ବିଜେପୁରର ବିକାଶ ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ ଶେଷ କରିବାକୁ ତାଗିଦ୍‌

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ବିଜେଡି ଢେର୍‌ ପ୍ରତିଶ୍ରୁତି ଦେଇଥିଲା। ଦଳୀୟ ପ୍ରାର୍ଥୀ ଜିତିଲା ପରେ ସରକାର ସେହି ଅଞ୍ଚଳର ବିକାଶକୁ ତ୍ୱରାନ୍ଵିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ବିଜେପୁରକୁ ଏକ ଆଦର୍ଶ ନିର୍ବାଚନମଣ୍ଡଳୀରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପୁର ନିର୍ବାଚନମଣ୍ଡଳୀର ତିନିଟି ବ୍ଲକ୍‌ ଗାଇସିଲଟ୍‌, ବିଜେପୁର ଓ ବରପାଲିରେ ବିଭିନ୍ନ ବିଭାଗ ପକ୍ଷରୁ ଉନ୍ନୟନମୂଳକ ପ୍ରକଳ୍ପ ଦ୍ରୁତ ଗତିରେ ଆଗେଇ ଚାଲିଛି। ପୂର୍ତ୍ତ ବିଭାଗ ପକ୍ଷରୁ ୯.୩୮ କୋଟି ଟଙ୍କା ବିନିଯୋଗରେ ବରପାଲିରେ ଗୋଟିଏ ରେଲେଓ୍ଵ ଓଭର୍‌ବ୍ରିଜ୍‌, ଗୋଟିଏ କେନାଲ୍‌ ସର୍ଭିସ୍‌ ରୋଡ୍‌ ଓ ବରପାଲି-ବିଜେପୁୁରରେ ଗୋଟିଏ ସଡ଼କ ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି। ସେହିପରି ୩.୫୨ କୋଟି ଟଙ୍କା ବିନିଯୋଗରେ ୭ଟି ଅଣଯୋଜନା ସଡ଼କ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ୫.୬୬ କୋଟି ଟଙ୍କା ବିନିଯୋଗରେ ୪ଟି ସଡ଼କ ପ୍ରକଳ୍ପ ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ୩୪ଟି ସଡ଼କ ପ୍ରକଳ୍ପର ଉନ୍ନତିକରଣ ଓ ମରାମତି କାର୍ଯ୍ୟ ମଧ୍ୟରୁ ୨୯ଟି କାମ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ବାକି ୫ଟିର କାର୍ଯ୍ୟ ଖୁବ୍‌ ଶୀଘ୍ର ଶେଷ ହେବ ବୋଲି ଜଣାପଡ଼ିଛି। ୩୬ଟି ଅଣଯୋଜନା ବିଲ୍‌ଡିଂ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବିଜେପୁରରେ ୨ କୋଟି ଟଙ୍କା ବିନିଯୋଗରେ ଏକ ମଡେଲ୍‌ ସ୍କୁଲ୍‌ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ସେହିପରି ଅଙ୍ଗ ନଦୀ ଉପରେ ୧୨ କୋଟି ୮୬ ଲକ୍ଷ ଟଙ୍କା ବିନିଯୋଗେର ଏକକ ବୃହତ ସେତୁ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି।

ଦୀନଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନାରେ ଗ୍ରାମ୍ୟ ବିଦ୍ୟୁତିକରଣ, େଓ୍ଵସ୍‌କୋ ଜରିଆରେ ଟ୍ରାନ୍ସଫର୍ମର୍‌ର ଉନ୍ନତିକରଣ, ୩ଟି ଯାକ ବ୍ଲକ୍‌ରେ ପାଇପ ଜଳ ପ୍ରକଳ୍ପ ଓ ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା କରାଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ କାମରେ ବିଶେଷ ଅଗ୍ରଗତି ହୋଇ ନ ଥିବାରୁ ମୁଖ୍ୟମନ୍ତ୍ରୀ ବୈଠକରେ ଅସନ୍ତୋଷ ପ୍ରକାଶ କରିଥିଲେ। ୧୯,୨୦୦ ହେକ୍ଟର ଜଳସେଚନ କ୍ଷମତା ବିଶିଷ୍ଟ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପ କାମ ତୁରନ୍ତ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପଗୁଡ଼ିକର ମାନକୁ ଧ୍ୟାନ ଦେଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଦୁଇ ମାସ ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ବିଜେପୁର ଉନ୍ନୟନ କାମର ସମୀକ୍ଷା କରିବେ।

ବୈଠକରେ ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ, ବିଜେପୁର ବିଧାୟିକା ରୀତା ସାହୁ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌ ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାପାଳ ବିଜେପୁରର ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଉପସ୍ଥାପନା କରିଥିଲେ।

ସମ୍ବନ୍ଧିତ ଖବର