ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ ସିଏସ୍‌ଆର୍‌ କାର୍ଯ୍ୟ ଭାବେ ବିବେଚନା ହେଉ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନକୁ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାର ସିଏସ୍‌ଆର୍‌ କାର୍ଯ୍ୟ ଭାବେ ବିବେଚନା କରାଯାଉ। ସେଥି ପାଇଁ କମ୍ପାନି ଆକ୍ଟ, ୨୦୧୩ରେ ଆବଶ୍ୟକ ସଂଶୋଧନ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ। ଆଜି ଏହି ମର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥା ସାମାଜିକ କାର୍ଯ୍ୟ କରାଯାଉଥିବାରୁ ଆଇନ୍‌ରେ ସଂଶୋଧନର ନିଶ୍ଚିତ ଆବଶ୍ୟକତା ଅଛି ବୋଲି ମୁଖ୍ୟମନ୍ତ୍ରୀ ଯୁକ୍ତି ଦର୍ଶାଇଛନ୍ତି।

ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଅନ୍ୟ ରାଜ୍ୟ ପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିର ଅର୍ଥକୁ ଗରିବଙ୍କ ହିତରେ ଖର୍ଚ୍ଚ କରାଯାଉଛି। ଚିକିତ୍ସା, ଅସ୍ୱାଭାବିକ ମୃତ୍ୟୁ ହେଲେ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପାମୂଳକ ସହାୟତା, ରାସ୍ତା ଓ ରେଳ ଦୁର୍ଘଟଣାରେ ଦୁର୍ଘଟଣାଗ୍ରସ୍ତଙ୍କୁ କ୍ଷତିପୂରଣ ଆଦି ଏହି ପାଣ୍ଠିରୁ ଦିଆଯାଉଛି। ସେହିପରି ‘ହରିଶ୍ଚନ୍ଦ୍ର ସହାୟତା ଯୋଜନା’, ‘ମହାପ୍ରୟାଣ’ ଆଦି ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବି ଏଥରୁ ଅର୍ଥ ଦିଆଯାଉଛି। ଏପରିକି ଅନ୍ୟ ରାଜ୍ୟ ଓ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ରିଲିଫ୍‌ ଦିଆଯାଉଛି।

ଏତେ ପରିମାଣରେ କାର୍ଯ୍ୟ ରିଲିଫ୍‌ ପାଣ୍ଠିରୁ କରାଯାଉଥିବାରୁ ଏହି ପାଣ୍ଠିକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବହୁ ସଂଖ୍ୟାରେ ଗରିବ ଲୋକ ଏବେ ବି ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ଅସୁବିଧା ସମୟରେ ଅର୍ଥ ପାଇବାରୁ ବଞ୍ଚିତ ହେଉଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ କମ୍ପାନିର ସିଏସ୍‌ଆର୍‌ ପାଣ୍ଠି ମାଧ୍ୟମରେ ଅର୍ଥ ସଙ୍କଟ କିଛି ମାତ୍ରାରେ ଦୂର ହୋଇପାରିବ।

କମ୍ପାନି ଆକ୍ଟ, ୨୦୧୩ର ସେକ୍ସନ୍‌-୧୩୫ ଓ ସିଏସ୍‌ଆର୍‌ ପଲିସି ରୁଲ୍‌ସ୍‌,୨୦୧୪ରେ ଥିବା ବ୍ୟବସ୍ଥା ଅନୁଯାୟୀ ସମସ୍ତ କମ୍ପାନି ତାଙ୍କ ଲାଭାଂଶର ୨ ପ୍ରତିଶତ ସିଏସ୍‌ଆର୍‌ କାର୍ଯ୍ୟ ପାଇଁ ଖର୍ଚ୍ଚ କରିବାକୁ ବାଧ୍ୟ। ସିଏସ୍‌ଆର୍‌ ଅଧୀନରେ କେଉଁ କେଉଁ କାର୍ଯ୍ୟ ପାଇଁ ପାଣ୍ଠି ଗ୍ରହଣ କରିହେବ, ତାହା ଏହି ଆଇନ୍‌ର ଧାରା-୭ରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍‌ ପାଣ୍ଠି ପାଇଁ ସିଏସ୍‌ଆର୍‌ ଅଧୀନରେ ଅର୍ଥ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। କିନ୍ତୁ ଏହି ଧାରାରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି କଥା ଉଲ୍ଲେଖ ନାହିଁ। ତେଣୁ ସିଏସ୍‌ଆର୍‌ ଅଧୀନରେ ‘ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ’କୁ ଯୋଗ୍ୟ ବିବେଚିତ କରାଯାଉ। ଏଥି ପାଇଁ ଆଇନ୍‌ରେ ଆବଶ୍ୟକ ସଂଶୋଧନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର