ମା’ମାନଙ୍କ ସହଯୋଗ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ, ନିଜାମୁଦ୍ଦିନ୍ ଫେରନ୍ତାଙ୍କୁ ନିଜ ଆଡ଼ୁ ପଞ୍ଜୀକରଣ କରିବାକୁ କହିଲେ

ସଚେତନତା ବାର୍ତ୍ତା ଦେଲେ, ପାଣ୍ଡିଆନ୍ ବି ଲେଖିଲେ ଚିଠି

ଭୁବନେଶ୍ବର: କରୋନା ସହ ଲଢ଼େଇ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବାର୍ତା ଦେଇଛନ୍ତି। କହିଛନ୍ତି ଯେ କେବଳ ସଚେତନତା ଦ୍ୱାରା ହିଁ ଆମେ କରୋନା ସଂକ୍ରମଣକୁ ରୋକି ପାରିବା। କରୋନାକୁ ଡରିବାର କିଛି ନାହିଁ। ହେଲେ ଆମକୁ ସାବଧାନ ରହିବାକୁ ପଡ଼ିବ। ଏଥିସହିତ ମୁଖ୍ୟମନ୍ତ୍ରୀ ଦିଲ୍ଳୀ ନିଜାମୁଦ୍ଦିନ ଧର୍ମସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ଟୋଲ ଫ୍ରି ନମ୍ବର ୧୦୪ରେ ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି କାର୍ତିକେୟନ୍ ପାଣ୍ଡିଆନ୍ ମଧ୍ୟ ସମସ୍ତ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି। କହିଛନ୍ତି ଯେ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯେଉଁମାନେ ଯୋଗଦେଇଥିଲେ, ସେମାନଙ୍କୁ ଚିହ୍ନଟ କରିବା ସହିତ ତାଙ୍କ ମନରେ ସାହସ ଦିଅନ୍ତୁ। ସରକାର ସେମାନଙ୍କୁ ସମସ୍ତ ସହଯୋଗ ଯୋଗାଇଦେବେ ଓ ସ୍ବାସ୍ଥ୍ୟସେବା ବି। ତଥ୍ୟ ଜଣାଇବାରେ ବିଳମ୍ବ କଲେ ଏହା ସମସ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।
ଓଡ଼ିଶାରେ କରୋନା ସଂକ୍ରମଣକୁ େରାକିବା ଲାଗି ରାଜ୍ୟ ସରକାର ଗୋଟିଏ ପଟେ ଭୁବନେଶ୍ବର, କଟକ ଓ ଭଦ୍ରକ ସମେତ ଅନ୍ୟ କିଛି ସ୍ଥାନକୁ ସଟ୍‌ଡାଉନ ବା ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। ଅନ୍ୟପଟରେ ବ୍ୟବସ୍ଥା ଉପରେ ଭରସା ରଖି କିଭଳି ଅଧିକରୁ ଅଧିକ ଲୋକ ନିଜ ଆଡୁ ପରୀକ୍ଷାପାଇଁ ଆସିବେ, ସେ ନେଇ ମଧ୍ୟ ଉଦ୍ୟମ ଜାରି ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ବାରମ୍ବାର ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ହେଲେ ନିଜାମୁଦ୍ଦିନ୍ ଧର୍ମାବଲମ୍ବୀ ଫେରିବା ଓ ଏକାଧିକ ସଂକ୍ରମିତ ବ୍ୟକ୍ତିଙ୍କୁ ଠାବ କରିବା ପରେ ମୁଖ୍ୟମନ୍ତ୍ରୀ ଆଜି ଆଉଥରେ କହିଛନ୍ତି, ‘ଦିଲ୍ଲୀ ନିଜାମୁଦ୍ଦିନ୍ ସମ୍ମିଳନୀରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣ ଟୋଲ୍ ଫ୍ରି ନମ୍ବର-୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଚା ଭିତରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋର ସରକାର ଆପଣଙ୍କ ସାଥିରେ ଅଛନ୍ତି। ମା’ମାନଙ୍କୁ ଅନୁରୋଧ ନିଜର ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।’

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ‘କରୋନା ମାନବଜାତିର ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ମୁଁ ପୁଣି ଥରେ ନିଜାମୁଦ୍ଦିନ୍ ସଭାରେ ଯୋଗ ଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ ପାଇଁ ଆଗେଇ ଆସନ୍ତୁ। ବିଳମ୍ବ କଲେ ଏହା ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ। ଆପଣମାନଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ମାନବ ଜାତିର ବଡ଼ ଉପକାର କରିପାରିବ।’ ସେହିଭଳି ସଦ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବିଜେଡି ନେତା ମୁନା ଖାଁ ମଧ୍ୟ ସୋସିଆଲ ମିଡିଆରେ ନିଜାମୁଦ୍ଦିନ୍ ସମାବେଶରୁ ଫେରିଥିବା େଲାକଙ୍କୁ ୧୦୪ ନମ୍ବରରେ ଫୋନ କରି ପଞ୍ଜୀକରଣ କରିବା ଲାଗି ନିବେଦନ କରିଛନ୍ତି। ସେପଟେ ଶ୍ରୀ ପାଣ୍ଡିଆନ୍ ମଧ୍ୟ ଲେଖିଛନ୍ତି ଯେ ଜିଲ୍ଲାପାଳ, ପୋଲିସ ନିଜ ସୂତ୍ର ମାଧ୍ୟମରେ ସେମାନଙ୍କୁ ଚିହ୍ନଟ କରନ୍ତୁ ।

ସମ୍ବନ୍ଧିତ ଖବର