ନକ୍ସଲଙ୍କ ବସ୍‌, ଟ୍ରକ୍‌ ପୋଡ଼ି, ପୁଲିସ କର୍ମଚାରୀଙ୍କୁ ହତ୍ୟା

୩ଟି ବସ୍‌, ୬ଟି ଟ୍ରକ ଜାଳିଦେଲେ, ଉଦ୍‌ଘାଟନ ଦିନ ଜଳିଲା ମାଲକାନଗିରି-ହାଇଦ୍ରାବାଦ ବସ୍‌

ମାଲକାନଗିରି/ପଡିଆ/କାଲିମେଳା: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲା ଅନ୍ତର୍ଗତ ଦୋରନାପାଲ ଅଞ୍ଚଳରେ ଗତକାଲି ରାତିରେ ମାଓବାଦୀ ବଡଧରଣର ହମଲା କରିଛନ୍ତି। ମାଓବାଦୀମାନେ ଜଙ୍ଗଲିଆ ରାସ୍ତାରେ ୩ଟି ଯାତ୍ରୀବାହୀ ବସ୍‌ ଏବଂ ୩ଟି ଟ୍ରକରେ ନିଆଁ ଲଗାଇ ସଂପୂର୍ଣ୍ଣ ପୋଡି ଦେଇଛନ୍ତି। ବସ୍‌ରେ ଯାତ୍ରା କରୁଥିବା ଜଣେ ନିଲମ୍ବିତ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଅତି ନିକଟରୁ ଗୁଳି କରି ନିର୍ମମ ଭାବେ ହତ୍ୟା କରିଛନ୍ତି। ପୋଡିଥିବା ଯାତ୍ରୀବାହୀ ବସ୍‌ ମଧ୍ୟରେ ଗୋଟିଏ ଶୀତତାପ ନିୟନ୍ତ୍ରିତ ଘରୋଇ ବସ୍‌ (ଓଡି ୩୦ଏ ୯୨୯୫) ଓଡିଶାରୁ ବାହାରିଥିଲା। ଏହି ବସ୍‌ ଗତକାଲି ହିଁ ମାଲକାନଗିରି ବସ୍‌ଷ୍ଟାଣ୍ଡରେ ଉଦ୍‌ଘାଟନ ପରେ ପ୍ରଥମ ଯାତ୍ରା ଆରମ୍ଭ କରିଥିଲା। ୨୫ଜଣ ଯାତ୍ରୀଙ୍କୁ ନେଇ ହାଇଦ୍ରାବଦ୍‌ ଅଭିମୁଖେ ଯାଉଥିଲା। କିନ୍ତୁ ଛତିଶଗଡରେ ପହଞ୍ଚିବା ବେଳକୁ ନକ୍ସଲଙ୍କ ଆକ୍ରୋଶର ଶିକାର ହୋଇଥିଲା। ଅନ୍ୟ ଦୁଇଟି ବସ୍‌ ଆନ୍ଧ୍ର ସରକାରଙ୍କର ଥିଲା ବୋଲି କୁହାଯାଉଛି। କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ହେଲା ବହୁ ସଂଖ୍ୟାରେ ନକ୍ସଲ ଦୋରନାପାଲ ଠାରୁ ୩କିଲୋମିଟର ଦୂର ଜଙ୍ଗଲିଆ ରାସ୍ତାରେ ମାଲକାନଗିରିରୁ ବାହାରିଥିବା ବସ୍‌କୁ ପ୍ରଥମେ ଅଟକାଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ଓହ୍ଲାଇ ଦେଇ ସେଥିରେ ନିଆଁ ଲଗାଇ ଦେଇଥିଲେ। ସେହିପରି ବସ୍‌ ନମ୍ବର (ଏପି ୨୯ଜେଡ ୩୬୨୫) ଜଗଦଲପୁରରୁ ହାଇଦ୍ରାବାଦ୍‌ ଏବଂ (ଏପି-୨୯ଜେଡ ୩୫୦୦) ବୈଲାଡିଲାରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା। ସମସ୍ତ ଯାତ୍ରୀଙ୍କୁ ଗାଡିରୁ ଓହ୍ଲାଇବା ପରେ କିଛି ଦୂରକୁ ନେଇଯାଇଥିଲେ। ତେବେ ନକ୍ସଲଙ୍କ ଏହି ଅଭାବନୀୟ କାଣ୍ଡରେ ଫସି ଯାଇଥିଲେ ଛତିଶଗଡର ନିଲମ୍ବିତ ପୁଲିସ କର୍ମଚାରୀ ସୋଡି ମୁନ୍ନା। ଜଣ ଜଣ କରି ଯାତ୍ରୀଙ୍କୁ ଯାଞ୍ଚ ସମୟରେ କିଛି ନକ୍ସଲ ତାଙ୍କୁ ପୁଲିସ କର୍ମଚାରୀ ବୋଲି ଚିହ୍ନଟ କରିଥିଲେ। ଏହାପରେ ତାଙ୍କୁ ବସ୍‌ ଠାରୁ କିଛି ଦୂରକୁ ନେଇ ଗୁଳି କରି ହତ୍ୟା କରିଥିଲେ। ଘଟଣା ସ୍ଥଳରୁ ଯିବା ପୂର୍ବରୁ ନକ୍ସଲ ଗୋଟିଏ ବ୍ୟାନର ଛାଡି ଯାଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର