ପରିତ୍ୟକ୍ତ ସିଆରପିଏଫ କ୍ୟାମ୍ପ ଉଡ଼ାଇଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ଦୋରନାପାଲ ଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଗୋଟିଏ ସିଆରପିଏଫ କ୍ୟାମ୍ପକୁ ନକ୍ସଲ ଗତକାଲି ରାତିରେ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜାପୁର ଗସ୍ତକୁ ବିରୋଧକରି ନକ୍ସଲ ଏହି ଲଙ୍କାକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ଦୋରନାପାଲର ୩୦ ନମ୍ବର ଜାତୀୟ ରାଜପଥ ବୋରଗୁଡା ନିକଟରେ ଥିବା ଖାଲି ପଡିଥିବା ସିଆରପିଏଫ କ୍ୟାମ୍ପରେ ପହଞ୍ଚିଥିଲେ। ବୋମା ଲଗାଇ ବିସ୍ଫୋରଣ କରି କ୍ୟାମ୍ପକୁ ସଂପୂର୍ଣ୍ଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପ୍ରଥମ ବିସ୍ଫୋରଣରେ ବିଶେଷ କ୍ଷତି ହୋଇ ନଥିଲା। ତେଣୁ ପୁଣି ୨ଟି ବୋମା ବିସ୍ଫୋରଣ କରି କ୍ୟାମ୍ପକୁ ସଂପୂର୍ଣ୍ଣ ନଷ୍ଟ କରି ଦେଇଥିଲେ। କିଛି ମାସ ତଳେ ହିଁ ଏହି କ୍ୟାମ୍ପକୁ ଉଠାଯାଇଥିଲା।

ଗତ କିଛି ଦିନ ହେଲା ସୁକମା ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ବଢ଼ିଛି। ବାରମ୍ବାର ହିଂସ ଘଟାଇ ଏହି ଅଞ୍ଚଳରେ ନିଜ ପତିଆରା ଜାହିର କରିବାକୁ ନକ୍ସଲ ଯୋଜନାବଦ୍ଧ ଭାବେ ଆକ୍ରମଣ କରି ଚାଲିଛନ୍ତି। ପୁଣି ପ୍ରଧାନମନ୍ତ୍ରୀ ବିଜାପୁର ଆସୁଥିବା ଖବର ପାଇ ନକ୍ସଲ ଅଧିକ ହିଂସ୍ର ହୋଇଯାଇଥିଲେ। ତେଣୁ ବସ୍ତର, ସୁକମା, ଦନ୍ତେୱାଡା, ବିଜାପୁର ଏବଂ ନାରାୟଣପୁର ଅଂଚଳରେ ହିଂସା ଘଟାଇ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ବିରୋଧ କରିଛନ୍ତି। ତଥାପି ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଜାପୁରରେ ସ୍ୱାଗତ କରାଯାଇଥିଲା। ନକ୍ସଲଙ୍କ ଚେତବନୀ ସତ୍ୱେ ହଜାର ହଜାର ଲୋକ ମୋଦିଙ୍କ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର