ଧନ୍ୟବାଦ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ଦେଲେ ଉତ୍ତର : ‘କାଳିଆ’ ହିଁ ଦେଶରେ ପଥ ପ୍ରଦର୍ଶକ
‘ଓଡ଼ିଶା ଜାତୀୟ ତଥା ବିଶ୍ବସ୍ତରରେ ନିର୍ଣ୍ଣାୟକ ସ୍ଥାନ ସୃଷ୍ଟି କରିପାରିଛି’
ଭୁବନେଶ୍ବର : ବର୍ତମାନ ଦ୍ରୁତ ପରିବର୍ତନ ପଥରେ ଓଡ଼ିଶା। ଏହାକୁ ଏକ ପ୍ରଗତିଶୀଳ ରାଜ୍ୟ ଭାବେ ଗଢ଼ିତୋଳିବା ସହିତ ଜାତୀୟ ତଥା ବିଶ୍ବସ୍ତରରେ ନିର୍ଣ୍ଣାୟକ ସ୍ଥାନ ସୃଷ୍ଟି କରିପାରିଛି। ଏହାର ଅର୍ଥନୀତି ଦୃଢ଼ ରହିବା ସହିତ ସ୍ଥିର ଅଭିବୃଦ୍ଧି ଦିଗରେ ଗତି କରୁଛି। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ଯିଏ କି ଗତ ଦଶନ୍ଧି ଭିତରେ ବାସ୍ତବ ଅର୍ଥରେ ଚାଷୀଙ୍କ ରୋଜଗାରକୁ ଦୁଇଗୁଣ କରିପାରିଛି। ଏପରି କି ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ସର୍ବାଧିକ ଖାଦ୍ୟଶସ୍ୟ ଯୋଗାଉଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସନ୍ଧ୍ୟାରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଅନୁଷ୍ଠିତ ଆଲୋଚନାର ଉତ୍ତର ଦେବା ଅବସରରେ ଏଭଳି ବକ୍ତବ୍ୟ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସାରା ଦେଶରେ ଅନନ୍ୟ। ଏଭଳି ସାର୍ବଜନୀନ େଯାଜନାରେ ରାଜ୍ୟର ପ୍ରାୟ ୩.୫ କୋଟି ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ରାଜ୍ୟ ସରକାର ପ୍ରଣୟନ କରିଥିବା ‘କାଳିଆ’ ଯୋଜନା ସମଗ୍ର ଦେଶ ପାଇଁ ପଥ ପ୍ରଦର୍ଶକ ହୋଇଥିବାରୁ ଏହା ବ୍ୟାପକ ଆଦର ଲାଭ କରିଛି। ଏପରି କି କେନ୍ଦ୍ର ସରକାର ଏହି ଯୋଜନାକୁ ଗ୍ରହଣ କରିଛନ୍ତି। ତେବେ କେନ୍ଦ୍ରୀୟ ଯୋଜନାରେ ଭାଗଚାଷୀ, ଋଣୀ, ଅଣଋଣୀ ଓ ଭୂମିହୀନ ଚାଷୀଙ୍କୁ ବାଦ୍ ଦିଆଯାଇଛି। ଏଭଳି ଅନନ୍ୟ ଯୋଜନାରେ ୯୨ ପ୍ରତିଶତ ଚାଷୀ, ଭାଗଚାଷୀ, ଋଣୀ, ଅଣଋଣୀ, ଭାଗଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଅନ୍ତର୍ଭୁକ୍ତ ବୋଲି ସେ କହିଥିଲେ।
ଜଳସେଚନ ଉପରେ ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟରେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ ବୋଲି ଆମେ ପ୍ରତିଶ୍ରୁୂତି ଦେଇଥିଲୁ। ଆସନ୍ତା ଏପ୍ରିଲ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହେବାକୁ ଯାଉଛି। ଗତ ଅକ୍ଟୋବର ୨ ତାରିଖରେ ରାଜ୍ୟ ସରକାର ପ୍ରଣୟନ କରିଥିବା ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନାରେ ୨୩ ଲକ୍ଷରୁ ଅଧିକ ହିତାଧିକାରୀ ସାମିଲ ହୋଇଛନ୍ତି। ‘ଆମ ଗାଁ ଆମ ବିକାଶ’କୁ ଲୋକାଭିମୁଖୀ କାର୍ଯ୍ୟକ୍ରମ ଦର୍ଶାଇ ଏହା ସମସ୍ତ ୩୧୪ଟି ବ୍ଲକରେ କାର୍ଯ୍ୟକାରୀ ହୋଇପାରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ୧୫୫୪ କୋଟିର ୬୨୮୫୭ଟି ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି।
ଜନସାଧାରଣଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଏବଂ ସେମାନଙ୍କର ଅଧିକାର ଅନୁଯାୟୀ ପ୍ରାପ୍ୟ ପ୍ରଦାନ ସଂପର୍କରେ ହିତାଧିକାରୀମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ନିକଟରେ ‘ପିଠା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ସେ ଉଲ୍ଲେଖ କରିଥିଲେ। ଏଥିପାଇଁ ପ୍ରତିମାସର ୧୫ରୁ ୨୦ ତାରିଖ ଭିତେର ରାଜ୍ୟର ସମସ୍ତ ଗ୍ରାମ ପଞ୍ଚାୟତ ଓ ପୌରାଞ୍ଚଳରେ ପିଠା ଶିବିରମାନ ଆୟୋଜନ କରାଯାଉଛି। ସେହିପରି ରାଜ୍ୟରେ ଚାଲିଥିବା ମିସନ ଶକ୍ତି ଆେନ୍ଦାଳନରେ ୩ ଲକ୍ଷ ନୂଆ ଗୋଷ୍ଠୀଙ୍କ ଯୋଗଦାନ ଫଳରେ ମୋଟ ୭୦ ଲକ୍ଷ ମହିଳାଙ୍କ ଏକ ସଶକ୍ତ ଗୋଷ୍ଠୀ ସୃଷ୍ଟି ହୋଇଛି। ଏ ସମସ୍ତ ଗୋଷ୍ଠୀଙ୍କୁ ମିସନ ଶକ୍ତି ସଶକ୍ତୀକରଣ କରିବା ଉଦ୍ଦେଶ୍ୟରେ ପ୍ରାରମ୍ଭିକ ପୁଞ୍ଜି, ଡିଜିଟାଲ୍ ସହାୟତା ଓ ଶୂନ ସୁଧରେ ଋଣ ଯୋଗାଇ ଦିଆଯାଉଥିବା ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟମନ୍ତ୍ରୀ କହିଲେ ଯେ ମଧୁବାବୁ ପେନ୍ସନ୍ ଯୋଜନାରେ ଚଳିତ ବର୍ଷ ଆହୁରି ଅଧିକ ୫ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହା ଫଳରେ ମୋଟ ହିତାଧିକାରୀଙ୍କ ସଂଖ୍ୟା ୪୮ ଲକ୍ଷକୁ ବୃଦ୍ଧି ପାଇଛି। କେବଳ ସେତିକି ନୁହେଁ, ମାସିକ ପେନ୍ସନ୍ ହାର ୨୦୦ ଟଙ୍କା ଲେଖାଏଁ ବଢ଼ିଥିବା ସେ କହିଥିଲେ।
ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍, ୨୦୧୮ର ଆୟୋଜନ ବିପୁଳ ସଫଳତା ହାସଲ କରିଥିବା ସେ ପ୍ରକାଶ କରିଥିଲେ। ରାଜ୍ୟରେ ପ୍ରାୟ ୪.୨୦ ଲକ୍ଷ କୋଟିର ପୁଞ୍ଜିନିବେଶ ସହିତ ୫.୯୧ ଲକ୍ଷ କର୍ମନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ରଖି ପ୍ରକଳ୍ପ ସ୍ଥାପନ ଉଦ୍ଦେଶ୍ୟରେ ଶିଳ୍ପ ଉଦ୍ୟୋଗୀମାନେ ଆଗ୍ରହ ପ୍ରଦର୍ଶନ କରିଥିଲେ। ସେହି ପ୍ରସ୍ତାବଗୁଡ଼ିକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବା ସହିତ ଭୂମିପୂଜନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ସରକାର ପଦକ୍ଷେପ ନେଉଥିବା ସେ କହିଥିଲେ। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କ ପ୍ରଗତିଶୀଳ ଷ୍ଟାର୍ଟ-ଅପ୍ ନୀତି ରହିଛି। ଏଥିପାଇଁ ରାଜ୍ୟ ସମୂହ ଷ୍ଟାର୍ଟ-ଅପ୍ ରୢାଙ୍କରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ସମ୍ମାନିତ ହୋଇଛି। ସିଙ୍ଗାପୁରର ଆଇଟିଇଇଏସ୍ର ବୈଷୟିକ ସହାୟତାରେ ରାଜ୍ୟ ସରକାର ଆଗାମୀ ଦିନରେ ଭୁବନେଶ୍ବରରେ ବିଶ୍ବ ଦକ୍ଷତା କୌଶଳ କେନ୍ଦ୍ର ସ୍ଥାପନ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।
ବିଶ୍ବପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରର ସାମଗ୍ରିକ ଅଭିବୃଦ୍ଧି ପାଇଁ ରାଜ୍ୟ ସରକାର ଅଙ୍ଗୀକାରବଦ୍ଧ। ଏଥିପାଇଁ ଗତବର୍ଷ ଆରମ୍ଭ ହୋଇଥିବା ଅବଢ଼ା ଯୋଜନା ସହିତ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସେ କହିଥିଲେ। ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ମେହାତ୍ସବ ସଫଳ ଭାବେ ଆୟୋଜନ କରିବା ଦ୍ବାରା ଓଡ଼ିଶା ଏକ ବୃହତ୍ କ୍ରୀଡ଼ାର ଲକ୍ଷ୍ୟସ୍ଥଳୀରେ ପରିଣତ ହୋଇଛି। ବିଶେଷ କରି ଓଡ଼ିଶା ବିଶ୍ବ କପ୍ ହକି ଆୟୋଜନ ମାଧ୍ୟମରେ ରାଜ୍ୟ ତା’ର ଦକ୍ଷତାର ପରାକାଷ୍ଠା ପ୍ରଦର୍ଶନ କରିପାରିଛି। ବିଭିନ୍ନ କ୍ରୀଡ଼ାର ବିକାଶ କରି ଉଚ୍ଚତର ସୋପାନକୁ ନେବା ଉଦ୍ଦେଶ୍ୟରେ ହାଇ ପର୍ଫର୍ମାନ୍ସ ସେଣ୍ଟରମାନ ଖୋଲିବାକୁ ଯୋଜନା କରାଯାଇଛି। ମୁଖ୍ୟମନ୍ତ୍ରୀ ତାଙ୍କ ଶାସନ ପ୍ରକ୍ରିୟାକୁ ସ୍ବଚ୍ଛ ଦର୍ଶାଇ ବିକାଶ ପ୍ରକ୍ରିୟାରେ ଜନସାଧାରଣଙ୍କ ଅଂଶଗ୍ରହଣ ସରକାରଙ୍କ ପାଇଁ ପ୍ରେରଣା ବୋଲି ଅଭିହିତ କରିଥିଲେ। ରାଜ୍ୟର ଅର୍ଥନୀତିକୁ ତ୍ବରାନ୍ବିତ ଓ ଲୋକାଭିମୁଖୀ କରିବା ସହିତ ସବୁ ବର୍ଗର ଲୋକଙ୍କ ସଶକ୍ତୀକରଣ କରିବା ପ୍ରୟାସ ଜାରି ରହିବ ବୋଲି ସେ କହିଥିଲେ।