ଟ୍ରାନଜିଟ୍‌ ରିମାଣ୍ଡ୍‌ରେ କୋଲକାତା ଗଲେ ଅଲିକ୍‌

ରାଜଧାନୀରୁ ନକ୍ସଲ ନେତା ଗିରଫ ଘଟଣା

ଭୁବନେଶ୍ୱର: ପଶ୍ଚିମବଙ୍ଗର ମୋଷ୍ଟ ଓ୍ଵାଣ୍ଟେଡ୍‌ ମାଓବାଦୀ ଅଲିକ୍‌ ଚକ୍ରବର୍ତୀଙ୍କୁ ଆଜି କୋଲକାତା ପୁଲିସ ଟ୍ରାନଜିଟ୍‌ ରିମାଣ୍ଡରେ କୋଲକାତା ନେଇଯାଇଛି। ଆଜି ଅପରାହ୍‌ଣରେ କୋଲକାତା ପୁଲିସ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଥିଲେ। କୋର୍ଟ ତାଙ୍କୁ ଟ୍ରାନଜିଟ୍‌ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଥିଲେ। ଗତକାଲି ଅଲିକ ଚିକିତ୍ସା ପାଇଁ ଚନ୍ଦ୍ରଶେଖରପୁର ଥାନା ଅଧୀନ କଳିଙ୍ଗ ହସ୍ପିଟାଲକୁ ଆସିଥିବା ବେଳେ କୋଲକାତା କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ ଗିରଫ କରିଥିଲା। ପରେ ତାଙ୍କୁ କମିସନରେଟ ପୁଲିସ ପକ୍ଷରୁ ଏକ ଗୁପ୍ତ ସ୍ଥାନରେ ରଖାଯାଇଥିଲା। କୋଲକାତା ପୁଲିସଠାରୁ ମିଳିଥିବା ସୂଚନା ମୁତାବକ, ଅଲିକ ଜଣେ ଦୁର୍ଧର୍ଷ ମାଓନେତା। ସେ ଚବିଶପ୍ରଗଣା, ଭାଙ୍ଗର ଅଞ୍ଚଳରେ ହେଉଥିବା ରାଜ୍ୟ ସରକାରଙ୍କ କେତେକ ଜନହିତକାରୀ କେତେକ ପ୍ରକଳ୍ପକୁ ଘୋର ବିରୋଧ କରୁଥିଲେ। ବିଶେଷକରି ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହେବାକୁ ଥିବା ପାଓ୍ଵାରଗ୍ରିଡ୍‌ ପ୍ରକଳ୍ପ ବିରୋଧରେ ସେ ସଶସ୍ତ୍ର ଜନମେଳି କରିଥିଲେ। ଏହି କାରଣରୁ ସେଠାରେ ବିଭିନ୍ନ ସମୟରେ ଦଙ୍ଗା ହୋଇଛି। ଭାନଗର ଅଞ୍ଚଳରେ ଥିବା ୧୫ଟି ଛୋଟଛୋଟ ଗ୍ରାମକୁ ନେଇ ସେ ଏକ ରେଡ୍‌-କରିଡର ପ୍ରତିଷ୍ଠା କରିଥିଲେ। ସେହି ଗ୍ରାମକୁ ପୁଲିସ କିମ୍ବା ପ୍ରଶାସନ କେହି ପ୍ରବେଶ କରିପାରନ୍ତି ନାହିଁ। କିଛି ଦିନ ତଳେ ପୁଲିସ ଗୁଳିରେ ୪ ଜଣ ସ୍ଥାନୀୟ ବାସିନ୍ଦାଙ୍କର ଜୀବନ ମଧ୍ୟ ଯାଇଥିଲା।

ଏହା ଛଡ଼ା ଅଲିକଙ୍କ ବିରୋଧରେ ହତ୍ୟା, ଦେଶଦ୍ରୋହ, ଦଙ୍ଗା କରାଇବା, ସରକାରୀ ସମ୍ପତ୍ତି ନଷ୍ଟ କରିବା ଭଳି ସଂଗିନ୍‌ ମାମଲା ରହିଛି। କୋଲକାତା କ୍ରାଇମ୍‌ବ୍ରାଞ୍ଚ ତାଙ୍କ ନାଁରେ ପାଖାପାଖି ୭୬ଟି ମାମଲା ରୁଜୁ କରିଛି। କିନ୍ତୁ ଅଲିକ୍‌ ସବୁବେଳେ ଚବିଶପ୍ରଗଣା ଅଞ୍ଚଳରେ ଅସ୍ତ୍ରଶସ୍ତ୍ରଧାରୀ ଯୁବକଙ୍କ ଗହଣରେ ରହୁଥିଲେ। ତେଣୁ ତାଙ୍କୁ ପୁଲିସ ଗିରଫ କରିବା ସମ୍ଭବ ହୋଇ ପାରୁନଥିଲା। କିନ୍ତୁ ପୁଲିସ ତାଙ୍କୁ ଲଗାତାର ଟ୍ରାକିଂ କରୁଥିଲା। ଦୁଇ ଦିନ ତଳେ ଅଲିକ ଭୁବନେଶ୍ୱର ଚିକିତ୍ସା ପାଇଁ ଆସିଥିବା କୋଲକାତା ପୁଲିସ ଜାଣିବାକୁ ପାଇଥିଲା। ସେ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ହେବାକୁ ଆସିଥିବା ବେଳେ କୋଲକାତା କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ତାଙ୍କୁ କାବୁ କରି ନେଇଥିଲା। ଆଜି ତାଙ୍କୁ ପୁଲିସ ରିମାଣ୍ଡରେ ନେବା ପାଇଁ କୋର୍ଟରେ ହାଜର କରାଇବା ବେଳେ ସିପିଆଇ (ଏମ୍‌ଏଲ)ର କେତେକ ସଦସ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି କୋର୍ଟରେ ହାଜର ବେଳେ ଅଲିକ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମର ପଞ୍ଜୀକୃତ ପାର୍ଟି ଅଛି। ମୁଁ ମାଓବାଦୀ ନୁହେଁ। ମୋ ଗିରଫ ପଛରେ ପଶ୍ଚିମବଙ୍ଗ ଓ ଓଡ଼ିଶା ସରକାରଙ୍କ ହାତ ରହିଛି। ଚିକିତ୍ସା ହେବା ପାଇଁ ମୁଁ ଭୁବନେଶ୍ୱର ଆସିଥିଲି। ମୋ ଆନ୍ଦୋଳନକୁ ଦୁର୍ବଳ କରିବାକୁ ଅପଚେଷ୍ଟା ଚାଲିଛି। ମାଓବାଦୀଙ୍କ ସହିତ ଅଯଥାରେ ମୋ ନାଁ ଯୋଡ଼ା ଯାଉଛି। ପାଓ୍ଵାରଗ୍ରିଡ୍‌ ବିରୋଧରେ ଆନ୍ଦୋଳନ କରୁଥିବାରୁ ପୁଲିସ ମୋତେ ଟାର୍ଗେଟ କରିଛି।

ସମ୍ବନ୍ଧିତ ଖବର