ପ୍ରଧାନମନ୍ତ୍ରୀଙ୍କୁ ଚିଠି : ୫ ଲକ୍ଷ ବାସଗୃହ ପାଇଁ ଦାବି ଜଣାଇଲେ ନବୀନ

ଭୁବନେଶ୍ବର : ‘ଫନି’ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବା ଜିଲ୍ଲାରେ ବହୁ ସଂଖ୍ୟାରେ ବାସଗୃହ ଭାଙ୍ଗିରୁଜି ଯାଇଛି। ପ୍ରାଥମିକ ଆକଳନ ଅନୁଯାୟୀ ୫ ଲକ୍ଷ ବାସଗୃହ ନିର୍ମାଣ ପାଇଁ ଅର୍ଥ ପଠାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାତ୍ୟା ସମୟରୁ ଏବେଯାଏଁ ଓଡ଼ିଶାକୁ ସହାନୁଭୁତି ଓ ସାହାଯ୍ୟର ହାତ ବଢ଼ାଇଥିବା କେନ୍ଦ୍ରସରକାରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ବାସଗୃହ ଅର୍ଥ ଆସନ୍ତା ଜୁନ ୧୦ ତାରିଖ ପୂର୍ବରୁ ରାଜ୍ୟକୁ ପ୍ରଦାନ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦର୍ଶାଇଛନ୍ତି, ବାତ୍ୟାରେ ନଷ୍ଟ ହୋଇଥିବା ଗରିବଙ୍କ ବାସଗୃହ ନେଇ ସରକାର ବିସ୍ତୃତ ଆକଳନ ରିପୋର୍ଟ ଅଳ୍ପ ଦିନ ଭିତରେ ପ୍ରସ୍ତୁତ କରିବେ। କିନ୍ତୁ ପ୍ରାଥମିକ ଆକଳନ ଅନୁଯାୟୀ ଅଧିକ ପ୍ରଭାବିତ ପୁରୀ ଜିଲ୍ଲା ସମେତ ୧୪ଟି ଜିଲ୍ଲାରେ ୫ ଲକ୍ଷ ବାସଗୃହ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତି ଅନୁଧ୍ୟାନ ପାଇଁ ଖୋଦ ପ୍ରଧାନମନ୍ତ୍ରୀ ଗତ ୬ ତାରିଖ ଦିନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ। ରାଜ୍ୟ ପ୍ରଶାସନ ପକ୍ଷରୁ ମଧ୍ୟ କ୍ଷୟକ୍ଷତିର ପ୍ରାଥମିକ ଆକଳନ ସହ ପ୍ରଭାବିତ ଅଞ୍ଚଳରେ ବାତ୍ୟା ନିରୋଧୀ ବାସଗୃହ ନିର୍ମାଣ ପାଇଁ ମଧ୍ୟ ପ୍ରସ୍ତାବ ପ୍ରଦାନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ପରମାନେଣ୍ଟ େଵଟ ଲିଷ୍ଟ ନିୟମକୁ କୋହଳ କରିବା ସହ ୯୦ ଓ ୧୦ ଅନୁପାତରେ ସ୍ବତନ୍ତ୍ର ଭାବେ ଓଡ଼ିଶା ପାଇଁ ପିଏମଏଵାଇ ଅର୍ଥ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଆସନ୍ତା ଜୁନ ମାସ ୧୦ ତାରିଖ ବେଳକୁ ଓଡ଼ିଶାକୁ ମୌସୁମୀ ଛୁଇଁବାର ପୂର୍ବାନୁମାନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ବାସଗୃହ ହରାଇଥିବା ବ୍ୟକ୍ତିଙ୍କୁ ପକ୍କାଘର ଯୋଗାଇଦେବାକୁ ଜୁନ ପହିଲାରୁ କାର୍ଯ୍ୟାଦେଶ ଦେବା ପାଇଁ ଯୋଜନା କରାଯାଇଛି। ସେଥିପାଇଁ ଯଥାଶୀଘ୍ର ଆବାସ ଯୋଜନାରେ ଅର୍ଥ ମଞ୍ଜୁର କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର