କେନ୍ଦ୍ରମନ୍ତ୍ରୀ ତୋମାରଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ : ବକେୟା ୬୭୬ କୋଟି ଦିଅ

ଭୁବନେଶ୍ୱର : ରାଜ୍ୟ ସରକାର ୧୫ଟି ଜିଲ୍ଲାର ୭୦ ବ୍ଲକ ଅନ୍ତର୍ଗତ ୧୦୯୭ ଗ୍ରାମପଞ୍ଚାୟତର ୫୯୫୮ ଗ୍ରାମକୁ ମରୁଡ଼ି ପ୍ରଭାବିତ ଘୋଷଣା କରିଛନ୍ତି। ଏହା ସତ୍ତ୍ୱେ ଶ୍ରମିକମାନେ ମନ୍‌ରେଗାରେ ଉପଲବ୍ଧ କାମ କରିବାକୁ ଆଗ୍ରହୀ ନୁହଁନ୍ତି। କାରଣ ସେମାନଙ୍କୁ ସଠିକ୍‌ ସମୟରେ ମଜୁରି ମିଳୁନାହିଁ। ଫଳରେ ରାଜ୍ୟରୁ ଅଭାବୀ ଶ୍ରମିକ ଚାଲାଣ ଭଳି ଉତ୍କଟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଏଭଳି ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ସୃଷ୍ଟି କରିଛନ୍ତି। କିନ୍ତୁ ତା’ର ପରିଚାଳନା ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ନିୟମାବଳୀ ଚୂଡ଼ାନ୍ତ କରିନଥିବାରୁ ଏହି ପାଣ୍ଠିକୁ ବିନିଯୋଗ କରିହେଉନାହିଁ।

ଆଜି ମନ୍‌ରେଗାରେ ଉତ୍ପନ୍ନ ହୋଇଥିବା ଏଭଳି ସାଂଘାତିକ ସ୍ଥିତି ସଂପର୍କରେ ଚିଠି ଲେଖି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ସମ୍ମତି ଅନୁସାରେ ୨୦୧୭-୧୮ ବର୍ଷ ପାଇଁ ମନ୍‌ରେଗା ନିମନ୍ତେ ରାଜ୍ୟ ଶ୍ରମ ବଜେଟ୍‌ ପ୍ରସ୍ତୁତ କରାଯାଇଛି। ରାଜ୍ୟରେ ୯୦୦ ଲକ୍ଷ ବ୍ୟକ୍ତି ଦିବସ ସୃଷ୍ଟି ନିମନ୍ତେ ୨୭୯୮.୩୭ କୋଟିର ବ୍ୟୟବରାଦ ହୋଇଛି। ଡିସେମ୍ବର ସୁଦ୍ଧା ବ୍ୟୟଭାର ହେଉଛି ୨୧୦୮.୫୧ କୋଟି ଟଙ୍କା। ଏଥିମଧ୍ୟରୁ କେନ୍ଦ୍ରୀୟ ଅଂଶ ହେଉଛି ୧୯୦୯.୬୦ କୋଟି। ଗତବର୍ଷର ୩୮୦.୫୯ କୋଟିର ବକେୟା ମିଶାଇ କେନ୍ଦ୍ର ସରକାରଙ୍କଠାରୁ ୨୨୯୦.୧୯ କୋଟି ମିଳିବା କଥା। କିନ୍ତୁ ମିଳିଛି ୧୬୧୩.୬୨ କୋଟି। ଫଳରେ କେନ୍ଦ୍ର ସରକାରଙ୍କ ଉପରେ ୬୭୬.୫୭ କୋଟି ଟଙ୍କାର ବକେୟା ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।

ସେହିପରି ରାଜ୍ୟ ସରକାରଙ୍କ ନିଜସ୍ୱ କର୍ପସ ପାଣ୍ଠି କାର୍ଯ୍ୟ କରୁନଥିବାରୁ ମନ୍‌ରେଗାରେ କାମ କରୁଥିବା ଶ୍ରମିକମାନଙ୍କୁ ଠିକ୍‌ ସମୟରେ ମଜୁରି ମିଳୁନାହିଁ। ଫଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା କରିପାରୁନାହାନ୍ତି ରାଜ୍ୟ ସରକାର। ଏ ନେଇ ପୂର୍ବରୁ ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କେନ୍ଦ୍ର ମନ୍ତ୍ରାଳୟକୁ ଚିଠି ଲେଖାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି ଯେ ଓଡ଼ିଶାକୁ ପୂର୍ବର ଇ-ଏଫ୍‌ଏମ୍‌ଏସ୍‌ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଉ। ଫଳରେ ରାଜ୍ୟ ସରକାର କର୍ପସ୍‌ ପାଣ୍ଠିରୁ ସମସ୍ତ ମନ୍‌ରେଗା ଶ୍ରମିକଙ୍କୁ ମଜୁରି ଦେଇପାରିବେ। ଏହା ସହିତ ରାଜ୍ୟକୁ ବକେୟା ୬୭୬.୫୭ କୋଟି ଟଙ୍କା ପ୍ରଦାନ କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତିି।

ସମ୍ବନ୍ଧିତ ଖବର