ମାଲକାନଗିରିରେ ପୁଣି ମାତିଲେ ନକ୍ସଲ, ପଞ୍ଚାୟତ କାର୍ଯ୍ୟାଳୟ ଉଡ଼ାଇଦେଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପୁଣି ଉତ୍ପାତ ଆରମ୍ଭ କରିଛନ୍ତି ନକ୍ସଲ। ଏଥର ମାଥିଲି ବ୍ଲକ ଅନ୍ତର୍ଗତ ଟେମରୁପାଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟକୁ ଟା‌ର୍ଗେଟ କରି ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ଚଳିତ ମାସରେ ନକ୍ସଲଙ୍କ ଦ୍ବାରା ଏହା ତୃତୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ନକ୍ସଲଙ୍କ ଏହି କାଣ୍ଡ ସ୍ଥାନୀୟ ଲୋକଙ୍କୁ ଭୟଭୀତ କରିଛି।

ସୂଚନା ଅନୁଯାୟୀ, ଗତ କିଛି ମାସ ହେଲା ଶାନ୍ତ ରହିଥିଲା ମାଲକାନଗିରି ଜିଲ୍ଲା। ବିଚ୍ଛିନ୍ନାଞ୍ଚଳ ସହ ମାଥିଲି ବ୍ଲକରେ କାଁ ଭାଁ ନକ୍ସଲଙ୍କ ବୈଠକ ହେବା ନେଇ ସୂଚନା ମିଳୁଥିଲା। ମଝିରେ ମଝିରେ ବ୍ୟାନର ପୋଷ୍ଟର ମାରି ସ୍ଥିତି ଜାହିର କରୁଥିଲେ। କିନ୍ତୁ ହିଂସାକାଣ୍ଡ ଘଟାଇବାକୁ ସାହସ ଜୁଟାଇ ପାରୁ ନଥିଲେ। ତେବେ ଚଳିତ ମାସ ଆରମ୍ଭରୁ ହିଁ ନକ୍ସଲ ରକ୍ତମୁଖା ହୋଇଯାଇଛନ୍ତି। ବାରମ୍ବାର ହିଂସା ଘଟାଇ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହିକ୍ରମରେ ଗତକାଲି ରାତିରେ ସଶସ୍ତ୍ର ନକ୍ସଲ ମାଥିଲି ବ୍ଲକର ଟେମରୁପାଲ୍ଲୀ ପଞ୍ଚାୟତ ମହକୁମାରେ ପଶିଥିଲେ। କେହି କିଛି ବୁଝିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟକୁ ବୋମା ଲଗାଇ ଉଡ଼ାଇ ଦେଇଛନ୍ତି। ଏଥିସହ ଗାଁ ସାରା ପୋଷ୍ଟର ତଥା ବ୍ୟାନର ଲଗାଇଥିବା ଦେଖିବାକୁ ମିଳିଛି। ଦରଭା ଡିଭିଜନ ଏହି ଘଟଣା ଘଟାଇଥିବା ପୋଷ୍ଟରରେ ଉଲ୍ଲେଖ କରାଯାଇଛି।

ସମ୍ବନ୍ଧିତ ଖବର