ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ‘ପିଏମ୍‌-କିଷାନ’କୁ ସ୍ବାଗତ କଲେ, ଦେଖାଇଲେ ତ୍ରୁଟିବିଚ୍ୟୁତି

ଭୁବନେଶ୍ବର : କୃଷକଙ୍କ ଆୟକୁ ସୁଦୃଢ଼ କରିବା ପାଇଁ ଭାରତ ସରକାର ୧୦୦ ପ୍ରତିଶତ ସହାୟତା ପ୍ରଦାନ କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରୀୟ ପିଏମ୍‌-କିଷାନ ଯୋଜନାକୁ ସ୍ବାଗତ କରିଛନ୍ତି। କିନ୍ତୁ ଯୋଜନାରେ ତ୍ରୁଟିବିଚ୍ୟୁତି ରହିଥିବା ସେ ପରୋକ୍ଷରେ ଦର୍ଶାଇଛନ୍ତି। ଏଣୁ ସେଥିରେ ଆବଶ୍ୟକ ପରିବର୍ତନ ଆଣିବା ନିମନ୍ତେ ବିଚାର କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଏ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ। ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୮ ଡିସେମ୍ବର ମାସରେ ଚାଷୀଙ୍କ କଲ୍ୟାଣ ପାଇଁ ପ୍ୟାକେଜ୍‌ ସମ୍ବଳିତ କୃଷକ ଆସିଷ୍ଟାନ୍ସ ଫର୍‌ ଲାଇଭ୍‌ଲିଉଡ୍‌ ଆଣ୍ଡ ଅନ୍‌କମ୍‌ ଅଗ୍‌ମେ‌‌େଣ୍ଟସନ୍‌(କାଳିଆ)କୁ ରାଜ୍ୟ ସରକାର ଅନୁମୋଦନ କରିଥିଲେ। ଏହା କୃଷି କ୍ଷେତ୍ରର ବିକାଶକୁ ତ୍ବରାନ୍ବିତ କରିବା ତଥା ରାଜ୍ୟ‌େର ଦାରିଦ୍ର୍ୟ ହାର ହ୍ରାସ ପାଇଁ ଉଦ୍ଦିଷ୍ଟ। ଏହି ଯୋଜନାର ଆଭିମୁଖ୍ୟ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଏହା ପ୍ରଗତିଶୀଳ ଓ ଲୋକାଭିମୁଖୀ। ରାଜ୍ୟର ପ୍ରାୟ ୯୨ ପ୍ରତିଶତ କୃଷକ, ଭାଗଚାଷୀ(ପ୍ରକୃତ ଚାଷୀ), ଭୂମିହୀନ କୃଷି ଶ୍ରମିକଙ୍କୁ ଏହି ଯୋଜନା‌େର ଅନ୍ତର୍ଭୁକ୍ତ କରାଯାଉଛି।

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗ୍ରାମାଞ୍ଚଳର ଭୂମିହୀନ ପରିବାରଙ୍କ ପାଇଁ କେବଳ ଶ୍ରମ କ୍ଷେତ୍ରରୁ ମିଳୁଥିବା ମଜୁରି ସେମାନଙ୍କର ଆୟବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ନୁହେଁ। ଏଣୁ, କାଳିଆ ଯୋଜନାର ଆଭିମୁଖ୍ୟ ଅନୁଯାୟୀ ଗ୍ରାମାଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ପଶୁସଂପଦ ଓ ମତ୍ସ୍ୟପାଳନ ସଂପର୍କିତ କାର୍ଯ୍ୟକ୍ରମର ବିଶେଷ ଭୂମିକା ରହିଛି। କେବଳ ସେତିକି ନୁହେଁ, ବିଭିନ୍ନ କାରଣରୁ ଯେଉଁ କୃଷି ପରିବାରମାନେ ଚାଷକାର୍ଯ୍ୟ କରିପାରୁନାହାନ୍ତି କି ଜୀବିକା ନିର୍ବାହ କରିବାରେ ସମର୍ଥ ହେଉନାହାନ୍ତିି, ସଙ୍କଟଘେରରେ ରହିଥିବା ସେହି ପରିବାରଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

ଗତ ଜାନୁଆରି ମାସରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିବା ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଯୋଜନା ରାଜ୍ୟର କୃଷି ସମାଜରେ ପ୍ରବଳ ଉତ୍ସାହ ସୃଷ୍ଟି କରିଛି। ଏହି ଯୋଜନାରେ ଜଣେ ହେଲେ ବି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍‌ ନ ପଡ଼ନ୍ତି ସେ ଦିଗରେ ରାଜ୍ୟ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତିି। ଅନ୍ୟପକ୍ଷରେ ପିଏମ୍‌-କିଷାନ୍‌ ଯୋଜନାରେ ରହିଥିବା ତ୍ରୁଟିବିଚ୍ୟୁତିକୁ ସେ ପରୋକ୍ଷରେ ଖୋଲି ଦେଇଛନ୍ତି। କେନ୍ଦ୍ରୀୟ ଯୋଜନାକୁ ଲୋକାଭିମୁଖୀ କରିବାକୁ ସେ ପରାମର୍ଶ ଦେଇଛନ୍ତିି। ଏଥିପାଇଁ ଭୂମିହୀନ ଶ୍ରମିକ, ଭାଗଚାଷୀ ଓ ବିପଦଘେରରେ ଥିବା ଚାଷୀ ପରିବାରଙ୍କୁ ପିଏମ୍‌-କିଷାନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରିବା ଆଦି ତାଙ୍କର ପରାମର୍ଶକୁ ବିଚାର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତିି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ।

ସମ୍ବନ୍ଧିତ ଖବର