ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ହିଂସାକାଣ୍ଡ, ୪ ବିଏସ୍‌ଏଫ୍‌ ଯବାନ ସହିଦ

ମାଲକାନଗିରି: ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନର ଠିକ୍ ସପ୍ତାହକ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ନକ୍ସଲ ବଡ଼ଧରଣର ହିଂସାକାଣ୍ଡ ଘଟାଇଛନ୍ତି। ଆମ୍ବୁସ୍ ଲଗାଇ ଅତର୍କିତ ଭାବେ ବିଏସଏଫ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି। ଯାହାଫଳରେ ଘଟଣାସ୍ଥଳରେ ହିଁ ୪ ଜଣ ସହିଦ ହୋଇଥିବାବେଳେ ବହୁ ଯବାନ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ଏଏସ୍‌ଆଇ ଏବଂ ୩ ଜଣ କନେଷ୍ଟବଳ ଥିବା ଡିଆଇଜି ସୁନ୍ଦରରାଜ ପି. ଗଣମାଧ୍ୟମକୁ କହିଛନ୍ତି।

ସୂଚନା ଅନୁଯାୟୀ, କାଙ୍କେର ଜିଲ୍ଲା ପାଖାଞ୍ଜୁର ନିକଟସ୍ଥ ମୋହଲ୍ଲା ଜଙ୍ଗଲକୁ ଆଜି ବିଏସ୍‌ଏଫ୍‌ ଯବାନମାନେ କମ୍ବିଂ ଅପରେସନରେ ବାହାରିଥିଲେ। ତେବେ ଏ ନେଇ ନକ୍ସଲ ଶିବିରରେ ଖବର ପହଞ୍ଚିଯାଇଥିଲା। ବହୁ ସଂଖ୍ୟାରେ ନକ୍ସଲ ଘଞ୍ଚ ଜଙ୍ଗଲରେ ଯବାନଙ୍କ ଆସିବା ବାଟକୁ ଅପେକ୍ଷା କରି ରହିଥିଲେ। ଯେଉଁ ରାସ୍ତା ଦେଇ ଯବାନମାନେ ଆସୁଥିଲେ, ତାହାର ଉଭୟ ପାର୍ଶ୍ବରେ ଘାତ ଲଗାଇ ନକ୍ସଲ ବସିଥିଲେ। ଯବାନମାନେ ଗୋଟିଏ ସଂକୀର୍ଣ୍ଣ ରାସ୍ତା ପାର ହେବା ସମୟରେ ଉଭୟପଟୁ ଅତର୍କିତ ଭାବେ ଗୁଳିବର୍ଷଣ ଆରମ୍ଭ ହୋଇଥିଲା। ସୁରକ୍ଷିତ ସ୍ଥାନ ଖୋଜି ପାଲଟା ଜବାବ ଦେବାକୁ ଯବାନମାନେ ଚେଷ୍ଟା କରିଥିଲେ। ଉଭୟ ପଟୁ ବହୁ ସମୟ ଧରି ଗୁଳି ବିନିମୟ ହୋଇଥିଲା। ନକ୍ସଲଙ୍କ ଆମ୍ବୁସରେ ଫସିଥିବା ଯବାନ ଏନେଇ ନିକଟସ୍ଥ କ୍ୟାମ୍ପକୁ ଖବର ଦେବାରୁ ପୁଣି ବହୁ ଯବାନ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲେ। ଯବାନଙ୍କ ସଂଖ୍ୟା ଅଧିକ ହେବାରୁ ବାଧ୍ୟ ହୋଇ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ। ସର୍ଚ ଅପରେସନ ସମୟରେ ୪ ସହିଦ ଯବାନଙ୍କ ଶବ ଠାବ୍ କରାଯାଇଥିଲା। ସେମାନଙ୍କ ମୃତଦେହକୁ ଘଟଣାସ୍ଥଳରୁ ଉଦ୍ଧାର କରି କ୍ୟାମ୍ପ୍‌କୁ ନିଆଯାଇଛି। ସହିଦ ଯବାନଙ୍କ ପରିଚୟ ମିଳିପାରିନାହିଁ। ଅପରପକ୍ଷରେ ପୂରା ଜଙ୍ଗଲକୁ ବିଏସ୍‌ଏଫ୍‌ ଯବାନ ଘେରି ରହିଛି। ମଝିରେ ମଝିରେ ଗୁଳି ଫୁଟା ଶବ୍ଦ ଆସୁଥିବା ସ୍ଥାନୀୟ ଲୋକ କହିଛନ୍ତି। ଶେଷ ଖବର ସୁଦ୍ଧା ଅପରେସନ ଜାରି ରହିଛି। ଏହି ଘଟଣା ପରେ ଗୁଇନ୍ଦା ବିଭାଗ ନକ୍ସଲଙ୍କ ସନ୍ଦିଗ୍ଧ ଠିକଣା ସଂପର୍କରେ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି। ସ୍ଥାନୀୟ ପୁଲିସ ଏବଂ ବିଏସ୍‌ଏଫ୍‌ ପକ୍ଷରୁ ଚଢ଼ାଉ ଜାରି ରହିଥିବା ବେଳେ ନକ୍ସଲଙ୍କୁ ଠିକଣା ଜବାବ ଦେବାକୁ ପ୍ରସ୍ତୁତି ଚାଲିଛି। ଅପରପକ୍ଷରେ ନିର୍ବାଚନ ପୂର୍ବରୁ ନକ୍ସଲଙ୍କ ହିଂସାକାଣ୍ଡ ଆଖପାଖ ଗାଁରେ ଭୟର ବାତାବରଣ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର