ଏକକାଳୀନ ନିର୍ବାଚନକୁ ନବୀନଙ୍କ ସମର୍ଥନ, କହିଲେ ପ୍ରତିବର୍ଷ ନିର୍ବାଚନ ହେଉଥିବାରୁ କାମରେ ବ୍ୟାଘାତ ସୃଷ୍ଟି ହେଉଛି

ଭୁବନେଶ୍ୱର : ଏକକାଳୀନ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି ।  ସେ କହିଛନ୍ତି ଯେ ଲୋକଙ୍କ ପାଇଁ କାମ କରିବାକୁ ଆମେ ନିର୍ବାଚିତ ହୋଇଛୁ । କିନ୍ତୁ ପ୍ରତିବର୍ଷ ନିର୍ବାଚନ ହେଉଥିବାରୁ ଲୋକଙ୍କ ପାଇଁ କାମ କରିବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ଏଣୁ ଏକକାଳୀନ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ଆମେ ସମର୍ଥନ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଏକକାଳୀନ ନିର୍ବାଚନ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲାଗି  ଲ’ କମିଶନ  ଏକ ପତ୍ରଲେଖିଥିଲା । ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।

ଦେଶରେ ଏକକାଳୀନ ନିର୍ବାଚନ କରିବା ଲାଗି କେନ୍ଦ୍ରର ମୋଦି ସରକାର  ଦେଇଥିବା ପ୍ରସ୍ତାବକୁ  ଦେଶର କିଛି ରାଜନୈତିକ ଦଳ ସମର୍ଥନ କରୁଥିବାବେଳେ ଆଉ କିଛି ବିରୋଧ କରୁଛନ୍ତି । ହେଲେ ଏହାକୁ ପୂର୍ବରୁ ଲ’ କମିଶନ ସମର୍ଥନ କରିସାରିଛି । କମିଶନର ଏକ ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ  ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯାଇପାରିବ । ଆୟୋଗର ସୁପାରିଶ ଅନୁସାରେ ୨୦୧୯ ଓ ୨୦୧୪ରେ ଦୁଇଟି ପର୍ଯ୍ୟାୟରେ ଏହାକୁ ଲାଗୁ କରାଯାଇପାରେ । ଏଥିପାଇଁ ସମ୍ବିଧାନ ଓ ଜନପ୍ରତିନିଧି ଆଇନରେ ସଂଶୋଧନ କରାଯିବାକୁ ସୁପାରିଶ କରାଯାଇଛି । ଏହି ଚିଠା ସୁପାରିଶ ଅନୁସାରେ ୨୦୧୯ରେ ସାଧାରଣ ନିର୍ବାଚନ ସହ ଆନ୍ଧ୍ର,ଆସାମ, ବିହାର,ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ନିର୍ବାଚନ କରାଯିବ । ସେହିପରି ୨ୟ ପର୍ଯ୍ୟାୟ ୨୦୧୪ରେ ଲୋକସଭା ନିର୍ବାଚନ ସହ ଏସବୁ ରାଜ୍ୟ ତାଲିକାରେ ସହ ଦିଲ୍ଲୀ, ଉତ୍ତରପ୍ରଦେଶ,ଗୁଜରାଟ, କର୍ଣ୍ଣାଟକ ଓ ପଂଜାବକୁ ଯୋଗ କରାଯିବ । ଏହି ସମୟ ସହ ତାଳ ଦେବା ପାଇଁ ସଂପୃକ୍ତ ରାଜ୍ୟମାନଙ୍କ ବିଧାନସଭାର କାର୍ଯ୍ୟକାଳକୁ ବୃଦ୍ଧି କରାଯିବ । ଅନ୍ୟପକ୍ଷରେ ୫ ବର୍ଷ ମଝିରେ କୌଣସି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଲେ ତା ପରେ ଏକ ଆସ୍ଥା ପ୍ରସ୍ତାବ (ବିରୋଧୀ ଦଳ ପାଇଁ) ମଧ୍ୟ ଆସିବ ।  ଏହା ଦ୍ୱାରା ଯଦି ଏକ ବିକଳ୍ପ ସରକାର ଗଠନ ପାଇଁ ବିରୋଧୀ ଦଳଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥାଏ ତେବେ ସରକାର ଭଙ୍ଗାଯାଇପାରିବ ନାହିଁ ।

 

ସମ୍ବନ୍ଧିତ ଖବର