ସୁରଟ ଯିବା ପୂର୍ବରୁ ନବୀନ ଲେଖିଲେ ୩ଟି ଚିଠି

ସୁରଟକୁ ବିମାନ, ଟ୍ରେନ୍ ପାଇଁ କେନ୍ଦ୍ରକୁ ଚିଠି, ଓଡ଼ିଆ ସମ୍ପ୍ରଦାୟକୁ ଜାଗା ଦେବାକୁ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ମୁଖ୍ୟମନ୍ତ୍ରୀଙ୍କ ସଭା ସଫଳ କରିବାକୁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ସୁରଟ ଗସ୍ତରେ ଯିବେ। ଗସ୍ତର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ସୁରଟର ଓଡ଼ିଆମାନଙ୍କ ବିଭିନ୍ନ ସମସ୍ୟା ନେଇ ତିନିଟି ଚିଠି ଲେଖିଛନ୍ତି। କେନ୍ଦ୍ରକୁ ଦୁଇଟି ଚିଠି ‌ଲେଖି ସୁରଟ-ଭୁବନେଶ୍ବର ବିମାନ ଚଳାଳନ ଏବଂ ବ୍ରହ୍ମପୁର-ସୁରଟ ଟ୍ରେନ୍ ଚଳାଚଳ ପାଇଁ ଦାବି କରିଥିଲା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଓଡ଼ିଆଙ୍କ ପାଇଁ କମ୍ୟୁନିଟି ସେଣ୍ଟର ନିମନ୍ତେ ଜାଗା ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଥିଲା ବେଳେ ଆଜି ତିନିଟି ଚିଠି ଚର୍ଚ୍ଚାକୁ ‌ଆହୁରି ଖୋରାକ ଯୋଗାଇଛି।

ବ୍ରହ୍ମପୁର-ସୁରଟ୍‌ ମଧୢରେ ଦୈନିକ ଦୁଇଟି ଟ୍ରେନ୍‌ ଚଳାଚଳ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ୍‌ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିରେ ସେ ଦର୍ଶାଇଛନ୍ତି, ବର୍ତ୍ତମାନ ଓଡ଼ିଶାରୁ ପ୍ରାୟ ୭ ଲକ୍ଷରୁ ଅଧିକ ଲୋକ ସୁରଟରେ କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଓଡ଼ିଶାର। ସେମାନେ ମୁଖ୍ୟତଃ ସୁରଟରେ ସୂତାକଳ, ଛାପାଖାନା, ହୀରା କାରଖାନା ଓ ଅନ୍ୟ ବାଣିଜ୍ୟିକ ସ˚ସ୍ଥାଗୁଡ଼ିକରେ କାମ କରୁଛନ୍ତି। କିନ୍ତୁ ବ୍ରହ୍ମପୁର ଓ ସୁରଟ ମଧୢରେ ଗୋଟିଏ ବି ସିଧାସଳଖ ଟ୍ରେନ୍‌ ଚଳାଚଳ କରୁ ନାହିଁ। ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ୍‌ଗୁଡ଼ିକର ଛାଡ଼ିବା ଓ ପହଞ୍ଚିବା ସ୍ଥାନ ଭିନ୍ନ ଭିନ୍ନ ଜାଗାରେ ରହିଛି। ଏହା ସୁରଟରେ ରହୁଥିବା ଓଡ଼ିଶା ଲୋକଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ ନୁହେଁ। ତେଣୁ ସୁରଟ ଓ ବ୍ରହ୍ମପୁର ମଧୢରେ ଦୈନିକ ଟ୍ରେନ୍‌ ଚଳାଚଳ ପାଇଁ ସୁରଟରେ ରହୁଥିବା ଓଡ଼ିଆମାନଙ୍କର ଦୀର୍ଘ ଦିନର ଦାବି ରହିଛି। ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ସୁରଟ ଓ ବ୍ରହ୍ମପୁର ମଧୢରେ ଦୁଇଟି ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଗତ ସେପ୍ଟେମ୍ବର ୨୮ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଥିଲେ।

ସେହିପରି ଭୁବନେଶ୍ବର-ସୁରଟ ମଧ୍ୟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେଥିରେ ସେ ଦର୍ଶାଇଛନ୍ତି, ଭୁବନେଶ୍ବର ଓ ସୁରଟ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରୁ ନାହିଁ। ତେଣୁ ସୁରଟରେ ରହୁଥିବା ଓଡ଼ିଆମାନେ କୌଣସି ଜରୁରୀ କାମରେ କମ୍ ସମୟ ମଧ୍ୟରେ ଓଡ଼ିଶା ଆସିବା ପାଇଁ ବହୁତ ଅସୁବିଧା ସାମ୍ନା କରୁଛନ୍ତି। ଭୁବନେଶ୍ବର-ସୁରଟ ବିମାନ ଚଳାଚଳ କଲେ କେବଳ ଓଡ଼ିଆମାନେ ଲାଭବାନ ‌େହବେନି, ବରଂ ଉଭୟ ସ୍ଥାନରେ ପର୍ଯ୍ୟଟକ ସଂଖ୍ୟା ବି ବୃଦ୍ଧି ପାଇବ। ତେଣୁ ଏୟାର ଇଣ୍ଡିଆ କିମ୍ବା ଅନ୍ୟ କୌଣସି ଘରୋଇ ଏୟାରଲାଇନ୍‌ ଭୁବନେଶ୍ବର-ସୁରଟ ସିଧାସଳଖ ବିମାନ ଚଳାଚଳ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ଏ ନେଇ ଚିଠି ଲେଖିଥିଲେ।

ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଚିଠି ଲେଖି ଶ୍ରୀ ପଟ୍ଟନାୟକ ସୁରଟ୍‌ ସହରରେ ବାସ କରୁଥିବା ଓଡ଼ିଆଙ୍କ ପାଇଁ କମ୍ୟୁନିଟି ସେଣ୍ଟର ନିର୍ମାଣ ନିମନ୍ତେ ୧ ଏକର ଜାଗା ଦେବାକୁ ଅନୁରୋଧ କରିଛନ୍ତି। ସେ ଦର୍ଶାଇଛନ୍ତି, ସୁରଟରେ ବହୁ ଓଡ଼ିଆ ରହୁଥିବାରୁ ସେମାନଙ୍କର ପରିବାରବର୍ଗ ଓ ବନ୍ଧୁବାନ୍ଧବ ସେମାନଙ୍କୁ ବାରମ୍ବାର ସା‌କ୍ଷାତ କରିବାକୁ ଯାଇଥାନ୍ତି। ସେମାନଙ୍କ ସାମାଜିକ ଉତ୍ସବ ପାଇଁ ସୁରଟ ସହରରେ କମ୍ୟୁନିଟି ସେଣ୍ଟର ସ୍ଥାପନ ପାଇଁ ଓଡ଼ିଶା ସରକାର ଯୋଜନା କରୁଛନ୍ତି। ପ୍ରସ୍ତାବିତ ଓଡ଼ିଆ କମ୍ୟୁନିଟି ସେଣ୍ଟର ଉଭୟ ଗୁଜୁରାଟ ଓ ଓଡ଼ିଶାର ସାଂସ୍କୃତିକ ବିନିମୟ କ୍ଷେତ୍ରରେ ନାଭିକେନ୍ଦ୍ର ଭାବେ କାର୍ଯ୍ୟ କରିବ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ଦିନିକିଆ ଗସ୍ତରେ ସୁରଟ ଯାଉଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ସୁରଟ ଯାଇ ସେହିଦିନ ଫେରିଆସିବେ। ସେଠାରେ ଓଡ଼ିଶା ମହୋତ୍ସବରେ ସେ ଯୋଗ ଦେବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବା ପାଇଁ ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକମାନେ ଆଜି ଠାରୁ ସୁରଟ ଗସ୍ତରେ ଯାଇଛନ୍ତି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟ‌ାରେ ଓଡ଼ିଆଙ୍କୁ ଏକାଠି କରିବାକୁ ବିଜେଡି ନେତାମାନେ ସେଠାକାର ଓଡ଼ିଆ ସଂଗଠନର କର୍ମକର୍ତ୍ତାମାନଙ୍କ ସହ ଜୋର୍‌ଦାର୍ ପ୍ରସ୍ତୁତି ଚଳାଇଛନ୍ତି। ଏପରିକି ଓଡ଼ିଶା ମହୋତ୍ସବରେ ଓଡ଼ିଆମାନଙ୍କୁ ଯୋଗ ଦେବା ପାଇଁ ସେଠାକାର ବୁଣାକାର ସଂସ୍ଥାଗୁଡ଼ିକ ୧୭ ତାରିଖକୁ ଛୁଟି ଘୋଷଣା କରିବା ନିମନ୍ତେ ଗୁଜୁରାଟ ବୁଣାକାର ସଂଘଗୁଡ଼ିକ ମହାସଂଘର ସଭାପତିଙ୍କୁ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ଏକ ଚିଠି ଲେଖିଥିଲେ। ମହାସଂଘ ପକ୍ଷରୁ ତାହାକୁ ଗ୍ରହଣ କରାଯାଇ ସେହି ଦିନକୁ ଛୁଟି କରାଯାଇଛି।

ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁରଟ ଗସ୍ତରେ ଯାଇ ସେଠାରେ ଆୟୋଜିତ ଓଡ଼ିଆ ପର୍ବରେ ଯୋଗ ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଆହୁରି ପ୍ରଭାବୀ ଢଙ୍ଗରେ ଆୟୋଜନ କରିବା ପାଇଁ ବିଜେଡି ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧିତ ଖବର