୨୪ରେ ବଲାଙ୍ଗୀର ଯିବେ ନବୀନ, ଏଥର ଫୋକସ୍‌ରେ ଯୁବପିଢ଼ି

ପଶ୍ଚିମ ଓଡ଼ିଶା ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର: ଭୁବନେଶ୍ୱର: ଆସନ୍ତା ୨୪ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପଶ୍ଚିମ ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ମେଗା ସୋ’ ଗସ୍ତ ସମୟରେ ବଲାଙ୍ଗୀର ଠାରେ ପଶ୍ଚିମ ଓଡ଼ିଶା ଯୁବ ସମାବେଶ କାର୍ଯ୍ୟକ୍ରମର ଆୟୋଜନ କରାଯିବ ବୋଲି ବଲାଙ୍ଗୀର ବିଜେଡି ସାଂସଦ କଳିକେଶ ସିଂହଦେଓ ସୂଚନା ଦେଇଛନ୍ତି ।

କଳିକେଶଙ୍କ କହିବା ମୁତାବକ ବଲାଙ୍ଗୀରର ରାଜେନ୍ଦ୍ର କଲେଜ ପଡ଼ିଆରେ ପଶ୍ଚିମ ଓଡ଼ିଶା ଯୁବ ସମାବେଶର କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ପାଖାପାକି ୨୫ରୁ ୩୦ ହଜାର ଯୁବକ ଯୁବତୀ ସାମିଲ ହେବେ । ଏହି ସମାବେଶରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଯୋଗଦେବେ ବୋଲି ବିଜେଡି ସାଂସଦ କଳିକେଶ କହିଛନ୍ତି।

ଗତ ଜାନୁୟାରୀ ୫ ତାରିଖରେ ମୋଦିଙ୍କ ବଲାଙ୍ଗୀର ଗସ୍ତ ରାଜ୍ୟ ରାଜନୀତିର ପାରଦ ଉପରେ ବେଶ୍‌ କିଛି ପ୍ରଭାବ ପକାଇପାରି ନଥିଲା । କିନ୍ତୁ ଆସନ୍ତା ୨୪ ତାରିଖରେ ନବୀନ ବଲାଙ୍ଗୀର ଗସ୍ତରେ ଯିବେ ଏବଂ ସେଠାରେ ଯୁବ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ବଲାଙ୍ଗୀର ବିଜେଡି କ୍ୟାମ୍ପରେ ଚାଲିଛି ପୂର୍ବ ପ୍ରସ୍ତୁତି ।

ଅନ୍ୟପଟେ ଆସନ୍ତା ୨୪ରେ ଝାରସୁଗୁଡ଼ା ଗସ୍ତରେ ଯାଇ କଂଗ୍ରେସ ଛାଡ଼ିଥିବା ନବ ଦାସଙ୍କୁ ଶଙ୍ଖ ଧରାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏବଂ ପଶ୍ଚିମ ଓଡ଼ିଶାକୁ ବିଜେଡିର ଗଡ଼ ଭାବେ ଗଢ଼ି ତୋଳିବାକୁ ଗୋଟି ଚାଳନା କରିଛନ୍ତି ନବୀନ ବୋଲି ରାଜନୀତି ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର