ପଡ଼ୋଶୀ ନକ୍ସଲ ଓଡ଼ିଶା ମୁହାଁ

ମାଲକାନଗିରି/କୋରାପୁଟ, : ପଡ଼ୋଶୀ ଛତିଶଗଡ଼ରେ ଅପରେସନ୍‌ ଜୋର୍‌ଦାର ପରେ ଏବେ ଓଡ଼ିଶା ମୁହାଁ ହୋଇଛନ୍ତି ନକ୍ସଲ। ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏମାନଙ୍କ ଗତିବିଧି ଓ କାର୍ଯ୍ୟକଳାପ ଏମିତି ସୂଚନା ଦେଲାଣି।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, କୋରାପୁଟ ଜିଲ୍ଲାର ବୈପାରିଗୁଡା ଅନ୍ତର୍ଗତ ରାମଗିିରି ସମେତ ନନ୍ଦପୁର, ମାଛକୁଣ୍ଡ ଆଦି ଅଞ୍ଚଳରେ ଏମାନେ ଆଡ୍ଡା ଜମାଇଲେଣି। ସେପଟେ ମାଲକାନଗିରିର କାଲିମେଳା, ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଏବଂ ମାଥିଲିର ମହୁପଦର ଅଞ୍ଚଳରେ ନକ୍ସଲ ଏବେ ସକ୍ରିୟ ହୋଇ ହୋଇଛନ୍ତି। ସବୁଠାରୁ ବଡ଼ କଥା ହେଲା, ବିଚ୍ଛିନ୍ନାଞ୍ଚଳରେ ବଡ଼ଧରଣର ଅଘଟଣ ପାଇଁ ବ୍ଲୁ-ପ୍ରିଣ୍ଟ୍‌ ପ୍ରସ୍ତୁତ ଚାଲିଛି। ଛତିଶଗଡ଼, ମହାରାଷ୍ଟ୍ରର ରାଗ ଓଡ଼ିଶା ଉପରେ ଯେ ସେମାନେ ନ ଶୁଝାଇବେ, ସେ ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।

ଆନ୍ଧ୍ରପ୍ରଦେଶ, ଝାଡଖଣ୍ଡ, ମହାରାଷ୍ଟ୍ର, ଛତିଶଗ଼ଡ଼ ସବୁ ଅଞ୍ଚଳରେ ନକ୍ସଲ ଦମନ ଅଭିଯାନ ଜୋରଦାର କରାଯାଇଛି। ଗତ ପନ୍ଦର ଦିନ ମଧ୍ୟରେ ଛତିଶଗଡରେ ୫୦ରୁ ଉର୍ଦ୍ଧ୍ୱ ନକ୍ସଲ ମୃତ୍ୟୁବରଣ କରିସାରିଲେଣି। ପରିସ୍ଥିତିକୁ ମୁଲାବିଲା କରିନପାରି ନକ୍ସଲ ଏବେ ଓଡିଶା ମୁହାଁ ହୋଇଛନ୍ତି। ଖବର ଅନୁସାରେ, ବିନୋଦ କାଶ୍ୟପ ଦରଭା ଡିଭିଜନରେ ଏମାନଙ୍କର ନେତୃତ୍ୱ ନେଉଥିବା ବେଳେ ସୁଧୀର ବିଚ୍ଛିନ୍ନାଞ୍ଚଳ ଓ ପୁନମ୍‌ ଚାନ୍ଦ ଚିତ୍ରୋକୋଣ୍ଡା ମୋର୍ଚ୍ଚା ସମ୍ଭାଳୁଛନ୍ତି। ସେଣ୍ଟ୍ରାଲ କମିଟି ପକ୍ଷରୁ ଉଦୟ ନେତୃତ୍ୱରୁ ଏମାନଙ୍କୁ ସଶକ୍ତ କରାଯାଉଛି ଓ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଚାଲିଛି।

ଯେହେତୁ ଗତିବିଧି ବଢିଛି, ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପାଇଁ ନକ୍ସଲ ମାନେ ପୋଷ୍ଟରମରା ଅଭିଯାନକୁ ଜୋର୍‌ଦାର କରିଛନ୍ତି। ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଛି ଓ କୋରାପୁଟ ଗୁପ୍ତେଶ୍ୱର ଅଞ୍ଚଳରେ ପ୍ରଥମଥର ପାଇଁ ମଧ୍ୟ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପାଞ୍ଚ ଜଣଙ୍କୁ ହତ୍ୟା କରିବା ଲାଗି ସେମାନେ ଏକ ପୋଷ୍ଟର ଜରିଆରେ ଧମକ ଦେଇଛନ୍ତି। ଏହା ପୂର୍ବରୁ ଆନନ୍ଦ ନାଏକ ନାମକ ଜଣେ ସ୍ଥାନୀୟ ନେତାଙ୍କୁ ହତ୍ୟା କରିଥିଲେ। ଏଣୁ ଏମାନଙ୍କ ଗତିବିଧି ସଂପର୍କରେ କେହି କିଛି ମୁହଁ ଖୋଲିବାକୁ ଆଗ୍ରହ ଦେଖାଉନାହାନ୍ତି। ସ୍ଥାନୀୟ ପୁଲିସ ପାଖରେ ଏ ନେଇ ଖବର ଅଛି। କିନ୍ତୁ ଏଯାଏ ବଡ଼ଧରଣର ଅପରେସନ୍‌ ଲାଗି ସରକାର ଉଦ୍ୟମ ଆରମ୍ଭ କରିନାହାନ୍ତି।

ଉଲ୍ଲେଖଯୋଗ୍ୟ, ପ୍ରାଥମିକ ସ୍ତରରେ ମାଲକାନଗିରି ଜିଲ୍ଲାରେ ନକ୍ସଲ ସଂଗଠନର ଦୁଇଟି ଡିଭିଜନାଲ କମିଟି ସକ୍ରିୟ ଥିଲେ। ଗୋଟିଏ ହେଉଛି ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନ କମିଟି। ଅନ୍ୟଟି ହେଉଛି ପୂର୍ବ-ବିଶାଖା ଡିଭିଜନାଲ କମିଟି। ପରବର୍ତ୍ତୀ ସମୟରେ ଆନ୍ଧ୍ରର କିଛି ଅଞ୍ଚଳ ସହ ଓଡ଼ିଶାର ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ନେଇ ଏକ ସ୍ୱତନ୍ତ୍ର ଜୋନ୍‌ ଗଠନ କରାଗଲା। ଜଣେ କେନ୍ଦ୍ରୀୟ କମିଟି ସଭ୍ୟଙ୍କ ତତ୍ୱାବଧାନରେ ଏହା ନିୟନ୍ତ୍ରିତ ହେଉଥିଲା।

ହେଲେ ସଂଗଠନକୁ ଅଧିକ ସୁସଂହତ ଓ ଦୃଢ କରିବା ପାଇଁ ନିକଟରେ ଆଉ ଏକ ନୂତନ ଡିଭିଜନ ଗଠନ କରାଯାଇଛି। ବିଶାଖାପାଟଣା ଜିଲ୍ଲାର କିଛି ଅଂଶ ସହିତ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ, କୋରାପୁଟ ଜିଲ୍ଲାର ବୈପାରିଗୁଡା ଓ ଲମତାପୁଟ ବ୍ଲକ ନେଇ ଏହି ନୂତନ ଡିଭିଜନ ଗଠନ କରାଯାଇଛି। ଏହା ବିଶାଖା-ମାଲକାନଗିରି-କୋରାପୁଟ ଡିଭିଜନ କମିଟି ନାଁରେ ପରିଚାଳିତ ହେଉଛି। ଏହି କମିଟିର ମୁଖ୍ୟ ଭାବେ ଜଣେ ରାଜ୍ୟ କମିଟି ସଭ୍ୟ କାର୍ଯ୍ୟ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆନ୍ଧ୍ର-ଓଡିଶା ବ଼ର୍ଡର ସ୍ପେଶାଲ ଜୋନାଲ କମିଟି ନିୟନ୍ତ୍ରଣରେ କାର୍ଯ୍ୟ କରୁଥିବା ସମୁଦାୟ ୬ଟି ଡିଭିଜନ କମିଟି ମଧ୍ୟରୁ ୩ଟି ମାଲକାନଗିରି ଜିଲ୍ଲାର ସକ୍ରିୟ ଅଛନ୍ତି। ସେହି ୩ଟି ଡିଭିଜନ କମିଟି ହେଲା ଆନ୍ଧ୍ର-ଓଡିଶା ବର୍ଡର ଡିଭିଜନ କମିଟି, ପୂର୍ବ-ବିଶାଖା ଡିଭିଜନ କମିଟି ଓ ବିଶାଖା-ମାଲକାନଗିରି -କୋରାପୁଟ ଡିଭିଜନ କମିଟି। ଏହାଛଡା ଛତିଶଗଡରେ ସକ୍ରିୟ ଥିବା ଦରଭା ଡିଭିଜନକୁ ମାଲକାନଗିରି ଜିଲ୍ଲାରେ ମାଥିଲି ବ୍ଲକ ଅଧୀନରେ ଆସୁଥିବା ସୀମାନ୍ତବର୍ତ୍ତୀ ୫ଟି ପଞ୍ଚାୟତକୁ ନେଇ ସଂପ୍ରସାରିତ କରାଯାଇଛି। ସେହି ପଞ୍ଚାୟତଗୁଡିକ ହେଲା ମହୁପଦର, ସାଲିମି, କର୍ତ୍ତନପାଲୀ, ଟେମରୁପାଲୀ ଏବଂ କିଆଙ୍ଗ। ଏବେ ନକ୍ସଲ ନେତା ଉଦୟ ନେତୃତ୍ୱରେ ଏ ସମସ୍ତଙ୍କୁ ନେଇ ଏକ ବଡ଼ଧରଣର ଅଘଟଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି।

କେବଳ ସେତିକି ନୁହେଁ, ନକ୍ସଲମାନେ ବିଚ୍ଛିନ୍ନାଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡାରେ ଏକ ଲାଲ୍‌ ଘର ନିର୍ମାଣ ଆଳରେ କ୍ୟାମ୍ପ ପ୍ରତିଷ୍ଠା କରିଛନ୍ତି। ଏଠାରେ ସ୍ଥାନୀୟ ଲୋକଙ୍କ ସୁବିଧା ଅସୁବିଧା କଥା ବିଚାର କରାଯିବ ବୋଲି ଜଣାପଡିଛି। ନକ୍ସଲଙ୍କ ଗତିବିଧି ଏବଂ କାର୍ଯ୍ୟପ୍ରଣାଳୀର ବ୍ଲୁ ପ୍ରିଣ୍ଟ ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଉଛି। ଏହାର ଚାରିପଟେ ନକ୍ସଲଙ୍କ ସେଣ୍ଟ୍ରି ଡ୍ୟୁଟି କରୁଥିବା ଦେଖିବାକୁ ମିଳିଛି। ଏଭଳି ଏକ ସ୍ଥାୟୀ ଘର ନିର୍ମାଣ କରି ପରୋକ୍ଷରେ ସେମାନେ ପୁଲିସକୁ ଏକ ପ୍ରକାର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସମ୍ବନ୍ଧିତ ଖବର