ମେକ୍‌-ଇନ୍‌-ଓଡ଼ିଶାରେ ଭାଗ ନେବା ନିମନ୍ତେ ଜାପାନକୁ ପ୍ରସ୍ତାବ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜାପାନ ରାଷ୍ଟ୍ରଦୂତ

ଭୁବନେଶ୍ୱର : ଆଜି ସନ୍ଧ୍ୟାରେ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାପାନ ରାଷ୍ଟ୍ରଦୂତ କେଞ୍ଜି ହିରାମାସୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ସାକ୍ଷାତ ଅବସରରେ ଓଡ଼ିଶାରେ ଶିଳ୍ପ ପ୍ରସାର ଓ ପୁଞ୍ଜି ବିନିଯୋଗ ପାଇଁ ରହିଥିବା ଅନୁକୂଳ ପରିବେଶ ସଂପର୍କରେ ଶ୍ରୀ ହିରାମାସୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମୁଖ୍ୟମନ୍ତ୍ରୀ। ଆସନ୍ତା ନଭେମ୍ବରରେ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ଜାପାନ ସହଯୋଗୀ ରାଷ୍ଟ୍ର ଭାବେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଥିଲେ।

ବିଶେଷ କରି ଖାଦ୍ୟ ପ୍ରକ୍ରିୟାକରଣ, ଇସ୍ପାତ, ପେଟ୍ରୋକେମିକାଲ୍‌ସ, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌, ମୋଟର ଶିଳ୍ପ ଓ ଇଲେକ୍ଟ୍ରୋନିକ୍‌ ଦ୍ରବ୍ୟ ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ଏଥିପାଇଁ ଆସନ୍ତା ମେକ୍‌-ଇନ୍‌ଽଓଡ଼ିଶା କନ୍‌କ୍ଲେଭରେ ଜାପାନର ଯୋଗଦାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ।

ଅନ୍ୟପକ୍ଷରେ ଓଡ଼ିଶାରେ ବ୍ୟବସାୟ ଅନୁକୂଳ ପରିବେଶ ରହିଥିବା ନେଇ ରାଷ୍ଟ୍ରଦୂତ ହିରାମାସୁ ଉଚ୍ଚ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ଜାପାନ-ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଓ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ ସହିତ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ସୁଦୃଢ଼ କରାଯିବ ବୋଲି ସେ କହିଥିଲେ। ଆଲୋଚନାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ କୁମାର ପାଢ଼ୀ, ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଜାପାନର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର