ସୀମାନ୍ତରେ ନକ୍ସଲଙ୍କ ହିଂସାକାଣ୍ଡ : ୨ଯବାନ ସହିଦ, ସରପଞ୍ଚଙ୍କୁ ହତ୍ୟା

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ନକ୍ସଲଙ୍କ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବିଜାପୁରକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ନକ୍ସଲ ଏଭଳି ହତ୍ୟାକାଣ୍ଡ ଭିଆଇଛନ୍ତି। ଗୋଟିଏ ଘରୋଇ ବସକୁ ବିସ୍ଫୋରଣକରି ଉଡାଇ ଦେବାରୁ ଦୁଇ ଜଣ ଡିଆରଜି ଯବାନ ସହିଦ ହୋଇଛନ୍ତି। ସେହିପରି ୬ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ମୃତ ଦୁଇ ଯବାନଙ୍କ ପରିଚୟ ମିଳିପାରି ନାହିଁ। ଆହତ ଯବାନମାନେ ହେଲେ ମନୋଜ ବାଚନ, ସୁଖରାମ ମାଣ୍ଡବୀ, ମାସାରାଣ ମାଣ୍ଡବି, ପାୟକୁ ଆଲମ ଏବଂ ସୁଖନାଥ କୁମାର। ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଛି। ଯବାନମାନେ ଘରୋଇ ବସ୍‌ରେ ତୁମନାଡ ଜଂଗଲ ଦେଇ କ୍ୟାମ୍ପକୁ ଯାଉଥିବା ସୂଚନା ପୂର୍ବରୁ ହିଁ ନକ୍ସଲ ପାଇ ସାରିଥିଲେ। ତେଣୁ ଟାର୍ଗେଟ କରି ରାସ୍ତାରେ ଗୋଟିଏ ପୋଲ ନିକଟରେ ଉଡାଇ ଦେଇଥିବା ଜଣାପଡିଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପୋଲଟି ସଂପୂର୍ଣ୍ଣ ଭୁଶୁଡି ଯାଇଛି। ଏହି ବିସ୍ଫୋରଣ ପୂର୍ବରୁ ଆଜି ସକାଳେ ବିଜାପୁର ଓ ଭୋପାଲପାଟଣମ୍‌ ରାସ୍ତାରେ ବି ପୁଲିସ କର୍ମୀଙ୍କ ଉପରେ ନକ୍ସଲ ଗୁଳି ଚଳାଇଥିବା ସୂଚନା ମିଳିଛି। ତେବେ କେହି ମୃତାହତ ହୋଇ ନଥିବା ପୁଲିସ ସ୍ପଷ୍ଟ କରିଛି।

ସେହିପରି ଅନ୍ୟ ଏକ ଘଟଣାରେ ସୀମାନ୍ତ ସୁକମାର ବଡସେଟି ପଞ୍ଚାୟତର ସରପଞ୍ଚ କମଲୁ ହୁଙ୍ଗାଙ୍କୁ ଗତକାଲି ରାତିରେ ନକ୍ସଲ ହତ୍ୟା କରିଛନ୍ତି। ପ୍ରାୟ ୧୫ରୁ ୨୦ଜଣ ନକ୍ସଲ କମଲୁଙ୍କୁ ଘରୁ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ପୁଲିସ ଇନଫର୍ମର ଦର୍ଶାଇ ପିଟି ପିଟି ହତ୍ୟା କରିଥିଲେ। ହତ୍ୟା କରିବା ପରେ ଘଟଣା ସ୍ଥଳରେ ଗୋଟିଏ ପୋଷ୍ଟର ଛାଡି ଚାଲି ଯାଇଛନ୍ତି।

ସମ୍ବନ୍ଧିତ ଖବର