୨୯ରେ ନବୀନଙ୍କ ଶପଥ

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ, ରବିବାର ବିଜେଡି ନେତା ଚୟନ

ଭୁବନେଶ୍ବର : ରାଜ୍ୟରେ ପଞ୍ଚମ ଥର ପାଇଁ ବିଜୁ ଜନତା ଦଳ ୧୧୨ ବିଧାନସଭା ଆସନ ପାଇ ପୁଣି ବିଜୟୀ ହୋଇଛି। ଆସନ୍ତା ୨୯ ତାରିଖରେ ନବୀନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଆଜି ରାଜଭବନ ଯାଇ ବିଦ୍ଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶ୍ରୀ ପଟ୍ଟନାୟକଙ୍କ ଇସ୍ତଫାକୁ ଗ୍ରହଣ କରି ନୂଆ ସରକାର ଗଠନ ପର୍ଯ୍ୟନ୍ତ ସରକାର ଚଳାଇବାକୁ ଅନୁରୋଧ କରିଛନ୍ତି।

ଇତିମଧ୍ୟରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ସୂଚନା ଦେଇଛନ୍ତି, ଆସନ୍ତା ରବିବାର ବିଜୁ ଜନତା ଦଳର ନବନିର୍ବାଚିତ ବିଧାୟକ ଦଳ ବୈଠକ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସର୍ବସମ୍ମତି କ୍ରମେ ନେତା ନିର୍ବାଚିତ କରାଯିବ। ରବିବାର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ନବନିର୍ବାଚିତ ବିଜେଡି ସାଂସଦମାନେ ଭେଟିବେ ଓ ସେହିଦିନ ଅପରାହ୍ନରେ ରାଜ୍ୟ କାର୍ଯ୍ୟାଳୟରେ ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି।

ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ମୁତାବକ ବିଧାୟକ ଦଳ ବୈଠକ ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସିଧାସଳଖ ରାଜଭବନ ଯାଇ ସରକାର ଗଠନ ପାଇଁ ରାଜ୍ୟପାଳଙ୍କୁ ଦାବି ଉପସ୍ଥାପନ କରିବେ। ଆସନ୍ତା ୨୯ ତାରିଖ ଦିନ ପୂର୍ବାହ୍ନରେ ରାଜଭବନରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର