ସଫଳତାର ରହସ୍ୟ ଖୋଲିଲେ ନବୀନ: ସବୁ ‌ଶ୍ରେୟ ମୋର ନୁହେଁ, ଟିମ୍ ଓ୍ୱାର୍କ

ଲୋକକମାନେ ଉତ୍ତରାଧିକାରୀ ବାଛିବେ, କୋହଲି ପସନ୍ଦର ଖେଳାଳି, ନେତା ଅନେକ

ଭୁବନେଶ୍ବର: ମୋ ସରକାରର ସଫଳତାର ସବୁ ଶ୍ରେୟ ମୋର ନୁହେଁ। କିଛି ଅଧିକାରୀ, ରାଜନେତା ଓ ବିଧାୟକଙ୍କୁ ନେଇ ଆମେ ଗୋଟିଏ ଟିମ୍‌ରେ କାମ କରୁଛୁ। ଯେଉଁଥିପାଇଁ ସଫଳତା ପାଇଛୁ। ରାଜ୍ୟରେ ପରିବର୍ତ୍ତନ ଆଣିବା ପାଇଁ ଏହି ଟିମ୍ କାମ କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ନିଉ ଇଣ୍ଡିଆନ ଏକ୍ସପ୍ରେସ୍‌ ପକ୍ଷରୁ ମେ’ ଫେୟାର କନଭେନସନ୍‌ରେ ଚାଲିଥିବା ‘ଅ’ ଓଡ଼ିଶା ସାହିତ୍ୟ ଉତ୍ସବର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ଅନେକ ନୂଆ ନୂଆ ତଥ୍ୟ େଲାକଲୋଚନକୁ ଆଣିଛନ୍ତି।

ନବୀନ ରାଜନୀତିକୁ ଆସିବା ପୂର୍ବରୁ ଲେଖାଲେଖି କରୁଥିଲେ ହେଁ ଏବେ ଆଉ ଲେଖୁନାହାନ୍ତି। ଲେଖାଲେଖି କରିବା ସମୟରେ ସାମ୍ବାଦିକ ହେବା ନେଇ ଆକାଂକ୍ଷା ଥିଲା କି େବାଲି ଆଜି ତାଙ୍କୁ ପ୍ରଶ୍ନ ପଚରାଯାଇଥିଲା। ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆଗରୁ ତିନିଟି ବହି ଲେଖିଛି। ଭବିଷ୍ୟତରେ ମୋ ଅବସର ପରେ ଲେଖିବି। ଆତ୍ମଜୀବନୀ ଲେଖିବା ନେଇ ପ୍ରଶ୍ନରେ ନବୀନ କହିଥିଲେ, ଏନେଇ ସେ ଚିନ୍ତା କରିନାହାନ୍ତି। ସେହିପରି ତାଙ୍କ ଉତ୍ତରାଧିକାରୀ କିଏ ହେବ ପ୍ରଶ୍ନର ଉତ୍ତର ଦେଇ ନବୀନ କହିଥିଲେ ଯେ, ମୁଁ ବିଶ୍ବାସ କରେ ଲୋକମାନେ ମୋ ଉତ୍ତରାଧିକାରୀ ବାଛନ୍ତୁ। ମୁଁ ମୋ ନିଜ ଉତ୍ତରାଧିକାରୀ ବାଛିବା ସପକ୍ଷରେ ନାହିଁ।

ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମ୍ପର୍କ ଭଲ ହେବା ନେଇ ନବୀନ କହିଥିଲେ, ଆମେ କେନ୍ଦ୍ର ସରକାରଙ୍କ ଠାରୁ ଗଠନମୂଳକ ସହଯୋଗ ଆଶା କରୁଛୁ। ରାଜ୍ୟର ଉନ୍ନତି ପାଇଁ ଯାହା ଗଠନମୂଳକ ଏବଂ ସୃଜନାତ୍ମକ ଆମେ ତାକୁ ସମର୍ଥନ କରିବୁ। ସେହିପରି ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଥିେଲ, ଗତ କିଛି ପାଳିରେ ଓଡ଼ିଶାବାସୀଙ୍କ ପାଇଁ ବହୁତ ଉନ୍ନତିମୂଳକ କାର୍ଯ୍ୟ କରିଛୁ। ଆସନ୍ତା ୫ବର୍ଷରେ ଅଧିକ କିଛି କରିବାକୁ ଯୋଜନା କରିଛୁ। ‘ମୋ ସରକାର ’ଯୋଜନା ଏବଂ ‘୫ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ଏହାକୁ ହାସଲ କରିବୁ। ସଚିବାଳୟ ନାମ ଲୋକସେବା ଭବନ କରିବା ନେଇ ସେ କହିଥିଲେ ଯେ, ଆମେ ଦେଖାଇବାକୁ ଚାହୁଁଛୁ ଆମେ ଲୋକ କୈନ୍ଦ୍ରୀକ ସରକାର। ସେହିପରି କ୍ରୀଡ଼ା କ୍ଷେତ୍ରରେ ରାଜ୍ୟ ସରକାର ଅଧିକ ପୁଞ୍ଜିନିବେଶ କରିବା ନେଇ ନବୀନ କହିଛନ୍ତି ଯେ, ଓଡ଼ିଶାକୁ କ୍ରୀଡ଼ା କ୍ୟାପିଟାଲ କରିଛୁ। କ୍ରୀଡ଼ାରେ ନିବେଶ ଅର୍ଥ ଯୁବପିଢ଼ିଙ୍କ ଉପରେ ନିବେଶ। ଯୁବପିଢ଼ିଙ୍କ ଉପରେ ନିବେଶ ହେଉଛି ଭବିଷ୍ୟତ ଉପରେ ନିବେଶ।

ନବୀନ କହିଛନ୍ତି ଯେ, ତାଙ୍କର ପ୍ରିୟ ଲେଖକ ହେଉଛନ୍ତି ଫକୀର ମୋହନ ସେନାପତି। ତାଙ୍କର ପସନ୍ଦର ଖେଳାଳି ହେଉଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି। କିନ୍ତୁ ତାଙ୍କର ପସନ୍ଦର ଅଭିନେତା, ଅଭିନେତ୍ରୀ କିଏ ବୋଲି ପଚାରିବାରୁ ସେ କହିଥିଲେ ବ୍ୟସ୍ତତା ଭିତରେ ଟିଭି କି ଚଳଚ୍ଚିତ୍ର ଦେଖିବାକୁ ସମୟ ହୁଏନି। ଆଗରୁ ଫିଲ୍ମ ଦେଖିଥିଲେ। କାହା ନାଁ ମନେ ନାହିଁ। ସେହିପରି ତାଙ୍କର ପସନ୍ଦର ରାଜନେତା କିଏ ବୋଲି ପଚାରିବାରୁ ସେ କହିଥିଲେ ଜଣେ ନୁହେଁ, ବହୁତ ଅଛନ୍ତି। ଅନ୍ୟମାନଙ୍କ ଭଳି ନବୀନ ବି କିଛି ମଜା କଥା ଶୁଣିଲେ ହସନ୍ତି ବୋଲି କହିଛନ୍ତି। ଏପରିକି କିଛି ସତ ନଥାଇ ଗୁଜବ ସୃଷ୍ଟି ହେଲେ ସେ ହସନ୍ତି ବୋଲି କହିଛନ୍ତି। ନବୀନ ସୁସ୍ଥ ରହିବାର ରହସ୍ୟରେ କହିଛନ୍ତି ଯେ, ମୁଁ ବ୍ୟାୟାମ କରେ ଏବଂ ଡାଏଟ୍‌ରେ ଅଛି। ଦିନକୁ ଦୁଇଥର ସକାଳେ ଓ ସଂଧ୍ୟାରେ ବ୍ୟାୟାମ କରେ। କମ୍‌ ବି ଖାଏ। ଯୁବପିଢ଼ି ଦାରିଦ୍ର୍ୟ ଦୂରୀକରଣ ଏବଂ ରାଜ୍ୟର ବିକାଶ ପାଇଁ କାମ କରନ୍ତୁ ବୋଲି ନବୀନ ଯୁବବର୍ଗଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର