକାତାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ସିବିଆଇ ଅଧିକାରୀଙ୍କୁ ଗିରଫ କରି କେନ୍ଦ୍ରର ବିଜେପି ସରକାର ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ପ୍ରୟୋଗ କରିଥିବା ବେଳେ ପଡୋଶୀ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ବାଣ ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ େହାଇଛି। ପ୍ରାକ୍ ନିର୍ବାଚନୀ ବାତାବରଣକୁ ଏସବୁ ପ୍ରସଙ୍ଗ ସରଗରମ କରିସାରିଲାଣି।

ଆଜି ପୁରୀରେ ବିଜେପିର ଦୁଇଦିନିଆ ଜନଜାତି ରାଷ୍ଟ୍ରୀୟ ସମ୍ମିଳନୀରେ ଯୋଗଦେଇ ବିଜେପି ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କୁ କଠୋର ଭାଷାରେ ସମାେଲାଚନା କରିଥିଲେ। ଦୀର୍ଘ ଦିନ ପରେ ପୋଡା ଟ୍ରାନସଫର୍ମର ପ୍ରସଙ୍ଗକୁ ପୁଣି ଥରେ ଉଠାଇ ସିଧା ସିଧା କର୍ମୀଙ୍କୁ ଆହ୍ବାନ ଦେଇଥିଲେ ଯେ ନବୀନ ସରକାରଙ୍କୁ ଉପା଼ଡି ଫିଙ୍ଗିଦିଅ।

ଅମିତ ଶାହଙ୍କ ପୁରୀ ଆହ୍ବାନର ଜବାବ ଆଜି ନବୀନ ଭୁବନେଶ୍ବରରେ ଦେଇଥିଲେ। ଏ ସଂକ୍ରାନ୍ତରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଗାମୀ ନିର୍ବାଚନରେ ଜଣାପଡ଼ିବ କିଏ ଯାଉଛି କିଏ ରହୁଛି। ରାଜ୍ୟବାସୀ ନିଷ୍ପତ୍ତି ନେବେ କାହାକୁ ରଖିବେ ଆଉ କାହାକୁ ଫୋଫାଡ଼ିବେ। ଏଥିପାଇଁ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଅପେକ୍ଷା କର।

ଶାହ ଉଠାଇଥିବା କଂଗ୍ରେସ-ବିଜେଡି ମେଣ୍ଟ ଅଭିଯୋଗରେ ମଧ୍ୟ ଉତ୍ତର ଦେଇଥିଲେ ନବୀନ। କହିଥିଲେ, ସେ (ଅମିତ ଶାହ) ଯାହା ଚାହୁଁଛନ୍ତି ତାଙ୍କୁ କହିବାକୁ ଦିଆଯାଉ। ଆମ ନିଜର ‘ଏ ଟିମ୍’। ଉଭୟ ବିଜେପି-କଂଗ୍ରେସ ଠାରୁ ସମଦୂରତା ରକ୍ଷା କରୁଛୁ। ରାଜ୍ୟବାସୀଙ୍କ ଉପରେ ମୋର ଦୃଢ଼ ବିଶ୍ୱାସ ରହିଛି ଆଗାମୀ ନିର୍ବାଚନରେ ସେମାେନ ଆମକୁ ବହୁସଂଖ୍ୟାରେ ଜିତାଇବେ।

ସେହିପରି ଶାହଙ୍କ ମିଶନ ୧୨୦ ଉପରେ ପ୍ରତିକ୍ରିୟା ରଖି ନବୀନ କହିଥିଲେ, ମୋ ମତରେ ଏହା ବକଵାସ। ଦୋହରାଇଥିଲେ, ମୁଁ ଭାବୁଛି ଏଥର ବି ଲୋକେ ଆମକୁ ବିପୁଳ ସଂଖ୍ୟାରେ ଜିତାଇବେ।

ସମ୍ବନ୍ଧିତ ଖବର