ନବୀନଙ୍କ ମହିଳା କାର୍ଡ : ୩୩% ଆସନ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ

ଜାତୀୟ ସ୍ତରରେ ଅଭିଯାନ ଆରମ୍ଭ କରିବ ବିଜେଡି, ୨୨ଟି ରାଜନୈତିକ ଦଳର ମୁଖିଆଙ୍କୁ ଭେଟିବ କମିଟି, ସାଂସଦ, ବିଧାୟକ, ମନ୍ତ୍ରୀଙ୍କୁ ନେଇ କମିଟି ଗଠିତ

ଭୁବନେଶ୍ବର : ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଶୀତକାଳୀନ ଅଧିବେଶନରେ ସଂକଳ୍ପ ଆଣିିଲେ। ଏହା ସର୍ବସମ୍ମତ କ୍ରମେ ପାରିତ ହେଲା। ଏହାକୁ ପ୍ରହସନ ଦର୍ଶାଇ ବିରୋଧୀ ସମାଲୋଚନା କଲେ। କିନ୍ତୁ ଏଥିରେ ଦବି ନଯାଇ ଏହି ସଂକଳ୍ପକୁ ସାକାର ତଥା ଜୋରଦାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ। ତାଙ୍କୁ ପତ୍ର ଲେଖି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ପାରିତ କରିବାକୁ ସେ ଅନୁରୋଧ କଲେ। ସେତିକିରେ ନିରବ ନ ରହି ଏହି ବିଲ୍ କିପରି ଆଗାମୀ ସଂସଦର ଶୀତକାଳୀନ ଅଧିବେଶନରେ ପାରିତ ହୋଇପାରିବ, ସେଥିପାଇଁ ଅଣ୍ଟା ଭିଡ଼ିଛନ୍ତିି ନବୀନ। ଏଥିପାଇଁ ରାଜ୍ୟ ସୀମା ସରହଦରୁ ବାହାରକୁ ଯାଇ ସାରା ଦେଶରେ ଏହି ସଂକଳ୍ପ ଯେପରି ସମର୍ଥନ ହାସଲ କରିପାରିବ ସେ ନେଇ ନବୀନ ରଣନୀତି ଆରମ୍ଭ କରିଦେଇଛନ୍ତି।

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜେଡି କର୍ମକର୍ତାମାନଙ୍କ ବୈଠକରେ ଏହି ରଣନୀତି ଉପରେ ବିଚାରବିମର୍ଶ ହୋଇଥିଲା। ନିଷ୍ପତ୍ତି ଅନୁଯାୟୀ ଦେଶର ୭ଟି ଜାତୀୟ ଓ ୧୫ଟି ଆଞ୍ଚଳିକ ଏହିପରି ୨୨ଟି ରାଜନୈତିକ ଦଳଙ୍କ ସହଯୋଗ ଲୋଡ଼ିବ ଦଳ। ଏହି ଉଦ୍ୟମ ସ୍ବରୂପ କମିଟି ଗଠନ ହୋଇଛି। ଏହି କମିଟିରେ ବିଜେଡିର ସାଂସଦ, ବିଧାୟକ ଓ ମନ୍ତ୍ରୀ ପ୍ରମୁଖ ରହିଛନ୍ତି। କିଏ କେଉଁ ରାଜନୈତିକ ଦଳର ମୁଖିଆମାନଙ୍କୁ ଭେଟି ସେମାନଙ୍କ ସମର୍ଥନ ଲୋଡ଼ିବେ ସେ ନେଇ ତାଲିକା କରାଯାଇଛି। ତାଲିକା ମୁତାବକ ସଂପୃକ୍ତ ନେତାମାନେ ମହିଳାଙ୍କ ସଂରକ୍ଷଣ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରି ସେମାନଙ୍କର ସମର୍ଥନ ଲୋଡ଼ିବେ। ବୈଠକ ପରେ ଦଳୀୟ ନେତାମାନେ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।

ଜାତୀୟ ଦଳ ଭାବେ ଭାରତୀୟ ଜନତା ପାର୍ଟି(ବିଜେପି)କୁ ଭେଟିବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରିଷ୍ଠ ବିଧାୟକ ବେଦପ୍ରକାଶ ଅଗ୍ରୱାଲ, ସାଂସଦ ଭର୍ତ୍ତୃହରି ମହତାବ ଓ ସରସ୍ବତୀ ହେମ୍ବ୍ରମ। ଭାରତୀୟ ଜାତୀୟ କଂଗ୍ରେସକୁ ସାକ୍ଷାତ କରିବେ ସାଂସଦ ତଥାଗତ ସତପଥୀ, ବେଦପ୍ରକାଶ ଅଗ୍ରୱାଲ୍‌, ସାଂସଦ ପିନାକୀ ମିଶ୍ର ଓ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ। ତୃଣମୂଳ କଂଗ୍ରେସକୁ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ମନ୍ତ୍ରୀ ଅନନ୍ତ ଦାସ ଓ ଅରବିନ୍ଦ ଢାଲି ଏବଂ ବହୁଜନ ସମାଜ ପାର୍ଟିକୁ ମନ୍ତ୍ରୀ ଶଶିଭୂଷଣ ବେହେରା, ଅନଙ୍ଗ ଉଦୟ ସିଂହଦେଓ ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଭେଟି ସେମାନଙ୍କର ସହଯୋଗ କାମନା କରିବେ। ସେହିଭଳି ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ଏବଂ ସିପିଆଇ(ଏମ୍‌)କୁ ସାଂସଦ କଳିକେଶ ନାରାୟଣ ସିଂହଦେଓ, ସାଂସଦ ଡ. କୁଳମଣି ସାମଲ ଓ ରୀତା ତରାଇ ଭେଟି ଆଲୋଚନା କରିବେ। ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି(ଏନ୍‌ସିପି)କୁ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ଅରୂପ ପଟ୍ଟନାୟକ ଓ ଶଙ୍କୁନ୍ତଳା ଲାଗୁରୀ ସାକ୍ଷାତ କରି ଓଡ଼ିଶାର ସଂକଳ୍ପ ସଂପର୍କରେ ସେମାନଙ୍କର ସମର୍ଥନ କାମନା କରିବେ।

ସେହିପରି ଆଞ୍ଚଳିକ ଦଳ ଭାବେ ଆମ୍‌ ଆଦମୀ ପାର୍ଟି(ଆପ୍‌)କୁ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ଅନୁଭବ ମହାନ୍ତି ଓ ସାଂସଦ ଡ. ପ୍ରଭାସ ସିଂହ ଭେଟି ବିଜେଡିର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିବେ। ଏଆଇଏଡିଏମ୍‌କେ ଏବଂ ଡି‌ଏମ୍‌କେକୁ ଭେଟିବେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର ଓ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଭାରତୀୟ ଜାତୀୟ ଲୋକଦଳକୁ ପୂର୍ବତନ ବାଚସ୍ପତି କିଶୋର କୁମାର ମହାନ୍ତି ଓ ଯୋଗେନ୍ଦ୍ର ତ୍ରିପାଠୀ ଏବଂ ଜନତା ଦଳ(ନିରପେକ୍ଷ) ଏବଂ ଜନତା ଦଳ(ମିଳିତ) ବା ଜେଡି(ୟୁ)କୁ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ରବୀନ୍ଦ୍ର କୁମାର ଜେନା ସାକ୍ଷାତ କରି ସଂକଳ୍ପ ନେଇ ସହଯୋଗ ଲୋଡିବେ। ସାଂସଦ ପିନାକୀ ମିଶ୍ର ଓ ଲଡ଼ୁକିଶୋର ସ୍ବାଇଁ ନ୍ୟାସନାଲ୍‌ କନ୍‌ଫରେନ୍ସ(ଏନ୍‌ସି) ଏବଂ ପିପୁଲ୍‌ସ ଡେମୋକ୍ରାଟିକ ପାର୍ଟି(ପିଡିପି)କୁ ସାକ୍ଷାତ କରି ସମର୍ଥନ ହାସଲ ପାଇଁ ଉଦ୍ୟମ କରିବେ।

ଝାଡ଼ଖଣ୍ଡ ମୁକ୍ତିମୋର୍ଚା(ଜେଏମ୍‌ଏମ୍‌)କୁ ଅନୁଭବ ମହାନ୍ତି, ଝିନ ହିକାକା ଓ ବିମ୍ବାଧର କୁଅଁର ସାକ୍ଷାତ କରିବାକୁ ସ୍ଥିର ହୋଇଥିବା ବେଳେ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି)କୁ ପ୍ରସନ୍ନ ଆଚାର୍ଯ୍ୟ ଓ ସରୋଜିନୀ ହେମ୍ବ୍ରମ ଭେଟି ଆଲୋଚନା କରିବେ। ଶିରୋମଣି ଅକାଳୀ ଦଳକୁ ତଥାଗତ ସତପଥୀ ଓ ସୂର୍ଯ୍ୟନାରାୟଣ ପାତ୍ର ଏବଂ ଶିବ ସେନାକୁ ଅରୂପ ପଟ୍ଟନାୟକ ଓ ବଳଭଦ୍ର ମାଝୀ ଭେଟିବେ। ସେହିପରି ସମାଜବାଦୀ ପାର୍ଟିକୁ ଭର୍ତ୍ତୃହରି ମହତାବ ଓ ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଏବଂ ତେଲୁଗୁ ଦେଶମ୍‌ ଏବଂ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିକୁ ସୌମ୍ୟରଂଜନ ପଟ୍ଟନାୟକ ଓ ଏନ୍‌.ଭାସ୍କର ରାଓ ସାକ୍ଷାତ କରି ସେମାନଙ୍କର ସମର୍ଥନ ହାସଲ ପାଇଁ ଉଦ୍ୟମ କରି‌ବେ।

ସମ୍ବନ୍ଧିତ ଖବର