ଗୁରୁପ୍ରିୟା ସେତୁକୁ ନକ୍ସଲ ଭୟ : ବିଏସ୍‌ଏଫ୍‌ ପକ୍ଷରୁ ସୁରକ୍ଷା କଡ଼ାକଡ଼ି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ବହୁ ପ୍ରତିକ୍ଷୀତ ସେତୁ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ଏବେ ଚିନ୍ତା ଘାରିଛି। ନକ୍ସଲମାନଙ୍କ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ବିଏସ୍‌ଏଫ୍‌ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ବିଏସ୍‌ଏଫ୍‌ ଯବାନମାନେ ସେତୁର ଦୁଇପଟେ ୨୪ ଘଣ୍ଟିଆ ପହରା ଦେଉଥିବାର ଜଣାପଡ଼ିଛି।

ଗୁରୁପ୍ରିୟା ସେତୁ ମାଧ୍ୟମରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ଦୀର୍ଘ ୪୫ବର୍ଷର ସ୍ୱପ୍ନ ଅଳ୍ପ ଦିନ ମଧ୍ୟରେ ପୂରଣ ହେବାକୁ ଯାଉଛି। କିନ୍ତୁ ଲୋକଙ୍କ ଏହି ସ୍ୱପ୍ନର ସେତୁକୁ ଧୂଳିସାତ କରିବାକୁ ଯୋଜନାରେ ରହିଛନ୍ତି ମାଓବାଦୀ। ତେଣୁ ସେତୁର ସୁରକ୍ଷା ଦେବାକୁ ବିଏସଏଫ ମୁତୟନ ହୋଇଥିବା ବେଳେ ରାଜ୍ୟ ପୁଲିସ ପକ୍ଷରୁ ଏସଓଜି ଏବଂ ଡିଭିଏଫ ଏହି ଅଂଚଳରେ କମ୍ବିଂ ଜାରି ରଖିଛନ୍ତି। ଯାହାର ନେତୃତ୍ୱ ନେଉଛନ୍ତି ଏସପି ନିଜେ। ନକ୍ସଲଙ୍କ ସମସ୍ତ ଗତିବିଧି ଉପରେ କଡା ନଜର ରଖାଯାଇଛି। ବାଲିମେଳା ଜଳଭଣ୍ଡାରରେ ବିଏସଏଫ ବୁଲେଟପ୍ରୁଫ ବୋଟରେ ପଇଁତରା ମାରୁଛନ୍ତି। ଗୁଇନ୍ଦା ବିଭାଗକୁ ମଧ୍ୟ ସଜାଗ କରାଯାଇଛି। ସେତୁ ସଂପୂର୍ଣ୍ଣ ହୋଇଗଲେ ଲୋକେ ସର୍ବନିମ୍ନ ମୌଳିକ ସୁବିଧା ପାଇବେ। ଆଉ ମାଓ ସଂଗଠନକୁ ସମର୍ଥନ କରିବେ ନାହିଁ। ଯାହାକି ଏବେ ନକ୍ସଲ ସଂଗଠନ ପାଇଁ ଚିନ୍ତାର କାରଣ ହୋଇଛି।

ସମ୍ବନ୍ଧିତ ଖବର