ଝାରସୁଗୁଡ଼ା ବିମାନ ବନ୍ଦର ନାମକରଣ ପ୍ରସଙ୍ଗ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଝାରସୁଗୁଡ଼ା ବିମାନ ବନ୍ଦର ନାମକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି ଯେ, ଝାରସୁଗୁଡ଼ା ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେବା କଥା। ଏସଂପର୍କରେ ଭାରତ ସରକାର ଏପର୍ଯ୍ୟନ୍ତ ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି। ଫଳରେ ପଶ୍ଚିମ ଓଡ଼ିଶାବାସୀଙ୍କ ମନରେ ଆଘାତ ଲାଗିଛି।

ନବୀନ ପଟ୍ଟନାୟକ କହିଛନ୍ତି, ବିମାନ ବନ୍ଦରରୁ ଅକ୍ଟୋବର ୬ରୁ ଏୟାର ଓଡ଼ିଶାର ବିମାନ ଉଡି ନାହିଁ। ଭୁବନେଶ୍ୱର-ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଝାରସୁଗୁଡ଼ା ଦେଇ ଉଡାଣ କରୁ। ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡାଣ ଯୋଜାନା ଜାରି ରଖୁ। ଉଡାଣ ସମେତ ବାଣିଜ୍ୟିକ ବିମାନ ଉଡାଇବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ବହୁ ପ୍ରତିକ୍ଷୀତ ଝାରସୁଗୁଡ଼ା ବିମାନ ବନ୍ଦରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସେପ୍ଟେମ୍ବର ୨୨ରେ ଉଦ୍‌ଘାଟନ କରିଥିଲେ।ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଏହି ବିମାନବନ୍ଦର ପାଇଁ ରାଜ୍ୟ ସରକାର ୧୨୦ଏକର ମାଗଣା ଜମି, ଜଳ ଓ ବିଦ୍ୟୁତ ଯୋଗାଇଛନ୍ତି। ଏହି ବିମାନବନ୍ଦର ବିକାଶ ପାଇଁ ମଧ୍ୟ ସରକାରଙ୍କ ପକ୍ଷରୁ ୭୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ବିମାନବନ୍ଦର ସଂପ୍ରସାରଣ ପାଇଁ ରାଜ୍ୟ ସରକାର ସମସ୍ତ ଆବଶ୍ୟକ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।

ଝାରସୁଗୁଡା ବିମାନବନ୍ଦରକୁ ଏକ ବାଣିଜ୍ୟିକ ବିମାନ ବନ୍ଦରରେ ପରିଣତ କରିବା ଲାଗି କେନ୍ଦ୍ର ସରକାର ଉଡାନ୍‌ ଅନ୍ତର୍ଗତ ବିମାନ ବ୍ୟତୀତ ଅନ୍ୟ ବ୍ୟାବସାୟିକ ବିମାନ ଚଳାଇବା ଲାଗି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏୟାର ଇଣ୍ଡିଆ ବିମାନ ମଧ୍ୟରୁ ଗୋଟିଏ ବିମାନକୁ ଝାରସୁଗୁଡା ଦେଇ ଚଳାନ୍ତୁ। ଯେଉଁ ସିଟ୍‌ ବଳକା ରହିବ, ସେ ବାବଦ ଅର୍ଥ ରାଜ୍ୟ ସରକାର ଦେବେ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଏକ ବଡ଼ ପ୍ରସ୍ତାବ ରଖିଥିଲେ।

ସମ୍ବନ୍ଧିତ ଖବର