କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପାଇଁ ଅନୁବାଦକ ଡ଼.ଅଜୟ କୁମାର ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପୁସ୍ତକ ପାଇଁ ୨୦୧୯ର କେନ୍ଦ୍ର ସାହିତ୍ୟ ଅକାଦେମି ଅନୁବାଦ ପୁରସ୍କାର ପାଇବେ ବିଶିଷ୍ଟ ଅନୁବାଦକ ଡକ୍ଟର ଅଜୟ କୁମାର ପଟ୍ଟନାୟକ। ଏହି ପୁସ୍ତକରେ ରାଜା ରାଧିକାରମଣ ପ୍ରସାଦ ସିଂହ, ପ୍ରେମଚନ୍ଦ, ୟଶପାଲଙ୍କଠାରୁ ଭୀଷ୍ମ ସାହାଣୀଙ୍କ ପର୍ଯ୍ୟନ୍ତ ୨୫ ଜଣ ବିଶିଷ୍ଟ ହିନ୍ଦୀ ଲେଖକଙ୍କ ପ୍ରତିନିଧିମୂଳକ ହିନ୍ଦୀ ଗଳ୍ପର ଓଡ଼ିଆ ଅନୁବାଦ ସଙ୍କଳିତ ହୋଇଛି। ଡକ୍ଟର ଅଜୟ କୁମାର ପଟ୍ଟନାୟକଙ୍କ ଏହି କୃତିତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁଭେଚ୍ଛା ଜଣାଇଛନ୍ତି | ନବୀନ ଟ୍ୱିଟ କରି ଲେଖିଛନ୍ତି ଯେ ଅନୁବାଦ ସାହିତ୍ୟ କ୍ଷେତ୍ରରେ ତାଙ୍କର ଏହି ସଫଳତା ଓଡ଼ିଶା ପାଇଁ ଗୌରବର ବିଷୟ। ତାଙ୍କର ସାହିତ୍ୟ ସୃଷ୍ଟି ଗୁଡିକ ଓଡ଼ିଆ ସାହିତ୍ୟକୁ ଆହୁରି ସମୃଦ୍ଧ କରିବ।


ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ ଓଡ଼ିଆ ଭାଷାରେ ଅନୁବାଦିତ “ଶ୍ରେଷ୍ଠ ହିନ୍ଦୀ ଗଳ୍ପ” ପାଇଁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇବାକୁ ଯୋଗ୍ୟବିବେଚିତ ହୋଇଥିବା ବିଶିଷ୍ଟ ଓଡିଆ ସାହିତ୍ୟିକ ଅଜୟ କୁମାର ପଟ୍ଟନାୟକଙ୍କୁ ଅଭିନନ୍ଦନ । ଅନୁବାଦ ପୁରସ୍କାର ପାଇବା ସମ୍ପର୍କରେ ‌ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ଅନେକ ବଡ଼ ପୁରସ୍କାର ପାଇଥିଲେ ମଧ୍ୟ ସାହିତ୍ୟ ଅକାଦେମି ପୁରସ୍କାର ପାଇ ନ ଥିବାରୁ ମୋ ମନରେ ଗୋଟେ ଅବସୋସ ଥିଲା।

ଜଣେ ସାହିତ୍ୟିକ ପାଇଁ ସାହିତ୍ୟ ଅକାଦେମି ପୁରସ୍କାର ହେଉଛି ସର୍ବୋଚ୍ଚ ସମ୍ମାନ। ସାହିତ୍ୟ ଅକାଦେମିର ସ୍ବୀକୃତି ବହୁ ମୂଲ୍ୟବାନ। ତାହା ମିଳିଥିବାରୁ ବହୁତ ଖୁସି ଲାଗୁଛି।’ ଏଥର ଓଡ଼ିଆ ଭାଷାର ଅନୁବାଦ ପୁରସ୍କାର ଚୟନ ପାଇଁ ଗଠିତ ବିଚାରକ ମଣ୍ଡଳୀରେ ଥିଲେ ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ, ସୂର୍ଯ୍ୟମଣି ଖୁଣ୍ଟିଆ ଓ ଅମିୟବାଳା ପଟ୍ଟନାୟକ। ଅକାଦେମିର ସଭାପତି ଚନ୍ଦ୍ର‌େଶଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ବୈଠକ ଅକାଦେମିର ସଚିବ କେ. ଶ୍ରୀନିବାସ ରାଓ ଏହି ପୁରସ୍କାର ଘୋଷଣା କରିଥିଲେ। ଏହି ପୁରସ୍କାର ବାବଦକୁ ୫୦ ହଜାର ଟଙ୍କା ଓ ତାମ୍ରଫଳକ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର