ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଆଜି ସକାଳୁ ସକାଳୁ ପୁଣି ଗର୍ଜିଛି ବନ୍ଧୁକ। ପେପରମେଟଲା ପଞ୍ଚାୟତ ଅନ୍ତର୍ଗତ ଲୁଚାପାଣି ନିକଟସ୍ଥ ବନ୍ଧଗୁଡା ଜଂଗଲରେ ପୁଲିସ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ନକ୍ସଲର ମୃତ୍ୟୁ ଘଟିଛି। ମୃତ ନକ୍ସଲ ଜଣକ ସୁଧାକର ଓରଫ ସୁକୁ ବୋଲି ଚିହ୍ନଟ କରାଯାଇଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲ୍ଆର ବନ୍ଧୁକ, ୨ଟି ମାଗାଜିନ୍ ଏବଂ ୫୪ଟି ଗୁଳି ଉଦ୍ଧାର କରାଯାଇଛି। ଏଥିସହ ସଂପୃକ୍ତ ଅଞ୍ଚଳରେ ସର୍ଚ ଅପରେସନ୍ ବେଳେ ନକ୍ସଲ ଖଞ୍ଜିଥିବା ଏକ ଲ୍ୟାଣ୍ଡ ମାଇନ୍କୁ ଠାବ କରି ନିଷ୍କ୍ରିୟ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପେପରମେଟଲା ପଞ୍ଚାୟତର ବନ୍ଧଗୁଡା ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଥିବା ସଂପର୍କରେ ପୁଲିସକୁ ସ୍ପଷ୍ଟ ସୂଚନା ମିଳିଥିଲା। ବଡ଼ପଡ଼ା ବିଏସଏଫ କ୍ୟାମ୍ପ ଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିଲା ଏହି କ୍ୟାମ୍ପ। କୌଣସି ବଡ଼ଧରଣର ଅଘଟଣ ପାଇଁ ନକ୍ସଲଙ୍କ ମିଲିଟାରି ଗ୍ରୁପ୍ର ସଦସ୍ୟ ଏକାଠି ହୋଇଥିଲେ। ପ୍ରାପ୍ତ ସୂଚନାନୁସାରେ ମାଓ କମାଣ୍ଡର ରାକେଶ ମଧ୍ୟ ଏହି କ୍ୟାମ୍ପରେ ଥିଲା। ଗୁଇନ୍ଦା ସୂଚନା ଆଧାରେ ପୁଲିସ ଏବଂ ବିଏସ୍ଏଫ ଯବାନଙ୍କ ପକ୍ଷରୁ ଗତକାଲି ବିଳମ୍ବିତ ରାତିରେ ହିଁ ଅପରେସନ୍ ଆରମ୍ଭ ହୋଇଥିଲା। ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଏଠାରେ ନକ୍ସଲ- ପୁଲିସ ମୁହାଁମୁହିଁ ହୋଇଥିଲେ। ପ୍ରାୟ ୩୦ ମିନିଟ ଧରି ପ୍ରବଳ ଗୁଳି ବିନିମୟ ପରେ ନକ୍ସଲ ସେହି ସ୍ଥାନ ଛାଡ଼ି ଚାଲିଯିବାକୁ ଉଚିତ ମଣିଥିଲେ।
ଖାନ୍ ତଲାସୀ ବେଳେ ଜଣେ ମୃତ ନକ୍ସଲର ଶବ ମିଳିଥିଲା। ମୃତ ନକ୍ସଲ ଜଣକ ଛତିଶଗଡ଼ କ୍ୟାଡରର ସୁଧାକର ଓରଫ ସୁକୁ ବୋଲି ଚିହ୍ନଟ କରାଯାଇଛି। ଶବ ନିକଟରୁ ଏକ ଏସ୍ଏଲଆର ବନ୍ଧୁକ ମିଳିବା ସହ ୨ଟି ମାଗାଜିନ୍, ୫୪ଟି ଗୁଳି ମିଳିଛି। ତେଣୁ ମୃତ ସୁଧକାର ଜଣେ କ୍ୟାଡର ନକ୍ସଲ ଥିଲା ବୋଲି ପୁଲିସ କହିଛି। ସେହି ଅଂଚଳରେ ପୁଲିସ ଏବଂ ଯବାନଙ୍କ ତଲାସୀ ଅଭିଯାନ ବେଳେ ଏକ ଲ୍ୟାଣ୍ଡମାଇନ୍କୁ ଠାବ କରାଯାଇଥିଲା। ନକ୍ସଲ ଫେରିବା ରାସ୍ତାରେ ଏହାକୁ ଖଞ୍ଜିଥିବା ଅନୁମାନ କରାଯାଉଛି। ଅପରେସନ୍ ପରେ ଯବାନମାନେ ବଡ଼ପଡ଼ା ବିଏସ୍ଏଫ କ୍ୟାମ୍ପକୁ ଫେରି ଆସିଥିବା ବେଳେ ମୃତ ନକ୍ସଲର ଶବକୁ ମାଲକାନଗିରି ଅଣାଯାଇ ବ୍ୟବଚ୍ଛେଦ ସହ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।