ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ଦାବି : କେନ୍ଦ୍ରକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ଦାବିରେ ସମ୍ବଲପୁରରେ ଆଜି ଠାରୁ ଆଇନଜୀବୀମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ଅପର ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ର ଆଇନ୍‌ ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପାଇଁ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ୨୦୧୩ ସେପ୍ଟେମ୍ବର ଓ ୨୦୧୪ ଫେବ୍ରୁଆରିରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ପାଇଁ ପଦକ୍ଷେପ ନେବାକୁ ତତ୍‌କାଳୀନ ଆଇନ୍‌ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ସେହି ଅଞ୍ଚଳର ଲୋକମାନେ ବହୁ ସମସ୍ୟା ଭୋଗୁଥିବାରୁ ସେଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ଦୃଢ଼ ଦାବି ହେଉଛି। ସେଠାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ସମ୍ବଳ ଯୋଗାଇ ଦେବେ ବୋଲି ମଧ୍ୟ ଦୃଢ଼ ପ୍ରତିଶ୍ରୁତି ଦିଆଯାଇଥିଲା। ଆମ ପ୍ରସ୍ତାବ ଉପରେ ଓଡ଼ିଶା ହାଇକୋର୍ଟଙ୍କ ମତ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ନାହିଁ। ଆହୁରି ମଧ୍ୟ ୨୦୧୫ ଅକ୍ଟୋବରରେ କେନ୍ଦ୍ର ଆଇନ୍‌ ମନ୍ତ୍ରୀଙ୍କ ଠାରୁ ମିଳିଥିବା ଏକ ଚିଠିରେ ଦର୍ଶାଯାଇଥିଲା ଯେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ମାମଲା ସଂଖ୍ୟାର ଏକ ପରିସଂଖ୍ୟାନକୁ ହାଇକୋର୍ଟ ପରୀକ୍ଷାନିରୀକ୍ଷା କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କେନ୍ଦ୍ର ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି, ସ୍ଥାୟୀ ବେଞ୍ଚ୍‌ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି। ଫେଡେରେସନ୍‌ ଅଫ୍‌ ବାର୍‌ ଆସୋସିଏସନ୍‌ ଅଫ୍‌ କର୍ଣ୍ଣାଟକ ବନାମ କେନ୍ଦ୍ର ସରକାର ଓ ଅନ୍ୟମାନେ, ହାଇକୋର୍ଟ ବେଞ୍ଚ୍‌ ସ୍ଥାପନ ନେଇ ଜଷ୍ଟିସ୍‌ ଯଶଓ୍ଵନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ କମିସନ୍‌ଙ୍କ ସୁପାରିସ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଯଥେଷ୍ଟ ଯୁକ୍ତି ରହିଛି। ଜଷ୍ଟିସ୍‌ ଯଶଓ୍ଵନ୍ତ ସିଂହ କମିସନ୍‌ କରିଥିବା ସର୍ତ୍ତାବଳୀ ମଧ୍ୟ ପୂରଣ ହୋଇପାରୁଛି। ଏପରି ବେଞ୍ଚ୍‌ ସ୍ଥାପନ ନେଇ ସଂସଦର କ୍ଷମତା ରହିଛି। ତେଣୁ ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା ନେଇ ତୁରନ୍ତ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

ସୂଚନାଯୋଗ୍ୟ ଯେ ପଶ୍ଚିମ ଓଡ଼ିଶା କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୧୫ ଜଣିଆ ପ୍ରତିନିଧି ଦଳ ଗତ ଅଗଷ୍ଟ ୪ ତାରିଖରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍‌ ସ୍ଥାପନ ପାଇଁ ଦାବି କରିଥିଲେ। କେନ୍ଦ୍ରକୁ ଏକ କଡ଼ା ଚିଠି ଲେଖିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର