ନବୋଦୟ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ : ନରସିଂହପୁରରେ ପ୍ରଶ୍ନପତ୍ର, ପରୀକ୍ଷାର୍ଥୀ ବଡ଼ମ୍ବାରେ

ବଡ଼ମ୍ବା/ନରସିଂହପୁର : ନବୋଦୟ ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆଜି ଅନୁଷ୍ଠିତ ପ୍ରବେଶିକା ପରୀକ୍ଷାରେ ବିଭ୍ରାଟ ଦେଖାଦେଇଛି। ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିଥିବା ନରସିଂହପୁର ବ୍ଲକ୍‌ର ୨୨୧ ଛାତ୍ରଛାତ୍ରୀଙ୍କ ଆଡ୍‌ମିଟ୍‌ କାର୍ଡରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପୋଷ୍ଟ ବଡ଼ମ୍ବା ବୋଲି ଉଲ୍ଲେଖ ଥିଲା। ମାତ୍ର ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ପ୍ରଶ୍ନପତ୍ର କିମ୍ବା ନରସିଂହପୁର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦେବା ସମ୍ପର୍କରେ କୌଣସି ସୂଚନା ନ ଥିବା ଜଣାପଡ଼ିଥିଲା। ପରବର୍ତ୍ତୀ ସମୟରେ ପ୍ରଶ୍ନପତ୍ରଗୁଡ଼ିକ ବଡ଼ମ୍ବାସ୍ଥିତ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଯାଇଥିବା ସୂଚନା ମିଳିଥିଲା। ଏ ନେଇ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେବେ ଉକ୍ତ ତ୍ରୁଟି ସମ୍ପର୍କରେ ନବୋଦୟ କର୍ତ୍ତୃପକ୍ଷ ଅବଗତ ହେବା ପରେ ବଡ଼ମ୍ବାସ୍ଥିତ କେନ୍ଦ୍ରରେ ଶତାଧିକ ଛାତ୍ରଛାତ୍ରୀ ବିଳମ୍ବରେ ପରୀକ୍ଷା ଦେଇଥିବା ଜଣାପଡ଼ିଛି।

ଆଜି ନବୋଦୟ ପରୀକ୍ଷା ପାଇଁ ନରସିଂହପୁର ବ୍ଲକ୍‌ର ଅନନ୍ତ ନାରାୟଣ ଉଚ୍ଚବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଅନନ୍ତ ନାରାୟଣ ଉଚ୍ଚବିଦ୍ୟାଳୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହୋଇଥିଲା। ମାତ୍ର ବାଳିକା ଉଚ୍ଚବିଦ୍ୟାଳୟ କେନ୍ଦ୍ରର ୨୨୧ ପରୀକ୍ଷାର୍ଥୀଙ୍କ ଆଡ୍‌ମିଟ୍‌ କାର୍ଡରେ ଭୁଲ୍‌କ୍ରମେ ନରସିଂହପୁର ବଦଳରେ ପୋଷ୍ଟ ବଡ଼ମ୍ବା ବୋଲି ଉଲ୍ଲେଖ କରାଯାଇଥିଲା ବୋଲି ନରସିଂହପୁର ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌମ୍ୟାଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି। ଫଳରେ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ବଡ଼ମ୍ବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟକୁ ଯାଇଥିଲେ। ମାତ୍ର ଉକ୍ତ ବିଦ୍ୟାଳୟରେ ଆବଶ୍ୟକ ପ୍ରଶ୍ନପତ୍ର କିମ୍ବା ପରୀକ୍ଷା ସମ୍ପର୍କରେ କୌଣସି ସୂଚନା ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ‌େହାଇଥିଲା। ଏ ସମ୍ପର୍କରେ ଖବର ପାଇ ନରସିଂହପୁର କେନ୍ଦ୍ର ପରିଚାଳିକା ସୌମ୍ୟାଶ୍ରୀ ପଣ୍ଡା ପ୍ରଶ୍ନପତ୍ର ଓ ପରୀକ୍ଷା ଖାତା ସହ ବଡ଼ମ୍ବାରେ ପହଞ୍ଚିଥିଲେ। ସେହିପରି ବଡ଼ମ୍ବା ବ୍ଲକ୍‌ ଶିକ୍ଷାଧିକାରୀ ସୁଜାତା ପ୍ରିୟଦର୍ଶିନୀ ପଣ୍ଡା ଘଟଣାସ୍ଥଳରେ ପହଞ୍ଚିବା ସହିତ ସମସ୍ୟା ସମ୍ପର୍କରେ ନବୋଦୟ କର୍ତ୍ତୃପକ୍ଷକୁ ସୂଚନା ଦେଇଥିଲେ। ଏହାପରେ ବଡ଼ମ୍ବା ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ପ୍ରାୟ ଅଧଘଣ୍ଟା ବିଳମ୍ବରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ବୋଲି ନରସିଂହପୁର ପରୀକ୍ଷା କେନ୍ଦ୍ର ପରିଚାଳିକା ଶ୍ରୀମତୀ ପଣ୍ଡା ଜଣାଇଛନ୍ତି।

ସମ୍ବନ୍ଧିତ ଖବର