ଲାଲ୍‌ ଆତଙ୍କ : ବିଜୟଙ୍କ ମୃତ ଦେହ ମିଳିଲା

ବରଗଡ଼/ପାଇକମାଳ : ଶନିବାର ରାତିରେ ପାଇକମାଳ ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ମାଓବାଦୀ ଆତଙ୍କ ଖେଳାଇଥିଲେ। ରାତି ସାଢ଼େ ୮ଟା ବେଳେ ସାଲେପାଲି ଠାରେ ପାନ ଦୋକାନ କରିଥିବା ବିଜୟ ସାହୁ (୩୬)ଙ୍କୁ ଅପହରଣ କରି ନେଇ ହତ୍ୟା କରିଥିଲେ। ରବିବାର ସକାଳୁ ସେହି ପାନ ଦୋକାନ ସମ୍ମୁଖରୁ ହିଁ ବିଜୟଙ୍କ ମୃତଦେହ ଉଦ୍ଧାର ହୋଇଛି। ମାଓବାଦୀ ତାଙ୍କୁ ଜଂଗଲ ଭିତରେ ଗୁଳିମାରି ହତ୍ୟା କରିବା ପରେ ଶବକୁ ଦୋକାନ ସମ୍ମୁଖରେ ପକାଇ ଦେଇ ପଳାଇଥିବା ସୂଚନା ମିଳିଛି।

ଥାନା ଠାରୁ ମାତ୍ର ୩ କିଲୋମିଟର ଦୂରରେ ଏହି ହତ୍ୟାକାଣ୍ଡ ଘଟିଛି। ରାତିରେ ପ୍ରାୟ ୧୫ ଜଣ ସଶସ୍ତ୍ର ମାଓବାଦୀ ବିଜୟଙ୍କ ପାନ ଦୋକାନକୁ ଆସିଥିଲେ। ସେଠାରେ ହିନ୍ଦୀ ଭାଷାରେ ‘ବିଜୟ କିଏ’ ବୋଲି ପଚାରି ଥିଲେ। ବିଜୟ ନିଜ ପରିଚୟ ଦେଇଥିଲେ। ଏହା ପରେ ମାଓବାଦୀ ତାଙ୍କୁ ଉଠାଇ ନେଇଥିଲେ। ଦୋକାନରେ ଥିବା ଅନ୍ୟ ୨ଜଣ ଭୟରେ ସେଠାରୁ ପଳାଇଥିଲେ। ଦୋକାନରେ କାମ କରୁଥିବା ରଘୁନାଥ ବରିହା ନାମକ ଜଣେ ମୂକ ବ୍ୟକ୍ତି ତୁରନ୍ତ ବିଜୟଙ୍କ ଘରକୁ ଯାଇ ଘଟଣା ସଂପର୍କରେ ଜଣାଇଥିଲେ। ବିଜୟଙ୍କ ପିତା ରଂଜିତ ସାହୁ ଦୋକାନ ପାଖକୁ ଆସ ଆଖପାଖରେ ଖୋଜାଖୋଜି କରି ମଧ୍ୟ ବିଜୟଙ୍କୁ ପାଇ ନଥିଲେ। ଦୋକାନ ଠାରୁ ଅନତି ଦୂରରେ ମାଓବାଦୀ ବିଜୟଙ୍କ ଦୁଇ ହାତକୁ ପଛପଟୁ ବାନ୍ଧି ଦେଇ ୩ ରାଉଣ୍ଡ ଗୁଳି କରିଥିଲେ। ଏହାପରେ ଶବକୁ ଆଣି ଦୋକାନ ପାଖ ରାସ୍ତା କଡ଼ରେ ପକାଇ ଦେଇଥିଲେ। ସିଆର୍‌ପିଏଫ୍‌ ଯବାନମାନେ ସକାଳୁ ଘଟଣାସ୍ଥଳରେ ପହଂଚି ଶବ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର