ନିଜ ଜିଲ୍ଲାରେ ନବୀନଙ୍କ ମହିଳା କାର୍ଡ : ୫ ବିଧାୟକଙ୍କ ଟିକେଟ କଟିଲା, ୧୩ରୁ ୫ ମହିଳା ପ୍ରାର୍ଥୀ, ସୁଜ୍ଞାନ, ସିଦ୍ଧାନ୍ତ ବାଦ୍‌ ପଡ଼ିଲେ

ବ୍ରହ୍ମପୁର : ବିଜେଡି ପ୍ରାର୍ଥୀ ତାଲିକାକୁ ନେଇ ପ୍ରତୀକ୍ଷାର ଅନ୍ତ ଘଟିଛି। ଗଞ୍ଜାମ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ ହେବାକୁ ଥିବା ବେଳେ ଜିଲ୍ଲାର ୨ ଲୋକସଭା ଓ ୧୩ ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳ ସୁପ୍ରିମୋ ପ୍ରାର୍ଥୀ ତାଲିକା ଘୋଷଣା କରି ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଜାତୀୟ ଦଳ ଠାରୁ ଆଗରେ ରହିଛନ୍ତି। ବ୍ରହ୍ମପୁର ଲୋକସଭା ଏବ˚ ୫ଟି ବିଧାନସଭା ଆସନରେ ବିଜେଡିର ନୂଆମୁହଁ ଦେଖିବାକୁ ମିଳିଛି।

ବ୍ରହ୍ମପୁର ସଂସଦୀୟ କ୍ଷେତ୍ରରୁ ୨ଥର ସା˚ସଦ ହୋଇଥିବା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦଳ ଏଥର ଟିକେଟ ଦେଇ ନାହିଁ। ଗତ ୨୦୧୮ ଏପ୍ରିଲ ୪ ତାରିଖରେ କ˚ଗ୍ରେସ ଛାଡି ବିଜେଡି ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ଦଳ ଏଥର ପ୍ରାର୍ଥୀ କରିଛି। ଚନ୍ଦ୍ରଶେଖର ସାହୁ କହିଛନ୍ତି, ଦଳ ସୁପ୍ରିମୋ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ସୁପ୍ରିମୋଙ୍କ ଆସ୍ଥା ଓ ବିଶ୍ବାସକୁ ସେ ଅତୁଟ ରଖିବେ। ବିଜୁ ଜନତା ଦଳ କର୍ମୀ, ନେତା ଓ ସମସ୍ତଙ୍କୁ ନେଇ ଆଗକୁ ବଢିବ। ବ୍ରହ୍ମପୁରରେ ବିଜେଡିର ଯେଉଁ ନୂଆ ପୁରୁଣା ମତଭେଦ ରହିଛି ତାହାକୁ ନେଇ କିଭିଳି ଆଗକୁ ବଢିବେ ପ୍ରଶ୍ନରେ ସେ କହିଥିଲେ, ତାଙ୍କ ପାଇଁ ନୂଆ ପୁରୁଣା କିଛି ନାହିଁ। ସମସ୍ତେ ସମାନ ଏବ˚ ସମସ୍ତଙ୍କୁ ନେଇ ଚାଲିବେ।

ବ୍ରହ୍ମପୁର ସ˚ସଦୀୟ କ୍ଷେତ୍ର ଅଧୀନରେ ରହିଛି ବ୍ରହ୍ମପୁର ବିଧାନସଭା ଆସନ। ଏହା ଜିଲ୍ଲାର ଗୁରୁତ୍ବପୂର୍ଣ୍ଣ ବିଧାନସଭା ଆସନ। ଏଠାରୁ ୫ଥର ପ୍ରତିନିଧିତ୍ବ କରିଥିବା ବିଜେଡିର ବିଧାୟକ ଡା. ଚ୍ୟାଉ ପଟ୍ଟନାୟକଙ୍କୁ ଦଳ ଏଥର ଟିକେଟ ଦେଇନାହିଁ। ବିଧାୟକ ଚ୍ୟାଉ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ସେ ବିଜେଡିର ଶୃଙ୍ଖଳିତ କର୍ମୀ। ଦଳ ଯେଉଁମାନଙ୍କୁ ପ୍ରାର୍ଥୀ କରିଛି ମୁଁ ସେମାନଙ୍କୁ ସ୍ବାଗତ କରୁଛି। ଦଳୀୟ ପ୍ରାର୍ଥୀଙ୍କ ପାଇଁ ମୁଁ ପ୍ରଚାର କରିବି। ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ। ଦଳ ଆପଣକୁ ଟିକେଟ ନ ଦେଇ ଉପେକ୍ଷା କଲା ତାହାକୁ ଆପଣ କିଭିଳ ଦୃଷ୍ଟିରେ ଦେଖୁଛନ୍ତି ପ୍ରଶ୍ନରେ ସେ କହିଛନ୍ତି ଦଳର ସୁପ୍ରିମୋ ମୋତେ ଆଶ୍ବାସନା ଓ ପ୍ରତିଶ୍ରୁତି ଦେଇଛନ୍ତି। ଦଳ ସୁପ୍ରିମୋଙ୍କ ଉପରେ ମୋର ଆସ୍ଥା ଓ ବିଶ୍ବାସ ରହିଛି।

ଛତ୍ରପୁର ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନଙ୍କୁ ଦଳ ଏଥର ବିଶ୍ବାସକୁ ନେଇ ପାରିନାହିଁ। ସେ ଟିକେଟରୁ ବଞ୍ଚିତ ହୋଇଛନ୍ତି। ବିଜେଡି ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ବେହେରାଙ୍କୁ ଛତ୍ରପୁର ବିଧାନସଭା ଆସନ ଲାଗି ପ୍ରାର୍ଥୀ କରିଛି। ସୁବାସ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ୧୯୯୬ରେ ଏମ୍‌ବିଏ ପାସ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ। ୨୦୦୭ରେ ନରେନ୍ଦ୍ରପୁର ସରପଞ୍ଚ ହୋଇଥିଲେ। ଏହାପରେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜୋନ-୧୯ରୁ ଜିଲ୍ଲା ପରିଷଦ ସଦସ୍ୟ ଭାବେ ନିର୍ବାଚିତ ହୋଇ ଜିଲ୍ଲା ପରିଷଦର ଅଧ୍ୟକ୍ଷ ପଦ ମଣ୍ତନ କରିଛନ୍ତି। ଟିକେଟ ମିଳିବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଦଳର ସଭାପତି ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକେଟ ଦେଇଥିବାରୁ ତାଙ୍କୁ କୃତଜ୍ଞତା ଜଣାଉଛି। ନିର୍ବାଚନମଣ୍ତଳୀର ସମସ୍ତ କର୍ମୀ, ନେତାଙ୍କୁ ନେଇ କାମ କରବି ବୋଲି ସେ କହିଛନ୍ତି।

ଏସ୍‌ସି ବର୍ଗଙ୍କ ପାଇଁ ସ˚ରକ୍ଷିତ ଖଲ୍ଲିକୋଟ ବିଧାନସଭା ନିର୍ବାଚନମଣ୍ତଳୀରୁ ୨ଥର ବିଧାୟକ ହୋଇଥିବା ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦଳ ଏଥର ପ୍ରାର୍ଥୀ କରିନାହିଁ। କେଶପୁର ପଞ୍ଚାୟତର ସଭ୍ୟା କେ.କେ.ସୂର୍ଯ୍ୟମଣି ବୈଦ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ସେ ତେନ୍ତୁଳିଆପଲ୍ଲୀ ସମିତି ସଭ୍ୟ ତଥା ଯୁବନେତା ଦୈତାରୀ ବେହେରାଙ୍କ ପତ୍ନୀ। ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ସେ ତାଙ୍କ ସମର୍ଥକ ଓ କର୍ମୀଙ୍କ ସହ ଆଲୋଚନା ପରେ ଠୋସ୍‌ ପଦକ୍ଷେପ ନେବେ। ବିଜେପିର ବରିଷ୍ଠ ନେତା ପୂର୍ଣ୍ଣଙ୍କ ସହ ଯୋଗଯୋଗରେ ରହିଥିବା ଚର୍ଚ୍ଚା ଧରିଛି।

ଖଲ୍ଲିକୋଟରୁ ୭ଥର ଏବ˚ କବିସୂର୍ଯ୍ୟ ନଗରରୁ ୨ଥର ବିଧାୟିକା ହୋଇଥିବା ଖଲ୍ଲିକୋଟ ରାଣୀ ଭି.ସୁଜ୍ଞାନ ଦେଓଙ୍କୁ ଦଳ ଏଥର ଟିକେଟ ଦେଇନାହିଁ। ଅସୁସ୍ଥତା କାରଣରୁ ସେ ନିଜେ ଲଢିବାକୁ ଚାହିଁ ନାହାନ୍ତି ନା ଦଳ ଟିକେଟ ଦେଇନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କିନ୍ତୁ ଦଳ ଏଥର କବିସୂର୍ଯ୍ୟନଗର ନିର୍ବାଚନମଣ୍ତଳୀରୁ ପୂର୍ବତନ ଏମ୍‌ପି ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜମଙ୍ଗଳ ବୋର୍ଡର ଅଧ୍ୟକ୍ଷା ଲତିକା ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି ଦୁଇଥର ବିଧାୟକ ହୋଇଥିବା ଆସିକା ବିଧାୟକ ଦେବରାଜ ମହାନ୍ତି ମଧ୍ୟ ଟିକେଟ ପାଇବାରୁ ବଞ୍ଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର