ଜଙ୍ଗଲ ଓ ପରିବେଶ ଏନ୍‌ଓସି ତୁରନ୍ତ ମିଳୁ

ଭୁବନେଶ୍ୱର: କୌଣସି ପ୍ରକାରର ଉନ୍ନତିମୂଳକ କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏନ୍‌ଓସି ବାଧକ ନ ସାଜୁ। ଫାଷ୍ଟ ଟ୍ରାକ୍‌ ଭିତ୍ତିରେ ଏହି ଅନୁମତି ପ୍ରଦାନ କରିବା ପାଇଁ ଡିଏଫ୍‌ଓମାନେ ପଦକ୍ଷେପ ନେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ସଚିବାଳୟରେ ଆୟୋଜିତ ଡିଏଫ୍‌ଓ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ ଯେ, ଗତ ଦୁଇ ଦଶନ୍ଧି ମଧ୍ୟରେ ୩.୪ ଲକ୍ଷ ହେକ୍ଟର ଜଙ୍ଗଲ ସୃଷ୍ଟି ହୋଇଛିି। ଡିଏଫ୍‌ଓମାନେ ଆମ ଜଙ୍ଗଲ ଯୋଜନା, ସବୁଜ ମହାନଦୀ ମିସନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ଓ ଇକୋ ଡେଭଲପମେଣ୍ଟ କମିଟିକୁ ସାମିଲ୍‌ କରି ସବୁଜିମା ବଢ଼ାଇବା ଦିଗରେ ଗୁରୁତ୍ୱ ଦେବା ଦରକାର। ସବୁଜିମା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଥିଲେ। ଏହାବ୍ୟତୀତ ଯେପରି ମଣିଷ-ବନ୍ୟପ୍ରାଣୀ ଲଢେଇ କମିବ ଏବଂ ମଣିଷ-ବନ୍ୟପ୍ରାଣୀ ଲଢେଇର ମୃତ୍ୟୁ/ଆହତ ହେଉଥିବା ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ମିଳିବ ସେନେଇ ଡିଏଫ୍‌ଓମାନେ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କେନ୍ଦୁ ପତ୍ର ଯୋଗୁଁ ୮ଲକ୍ଷ ବ୍ୟକ୍ତିଙ୍କ ଗୁଜୁରାଣ ମେଣ୍ଟୁଥିବାରୁ ଏଥିରେ ସାମିଲ୍‌ ହେଉଥିବା କେନ୍ଦୁ ପତ୍ର ଗୋଟାଳି, ବନ୍ଧାଳି ଏବଂ ସଂଗ୍ରହକାରୀ ଯେପରି ସମସ୍ତ ସୁବିଧା ସୁଯୋଗ ପାଇବେ ସେଥିପ୍ରତି ଡିଏଫ୍‌ଓମାନେ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଜିର ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ଏବଂ ପିସିସିଏଫ୍‌ ସୁବାସ ମିଶ୍ର ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର