ଏକକ ନିର୍ବାଚନ ପ୍ରସଙ୍ଗକୁ ସମର୍ଥନ କଲେ ନବୀନ; ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତା ମାପଦଣ୍ଡକୁ ‘ପ୍ରାକୃତିକ ବିପର୍ଯ୍ୟୟ’ ଆଧାରିତ କରିବା ଦାବି ଦୋହରାଇଲେ
ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏକକ ନିର୍ବାଚନ ପ୍ରସ୍ତାବକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି । ବୈଠକରେ ଯୋଗଦେଇ ନବୀନ କହିଛନ୍ତି କି, ଦେଶର ବିକାଶ ପଥରେ ଗତିଶୀଳତା ପାଇଁ ‘ଏକ ଦେଶ ଏକ ନିର୍ବାଚନ’ ପ୍ରସ୍ତାବକୁ ବିଜେଡିର ପୂର୍ଣ୍ଣ ସହମତି ରହିଛି । କାରଣ ବାରମ୍ବାର ନିର୍ବାଚନ ଦ୍ୱାରା ଦେଶର ବିକାଶରେ ବାଧା ସୃଷ୍ଟି ହେଉଛି । ଏକକ ନିର୍ବାଚନ ପ୍ରଥା ବିଶ୍ୱଦରବାରରେ ଭାରତର ପରିଚୟ ସୃଷ୍ଟି କରିପାରିବ । ତେଣୁ ଏକକ ନିର୍ବାଚନ ହେବା ଜରୁରୀ ବୋଲି ମତ ରଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ।
Sambad is now on WhatsApp
Join and get latest news updates delivered to you via WhatsApp
ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀରେ ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦକୁ ସ୍ଥାନିତ କରାଯାଉ ବୋଲି ନବୀନ ବୈଠକରେ ଯୁକ୍ତି ବାଢ଼ିଛନ୍ତି । ଏହା ଦ୍ବାରା ଦେଶର ଆଗାମୀ ପୀଢ଼ି ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବ।
ନିଜ ବକ୍ତବ୍ୟରେ ନବୀନ କହିଛନ୍ତି, ତୃଣମୂଳସ୍ତରରୁ ବିକାଶ କରିପାରିଲେ ଦେଶର ବିକାଶ ହୋଇପାରିବ । ଯେମିତିକି, ଜିଲ୍ଲାସ୍ତରରେ ବ୍ୟାଙ୍କିଂ, ରେଳ ସେବା ସହ ରାଜ୍ୟକୁ କେନ୍ଦ୍ରର ସହାୟତା ବେଶ୍ ଗୁରୁତ୍ୱ ବହନ କରୁଛି, ସେହିଭଳି ବନ ସଂରକ୍ଷଣ ଏବଂ ଦେଶର ଆର୍ଥିକ ଅଗ୍ରଗତି ପରସ୍ପର ପରିପୂରକ ହୋଇଥିବା ହେତୁ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ ।
ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟର ‘ସ୍ୱତନ୍ତ୍ର ଫୋକସ୍ ରାଜ୍ୟ’ ମାନ୍ୟତାର ମାପଦଣ୍ଡ କରାଯାଉ ବୋଲି ସର୍ବଦଳୀୟ ବୈଠକରେ ମତ ରଖିଛନ୍ତି ନବୀନ । ପରିଶେଷର ଦେଶର ବିକାଶ କ୍ଷେତ୍ରରେ ଯାହା ଆବଶ୍ୟକ ବିଜୁ ଜନତା ଦଳ ତାହାକୁ ପୂର୍ଣ୍ଣ ସମର୍ଥନ ଜଣାଇବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।