କୋରାପୁଟ/ଭୁବନେଶ୍ବର : ଆନ୍ଧ୍ରପ୍ରଦେଶର ଆରକୁ ବିଧାୟକ କେ. ସର୍ବେଶ୍ବର ରାଓଙ୍କୁ ହତ୍ୟା ମାମଲାରେ କୋରାପୁଟ ପୁଲିସ ଜଣେ ମାଓବାଦୀଙ୍କୁ ଗିରଫ କରିଛି। ଗିରଫ ମାଓବାଦୀ ଜଣଙ୍କ ହେଲେ ନନ୍ଦପୁର ବ୍ଲକ ପାଡୁଆ ଥାନା କୋଡିଖାଲ ଗ୍ରାମର ଡମ୍ବରୁ ଖିଲ (୨୩ବର୍ଷ)। ଆଜି ସକାଳେ ତାଙ୍କୁ ଗିରଫ କରାଯିବା ପରେ ଏହି ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତବର୍ଷ ସେପ୍ଟେମ୍ବର ୨୩ ତାରିଖରେ ଆରକୁର ଟିଡିପି ବିଧାୟକ କେ.ସର୍ବେଶ୍ବର ରାଓ ଓ ପୂର୍ବତନ ବିଧାୟକ ଶିଭିରି ସୋମାଙ୍କୁ ମାଓବାଦୀମାନେ ହତ୍ୟା କରିଥିଲେ। ଏହି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏନ୍ଆଇଏର ନିର୍ଦ୍ଦେଶକ୍ରମେ କୋରାପୁଟ ପୁଲିସ ଆଜି ସକାଳେ ଡମ୍ବରୁ ଖିଲଙ୍କୁ ଗିରଫ କରିଛି। ସେ ଜଣେ ହାର୍ଡକୋର ମାଓବାଦୀ ବୋଲି ଜଣାପଡିଛି। ନନ୍ଦପୁର ଏରିଆ କମିଟି ପାଇଁ ସେ କାମ କରୁଥିଲା ବୋଲି ବିଜାପୁର ଏସପି ମୋହିନ ଗର୍ଗ କହିଛନ୍ତି। ଏନଆଇଏ ଟିମ୍ ଆଜି ସନ୍ଧ୍ୟାରେ ଡମ୍ବରୁ ଖିଲଙ୍କୁ ହାଇଦ୍ରାବାଦ ନେବା ପୂର୍ବରୁ କୋରାପୁଟ ଏସଡିଜେଏମଙ୍କ କୋର୍ଟରେ ହାଜର କରିଥିଲେ। ଅପରପକ୍ଷରେ ଡମ୍ବରୁଙ୍କ ଗିରଫଦାରୀକୁ ଚାଟୁଆ ଅଂଚଳବାସୀ ବିରୋଧ କରିଛନ୍ତି। ଆଜି ଅଂଚଳବାସୀ ଏକାଠି ହୋଇ ସଭା କରିବା ସହ ଡମ୍ବରୁ ଜଣେ ନିରୀହ ଲୋକ ବୋଲି କହିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ପୁଲିସ ଡିଜି ଡା. ରଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି ଯେ, ତେବେ ତା’ଠାରୁ ମିଳିଥିବା ଦୁଇଟି ମୋବାଇଲରୁ ହିଁ ତାର ଅପରାଧ ଦୁନିଆର ଗୁମର ଖୋଲିବ। ଅନ୍ୟ କେତେକ ବଡ଼ ବଡ଼ ମାମଲାରେ ମଧ୍ୟ ତା’ର ସମ୍ପୃକ୍ତି ରହିଛି। ତଦନ୍ତ ପରେ ଏ ସବୁ ପଦାକୁ ଆସିବ ବୋଲି ସେ କହିଛନ୍ତି।