ବିସ୍ଫୋରଣ କରି ବସ୍‌ ଉଡ଼ାଇଲେ: ନକ୍ସଲ, ଜଣେ ଯବାନଙ୍କ ସମେତ ୪ ମୃତ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ହମ୍‌ଲା

ମାଲକାନଗିରି: ଆସନ୍ତା ୧୨ ତାରିଖ ଦିନ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ନକ୍ସଲ ଅଧ୍ୟୁଷିତ ଦାନ୍ତେୱାଡା ସମେତ ୧୮ଟି ଆସନରେ ଭୋଟ ଗ୍ରହଣ ହେବ। ଭୋଟ ଅବ୍ୟବହିତ ପୂର୍ବରୁ ହାଇ-ପ୍ରୋଫାଇଲ୍‌ ପ୍ରଚାର ପାଇଁ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସୁଛନ୍ତି। ମାତ୍ର, ଏହି ଅଞ୍ଚଳରେ ନକ୍ସଲ ହିଂସାକାଣ୍ଡ ଥମିବାର ନଁ ଧରୁନି। ଗତ ୩୦ ତାରିଖ ଦିନ ବଡ଼ଧରଣର ହିଂସାକାଣ୍ଡ ପରେ ନକ୍ସଲମାନେ ପୁଣିଥରେ ବିସ୍ଫୋରଣ ଘଟାଇଛନ୍ତି। ମାଲାକନଗିରି ସୀମାନ୍ତ ଦାନ୍ତେଵାଡାରେ ହୋଇଥିବା ଏହି ବିସ୍ଫୋରଣରେ ଜଣେ ଯବାନଙ୍କ ସମେତ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏସ୍‌ପି ଅଭିଷେକ ପଲ୍ଲବଙ୍କ କହିବା ଅନୁଯାୟୀ, ଆଜି ଯବାନମାନେ ବଜାରକୁ ରାସନ କିଣିବାକୁ ଯାଇଥିଲେ। ଗୋଟିଏ ବସ୍‌ରେ ଯବାନମାନେ ଫେରୁଥିବା ବେଳେ ଗାଡ଼ିରେ ଡ୍ରାଇଭର, ହେଲ୍‌ପର୍‌ ଏବଂ ୩ ଜଣ ସାଧାରଣ ଲୋକ ରହିଥିଲେ। ଏନେଇ ପୂର୍ବରୁ ସୂଚନା ପାଇ ସାରିଥିବା ନକ୍ସଲ ବସ୍‌କୁ ଟାର୍ଗେଟ କରିଥିଲେ। ଗୋଟିଏ ବୁଲାଣିରେ ବସ୍ ବେଗ କମିବାରୁ ପୂର୍ବରୁ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ବିସ୍ଫୋରଣ କରିଥିଲେ। ବିସ୍ଫୋରଣ ଏତେ ତୀବ୍ରତର ଥିଲା ଯେ ବସ୍ କିଛି ଦୂର ପର୍ଯ୍ୟନ୍ତ ଉଡ଼ି ଯାଇ ତଳେ ପଡ଼ିଥିଲା। କନେଷ୍ଟବଳ ଡି. ମୁଖୋପାଧ୍ୟାୟଙ୍କ ସହ ଡ୍ରାଇଭର ରମେଶ ପାଟକର, ହେଲପର ରମେଶ କୁମାର ସାହୁ ଏବଂ ଜୋନ ନାୟକଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଉଦ୍ଧାର କରି ଦୁହିଁଙ୍କୁ ପ୍ରଥମେ ଦନ୍ତେୱାଡା ମେଡିକାଲରେ ଭର୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ରାୟପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ତଳେ ବିସ୍ଫୋରଣ କରି ୪ଜଣ ଯବାନଙ୍କୁ ଏବଂ ଗତ ୩୦ ତାରିଖ ଦିନ ଦୂରଦର୍ଶନ ଟିମ୍ ଉପରେ ଆକ୍ରମଣ କରିଥିଲେ।

ସମ୍ବନ୍ଧିତ ଖବର