ଗଂଗାବାଡ଼ରେ ଗୁହାରି ଶୁଣିଲେ ମୁଖ୍ୟମନ୍ତ୍ରୀ : ପାହାଡ଼ ଲୋକଙ୍କ ପାଇଁ ଏବେ ସ୍ବତନ୍ତ୍ର ଗାଁ

ସମତଳ ସ୍ଥାନକୁ ଆସିବେ, ଘର ଦେବେ ସରକାର, ବାରଘରରୁ ଆରମ୍ଭ, ୭୬ ପରିବାର ସ୍ଥାନାନ୍ତର ହେବେ, ବାରଘର ଅନାଥଙ୍କୁ ପୋଷ୍ୟ ଭାବେ ଗ୍ରହଣ କଲେ ସରକାର, ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

ପାରଳାଖେମୁଣ୍ଡି (ଶ୍ରୀକାନ୍ତ ମହାରଣା): ଗଜପତି ଜିଲ୍ଲା ବାରଘରରେ ଯେଭଳି ପାହାଡ଼ ଧସିଲା, ଓଡ଼ିଶା ଇତିହାସରେ ଏମିତି କେବେ ଆଗରୁ ଘଟିନଥିଲା। ଏହା ଏକ ନୂଆ ଘଟଣା। ଖୁବ୍ ଶୀଘ୍ର ପାହାଡ଼ ଉପରେ ବସବାସ କରୁଥିବା ଏଭଳି ଲୋକଙ୍କୁ ଚିହ୍ନଟ କରାଯିବ ଓ ଆବଶ୍ୟକସ୍ଥଳେ ସେମାନଙ୍କୁ ସମତଳ ସ୍ଥାନକୁ ଅଣାଯାଇ ଘର ବା ବାସସ୍ଥଳୀ ଯୋଗାଇ ଦିଆଯିବ। ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତର ଦୁର୍ଗମ ଗାଁକୁ ଗସ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି, କିଛି ଗାଁର ଲୋକମାନେ ପାହାଡ଼ ଛାଡି ସମତଳରେ ବସବାସ କରିବା ଲାଗି ଆଗ୍ରହ ଦେଖାଇଛନ୍ତି। ସେମାନଙ୍କ ଲାଗି ରାଜ୍ୟ ସରକାର ବାସୋପଯୋଗୀ ଜମି ଓ ପକ୍କା ଘର ଯୋଗାଇେଦବେ। କେବଳ ସେତିକି ନୁହେଁ, ସେମାନଙ୍କୁ ଖାଦ୍ୟ, ସ୍ବାସ୍ଥ୍ୟ ଓ ସୁରକ୍ଷା ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ। ଏସବୁ ପଡ଼ାକୁ ଗ୍ରାମ୍ୟର ମାନ୍ୟତା ଦିଆଯିବ ଓ ସର୍ବନିମ୍ନ ମୌଳିକ ସୁବିଧା ଯଥା ବିଦ୍ୟାଳୟ, ଗୋଷ୍ଠୀ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ସ୍ବାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ। ଏଥିସହିତ ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଆଜି ୧୧ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ତିତଲି ବାତ୍ୟାରେ ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ଗଜପତି ଜିଲ୍ଲା ରାଇଗଡ଼ ବ୍ଲକ ଦୁର୍ଗମ ଗଙ୍ଗାବାଡ଼ ପଞ୍ଚାୟତକୁ ଗସ୍ତ କରିଥିଲେ। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଚମ୍ପାପୁର ଗ୍ରାମରେ ଅବତରଣ କରିଥିଲା। ଯେଉଁଠି ଦିନେ ମଧ୍ୟ କୌଣସି ରାଜନେତା କି ପ୍ରାଶାସନିକ ଅଧିକାରୀଙ୍କ ପାଦ ପଡ଼ି ନଥିଲା ସେଠି ମୁଖ୍ୟମନ୍ତ୍ରୀଙ୍କୁ ଦେଖି ଗଙ୍ଗାବାଡ଼ ପଞ୍ଚାୟତର ଦୁର୍ଗମ ଗାଁର ଲୋକେ ଭାବବିହ୍ବଳ ହୋଇ ଉଠିଥିଲେ। ସଭିଙ୍କ ମନରେ ‌ଗୋଟିଏ କଥା ଥିଲା, ଏଥର ଆମର ସବୁ ଦୁଃଖ ଦୂର ହେବ। କାରଣ ଗଜପତି ଜିଲ୍ଲା ଇତିହାସରେ ପ୍ରଥମଥର ପାଇଁ ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ଦୁର୍ଗମ ଅଞ୍ଚଳରେ ପାଦ ପକାଇଥିବାରୁ ସଭିଙ୍କ ଚେହେରାରେ ଆଶା ଓ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ମଧ୍ୟ କାହାକୁ ନିରାଶ କରି ନଥିଲେ। ୩୦ରୁ ୩୫ ମିନିଟ୍ କାଳ ରହଣି ମଧ୍ୟରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ସହ ଟିକିନିଖି ଆଲୋଚନା କରିବା ସହ ସମସ୍ତଙ୍କ ଅଭିଯୋଗ ଓ ଗୁହାରି ଶୁଣିଥିଲେ। ୧୮ ମୃତକଙ୍କ ପରିବାରକୁ ଗଭୀର ସମବେଦନା ଜଣାଇଥିଲେ। ଏହି ଘଟଣାରେ ଯେଉଁ କୁନି କୁନି ଛୁଆ ଅନାଥ ହୋଇଛନ୍ତି ସେମାନଙ୍କୁ ସରକାର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ବୋଲି ମାଇକରେ ଘୋ‌ଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏହାସହ ସେମାନଙ୍କ ପାଠପଢାଠୁ ଆରମ୍ଭ କରି ଚାକିରି ସବୁ ଦାୟିତ୍ବ ସରକାର ନେବେ ବୋଲି କହିଥିେଲ। ବାପାମା’ଙ୍କୁ ହରାଇଥିବା ପିଲାଙ୍କୁ ପାଖକୁ ଡାକି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସାନ୍ତ୍ବନା ଦେବା ଦୃଶ୍ୟ ଗ୍ରାମବାସୀଙ୍କ ଆଖିରେ ଲୁହ ଭରି ଦେଇଥିଲା। ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ବଦଳରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଦାବି ମୁତାବକ ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ପ୍ରତିଶ୍ରୁତି ମିଳିଥିଲା।

ଆଜି ଦୁର୍ଗମ ବାରଘର ଗ୍ରାମର ୭୬ ପରିବାରକୁ ୧୬ କିଲୋମିଟର ଦୂର ବେଙ୍ଗା ସାହି ଗ୍ରାମକୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ୧୧ଜଣଙ୍କୁ ଜମି ପଟ୍ଟା ପ୍ରଦାନ କରିଥିଲେ। ପ୍ରତି ପରିବାରକୁ ୪ ଡେସିମିଲ ଲେଖାଏଁ ଜମି ଦିଆଯାଇଛି। ବିଜୁ ପକ୍କାଘର ଯୋଜନା‌ରେ ସେମାନଙ୍କ ପାଇଁ ଘର ତିଆରି ହେବ। ଅନ୍ୟମାନଙ୍କୁ ବି ଶୀଘ୍ର ଜମିପଟ୍ଟା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିି ଦେଇଥିଲେ। ମାଣିକପାଟଣା, ବଡ଼ପାଚେଡିଆ, ବାରଘର ଓ ଚମ୍ପାସାହିର ୩ହଜାରରୁ ଅଧିକ ଗ୍ରାମବାସୀ ଉପସ୍ଥିତ ଥିଲେ। ‘ମୁଖ୍ୟମନ୍ତ୍ରୀ ଆମକୁ ନୂଆ ଆଶା ଦେଖାଇଛନ୍ତି। ଆମେ ଏବେ ସାମାନ୍ୟ ଆଶ୍ବସ୍ତ। ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ୍ ସେମାନଙ୍କ ଦୁଃଖ ଦୂର କରି ସ୍ବାଭାବିକ ଜୀବନ ବିତାଇବାରେ ସହାୟକ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛୁ’ ବୋଲି ଗ୍ରାମବାସୀ କହିଥିଲେ। ସେହିପରି ଗଙ୍ଗାବାଡ ପଞ୍ଚାୟତରେ ରାସ୍ତାଘାଟ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ହେବ। ଏଥିପାଇଁ ସ୍ବତନ୍ତ୍ର ପଞ୍ଚାୟତକୁ ସ୍ବତନ୍ତ୍ର ଫୋକସ୍ ଭାବେ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ବ୍ରହ୍ମପୁର ସାଂସଦ ଡ. ସିଦ୍ଧାନ୍ତ ମହାପାତ୍ର, ମୋହନା ବିଧାୟିକା ସୁଶ୍ରୀ ବାସନ୍ତୀ ମଲ୍ଲିକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ, ରାଇଗଡ଼ ବ୍ଲକ ଅଧ୍ୟକ୍ଷା ଘନେଶ୍ବର ଭୂୟାଁ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହ, ଗଜପତି ଜିଲ୍ଲାପାଳ ଅନୁପମ ସାହା, ଗଜପତି ଏସପି ଅମୂଲ୍ୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିେଲ। େସହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ , ପୂର୍ବତନ ପାରଳା ବିଧାୟକ କେ.ନାରାୟଣ ରାଓ, ଗଂଗାବାଡ଼ ସରପଞ୍ଚ ହରିବନ୍ଧୁ କାର୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ମଞ୍ଜୁଶା ମଣ୍ଡଳରୁ ବି ଲୋକ ଆସିଥିବା ଦେଖିବାକୁ ମିଳିଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରେ କ୍ଷତିଗ୍ରସ୍ତ ମାଡ଼ବା ଏବଂ ବାରଘର ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର