ଭୋଟବେଳେ ନକ୍ସଲ ହମ୍‌ଲା: ବିଧାୟକ, ୫ ଯବାନ ମୃତ

ମାଲକାନଗିରି: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନକ୍ସଲମାନେ ଏକ ବଡ଼ଧରଣର ହମ୍‌ଲା କରିଛନ୍ତି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ କରି ଛତିଶଗଡ଼ର ଜଣେ ବିଧାୟକଙ୍କ ଗାଡ଼ିକୁ ଧ୍ବସ୍ତବିଧ୍ବସ୍ତ କରି ଦେଇଛନ୍ତି। ଏଥିରେ ବିଧାୟକଙ୍କ ସହିତ ଗାଡ଼ିରେ ଥିବା ୫ ଜଣ ଯବାନଙ୍କର ମୃତ୍ୟୁ ହୋଇଯାଇଛି। ଏହି ଘଟଣା‌ ପରେ ସୀମାନ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିବା ବେଳେ ସୁରକ୍ଷା ଯବାନଙ୍କ ପକ୍ଷରୁ କମ୍ବିଂ ଅପରେସନ୍‌ ଜୋର୍‌ଦାର୍‌ କରାଯାଇଛି।

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୪୮ ଘଣ୍ଟା ବାକି ରହିଛି। ଛତିଶଗଡ଼ରେ ୩ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ ପାଇଁ ଆଜି ପ୍ରଚାର ଶେଷ ହୋଇଛି। ଏଥିପାଇଁ ଆଜି ବିଜେପିର ଲୋକସଭା ପ୍ରାର୍ଥୀ ବେଦୁରାମ କଶ୍ୟପଙ୍କ ନିମନ୍ତେ ଦନ୍ତେୱାଡା ବିଧାୟକ ଭୀମା ମାଣ୍ଡାବି ପ୍ରଚାର କରୁଥିଲେ। ଭୀମା ପ୍ରଚାରକାର୍ଯ୍ୟ ସାରି ଫେରୁଥିବାବେଳେ ରାସ୍ତାରେ ନକୁଲନାର ଏବଂ ବଚେଲି ମଧ୍ୟରେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ମାଓବାଦୀ ଅତର୍କିତ ଆକ୍ରମଣ କରିଥିଲେ। ବିଧାୟକଙ୍କ ଗାଡ଼ିକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ବିଧାୟକଙ୍କ ଗାଡ଼ି ପ୍ରାୟ ଶହେ ଫୁଟ ଉପରକୁ ଉଡ଼ି ତଳେପଡ଼ିଥିଲା। ଏଥିରେ ବିଧାୟକ ଏବଂ ତାଙ୍କ ଗାଡ଼ିରେ ବସିଥିବା ୫ଜଣ ଯବାନ ପ୍ରାଣ ହରାଇଛନ୍ତି ବୋଲି ଡିଆଇଜି ପି.ସୁନ୍ଦରରାଜ ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ, ବିସ୍ଫୋରଣ ପ୍ରଭାବରେ ରାସ୍ତାର ମଧ୍ୟ ଭାଗରେ ୧୦ଫୁଟର ଗାତ ହୋଇ ଯାଇଥିବା ଦେଖିବାକୁ ମିଳିଛି। ନିକଟରେ ଥିବା ଅନ୍ୟ ଗାଡି ଗୁଡିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଯବାନ ପହଞ୍ଚି କମ୍ବିଂ ଅପରେସନକୁ ଜୋର୍‌ଦାର୍‌ କରିଛନ୍ତି। ଏହାପୂର୍ବରୁ ୨୦୧୪ ମସିହାରେ ଏହି ରାସ୍ତାରେ ହିଁ ନକ୍ସଲଙ୍କ ବିସ୍ଫୋରଣରେ ୫ ଜଣ ଯବାନ ସହିଦ ହୋଇଥିଲେ। ୫ ବର୍ଷ ପରେ ପୁଣି ନକ୍ସଲ ଏହି ରାସ୍ତାରେ ହିଂସା ଘଟାଇଛନ୍ତି। ସୀମାନ୍ତରେ ନକ୍ସଲ ହମଲା ହେବା ପରେ ମାଲକାନଗିରି ପୁଲିସ ଏବଂ ବିଏସ୍‌ଏଫ ତରଫରୁ କଡ଼ା ସୁରକ୍ଷାର ବ୍ୟବସ୍ଥା କରାଯାଇଛି। ସୀମାକୁ ସିଲ କରିଦିଆଯାଇଛି। କୌଣସି ଅଘଟଣ ଘଟିବା ପୂର୍ବରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର